ଗ୍ରାହାମ୍ ରିଡ୍‌ ଭାରତୀୟ ହକି ଦଳ ନୂଆ ମୁଖ୍ୟ ପ୍ରଶିକ୍ଷକ

ନୂଆଦିଲ୍ଲୀ: ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ଅଷ୍ଟ୍ରେଲୀୟ ଡିଫେଣ୍ଡର୍‌ ଗ୍ରାହାମ୍ ରିଡ୍‌ଙ୍କୁ ହକି ଇଣ୍ଡିଆ ସୋମବାର ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରିଛି। ୫୪ ବର୍ଷୀୟ ଏହି ଅଭିଜ୍ଞ ପ୍ରଶିକ୍ଷକ ଖୁବ୍ ଶୀଘ୍ର ବେଙ୍ଗାଲୁରୁଠାରେ ଚାଲିଥିବା ଜାତୀୟ ଶିବିରରେ ଯୋଗଦେବେ। ଅଷ୍ଟ୍ରେଲିଆ ପାଇଁ ୧୩୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ରିଡ୍‌ ୧୯୯୨ ମସିହାର ବାର୍ସିଲୋନା ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ଦଳର ସଦସ୍ୟ ଥିଲେ। ସେହିଭଳି ୧୯୮୪, ୧୯୮୫ ଏବଂ ୧୯୮୯, ୧୯୯୦ ମସିହାରେ ଦୁଇ ଥର କ୍ରମାଗତ ଭାବେ ଚାମ୍ପିଅନ୍ସ ଟ୍ରଫି ବିଜେତା ରହିଥିଲେ। ୨୦୦୯ ମସିହାରେ ଅଷ୍ଟ୍ରେଲିଆ ଦଳର ସହକାରୀ ପ୍ରଶିକ୍ଷକ ଭାବେ ନିଯୁକ୍ତ ହେବାଠାରୁ ତାଙ୍କ ପ୍ରଶିକ୍ଷଣ ଜୀବନ ଆରମ୍ଭ ହୋଇଥିଲା। ଏହା ପରେ ସେ ମୁଖ୍ୟ ପ୍ରଶିକ୍ଷକ ପଦକୁ ଉନ୍ନୀତ ହୋଇଥିବା ବେଳେ ୨୦୧୨ ମସିହାରେ ଅଷ୍ଟ୍ରେଲିଆକୁ କ୍ରମାଗତ ପଞ୍ଚମ ଚାମ୍ପିଅନ୍ସ ଟ୍ରଫି ବିଜୟୀ କରାଇଥିଲେ। ୨୦୧୪ ମସିହାରେ ସେ ମୁଖ୍ୟ ପ୍ରଶିକ୍ଷକ ଥିବାବେଳେ ଅଷ୍ଟ୍ରେଲିଆ ବିଶ୍ବର ଏକ ନମ୍ବର ଦଳ ହୋଇଥିଲା। ସେହି ବର୍ଷ ଅନ୍ତ୍ବର୍ପ ବିଶ୍ବ ହକି ଲିଗ୍ ସେମିଫାଇନାଲ୍‌ରେ ବିଜେତା ଏବଂ ରାଇପୁରରେ ଫାଇନାଲ୍‌ ପର୍ଯ୍ୟାୟରେ ବିଜେତା ହୋଇଥିଲା ଦଳ। କୁଇନ୍ସଲାଣ୍ଡ୍ ହକି ହଲ୍‌ ଅଫ୍‌ ଫେମ୍‌ର ସଦସ୍ୟ ରିଡ୍ ୨୦୧୭ ମସିହାରେ ନେଦରଲାଣ୍ଡ୍‌ ଆମଷ୍ଟରଡାମ୍ କ୍ଲବ୍‌ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ୧୯୯୩ ଏବଂ ୧୯୯୪ରେ ସେ ଏହି କ୍ଲବ୍‌ ପାଇଁ ଖେଳିଥିଲେ। ତାଙ୍କ ନେତୃତ୍ବରେ ସଦ୍ୟତମ ବଡ଼ ସଫଳତା ଭାବେ ୨୦୧୮ ଭୁବନେଶ୍ବର ପୁରୁଷ ହକି ବିଶ୍ବକପ୍‌ରେ‌ ନେଦରଲାଣ୍ଡ୍‌ ଦଳ ରୌପ୍ୟ ପଦକ ଜିତିଥିଲା। ‘ଜଣେ ସଫଳ ଖେଳାଳି ଏବଂ ପ୍ରଶିକ୍ଷକ ଭାବେ ଗ୍ରାହମ ରିଡ୍‌ଙ୍କ ନିକଟରେ ଥିବା ପ୍ରଚୁର ଅଭିଜ୍ଞତା ଭାରତକୁ ୨୦୨୦ ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଆଶାଜନକ ଫଳାଫଳ ଦେବ’ ବୋଲି କହିଛନ୍ତି ହକି ଇଣ୍ଡିଆର ସଭାପତି ମହମ୍ମଦ ମୁସ୍ତାକ୍‌ ଅହମ୍ମଦ। ନୂଆ ଦାୟିତ୍ବକୁ ଗ୍ରହଣ କରିଥିବାରୁ ଖୁସୀ ଜାହିର୍ କରି ରିଡ୍ ପ୍ରକାଶ କରିଛନ୍ତି, ‘ଭାରତୀୟ ହକି ଦଳ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହେବା ଏକ ସମ୍ମାନ ଓ ସୁଯୋଗ। ଭାରତ ନିକଟରେ ଥିବା ହକି ଇତିହାସ ଅନ୍ୟ କୌଣସି ଦେଶ ସହିତ ତୁଳନୀୟ ନୁହେଁ। ପ୍ରତିଦ୍ବନ୍ଦ୍ବୀ ଦଳ ପ୍ରଶିକ୍ଷକ ଭାବେ ମୁଁ ଏହି ଦଳର ଖେଳକୁ ଅତୀତରେ ଉପଭୋଗ କରିଛି। ଭାରତର ଆକ୍ରମଣାତ୍ମକ ହକି ଶୈଳୀ ଅଷ୍ଟ୍ରେଲୀୟ ଅନୁରୂପ ବୋଲି ମଧ୍ୟ ରିଡ୍ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର