ଓଡ଼ିଶା ଫୁଟ୍‌ବଲ୍‌ରେ ଯୋଡ଼ିହେବ ଆଉ ଏକ ଅଧ୍ୟାୟ

ଏସୀୟ ଦୌଡ଼କୁଦ ଏବଂ ହକି ବିଶ୍ୱ ଲିଗ୍‌କୁ ସଫଳତାର ସହ ଆୟୋଜନ କରିବା ପରେ କଳିଙ୍ଗ ଷ୍ଟାଡିୟମ୍‌ କେବଳ ଭାରତ ନୁହେଁ ବିଶ୍ୱ ସ୍ତରରେ ବି ପରିଚିତ ହୋଇ ପାରିଛି। ସଂପ୍ରତି ଏହି ଷ୍ଟାଡିୟମର ଚାହିଦା ତୁଳନାତ୍ମକ ଭାବେ ଢେର ବଢ଼ି ଯାଇଛି। ପୁଣି ଚଳିତବର୍ଷ ନଭେମ୍ବର-ଡିସେମ୍ବରରେ ହକି ବିଶ୍ୱକପ୍‌ ଆୟୋଜନ କଳିଙ୍ଗ ଷ୍ଟାଡିୟମର ମଥାର ମଣି ହେବାରୁ ଯାଉଛି। କିଛି ଦିନ ତଳେ ଏଠାରେ ବହୁ ଆଡ଼ମ୍ବରରେ ଜାମସେଦପୁର-ବେଙ୍ଗାଲୁରୁ ଏଫ୍‌ସି ଆଇଏସଏଲ୍‌ ମ୍ୟାଚ୍‌ ଆୟୋଜନ ହୋଇଥିଲା। ଓଡ଼ିଶା ବାସୀ ଏହି ମ୍ୟାଚ୍‌କୁ ଦେଇଥିବା ସମର୍ଥନ ଏବଂ ଭଲ ପାଇବା ସର୍ବ ଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫଏଫ୍‌)କୁ ବେଶ୍‌ ଆକୃଷ୍ଟ କରିଥିଲା। ସେଥିପାଇଁ ପ୍ରଥମ ସୁପରକପ୍‌ ପ୍ରତିଯୋଗିତାକୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜନ କରିବାକୁ ଏଆଇଏଫଏଫ୍‌ ମଞ୍ଜୁରି ଦେଇଛି। ଏହି ପ୍ରତିଯୋଗିତା ପୂର୍ବରୁ ଭାରତର ଫୁଟ୍‌ବଲ୍‌ ଗଡ଼ ଭାବେ ପରିଚିତ କୋଚିରେ ହେବାର ଥିଲା। ହେଲେ କଳିଙ୍ଗ ଷ୍ଟାଡିୟମ୍‌ ସୁବିଧା ସୁଯୋଗ ଅପେକ୍ଷାକୃତ ଭଲ ଥିବାରୁ ଏଆଇଏଫଏଫ୍‌ ଓଡ଼ିଶାକୁ ସୁପରକପ୍‌ ଆୟୋଜନର ଅଧିକାର ଦେଇଛି।

ଯାହା ଓଡ଼ିଶା ଫୁଟ୍‌ବଲ୍‌କୁ ମଧ୍ୟ ଏକ ନୂଆ ମୋଡ଼ ଦେବ ବୋଲି ଆଶା କରାଯାଉଛି। ସୁପରକପ୍‌ ଆସନ୍ତା ଗୁରୁବାର ଓ ଶୁକ୍ରବାର ଯୋଗ୍ୟତା ପର୍ଯ୍ୟାୟରୁ ଓଡ଼ିଶା ପଦାର୍ପଣ କରିବ। ୧୫ ଦିନର ବ୍ୟବଧାନ ପରେ ଅବଶ୍ୟ ମୁଖ୍ୟ ପର୍ଯ୍ୟାୟ ଆରମ୍ଭ ହେବ। ଯାହା ଓଡ଼ିଶା ଫୁଟବଲ୍‌ପ୍ରେମୀଙ୍କ ମନରେ ନିଶ୍ଚିତ ଭାବେ ନୂଆ ଉତ୍ସାହ ଏବଂ ଉନ୍ମଦନା ଭରିଦେବ। କାରଣ ଏତେବଡ଼ ପେସାଦାର ଲିଗ୍‌କୁ ପାଖରୁ ଦେଖିବାର ପ୍ରଥମ ସୁଯୋଗ ସେମାନଙ୍କ ହାତ ପାହାନ୍ତାରେ ଉପଲବ୍ଧ ହେବ। ଭାରତରେ ଫୁଟ୍‌ବଲ୍‌ର ମାନ ବଢ଼ାଇବା ଲାଗି ଆଇଲିଗ୍‌ ଏବଂ ଆଇଏସଏଲର ମୋଟ ୧୬ ଦଳକୁ ନେଇ ଏହି ପ୍ରତିଯୋଗିତା ଖେଳାଯିବ। ଏଥିଲାଗି ଏଆଇଏଫଏଫ୍‌ ଫେଡେରେସନ୍‌ କପ୍‌କୁ ବନ୍ଦ କରି ଦେବାକୁ ଚିନ୍ତା କରୁଥିବା ଜଣା ପଡ଼ିଛି। ଭାରତୀୟ ଫୁଟ୍‌ବଲ୍‌କୁ ଅନ୍ତର୍ଜାତୀୟ ସ୍ତରେ ପହଞ୍ଚାଇବା ଲାଗି ଏହା ଏକ ବଳିଷ୍ଠ ପଦକ୍ଷେପ ହେବ ବୋଲି ମୋର ଆଶା।

ଆଇପିଏଲ୍‌ ଭାରତୀୟ କ୍ରିକେଟ୍‌ ପାଇଁ ଯାହା କରିଛି ଆଇଏସଏଲ୍‌ ଏବଂ ସୁପରକପ୍‌ ଭଳି ପ୍ରତିଯୋଗିତା ଭାରତୀୟ ଫୁଟବଲ୍‌ ପାଇଁ ତାହା କରିବ ବୋଲି ବିଶ୍ୱାସ। ଉଭୟ ଆଇଏସ୍‌ଏଲ୍‌ ଏବଂ ଆଇଲିଗ୍‌ ଭାରତୀୟ ଫୁଟ୍‌ବଲ୍‌ର ଦୁଇଟି ମହତ୍ୱପୂର୍ଣ୍ଣ ପ୍ରତିଯୋଗିତା ଭାବେ ପରିଗଣିତ ହୁଏ। ଏଣୁ ସୁପରକପ୍‌ରେ କେଉଁ ଲିଗ୍‌ର ଦଳ ବିଜେତା ହେବ ତାହା ହିଁ ଫୁଟବଲ୍‌ ପ୍ରେମୀଙ୍କ ମନରେ ବଢ଼ି ଚାଲିଥିବା ଉତ୍କଣ୍ଠାର ମୁଖ୍ୟ କାରଣ। ପ୍ରତିଯୋଗିତାରେ ବିଦେଶୀ ପ୍ରଶିକ୍ଷକ ଓ ବିଦେଶୀ ଖେଳାଳିଙ୍କ ସହ ଖେଳିବାର ଆଉ ଏକ ଭଲ ଅଭିଜ୍ଞତା ଭାରତୀୟ ଖେଳାଳି ଲାଭ କରିବେ। ସବୁଠାରୁ ବଡ଼ କଥା ହେଲା ଫେବ୍ରୁଆରି ୨୫ର ଆଇଏସଏଲ୍‌ ମ୍ୟାଚ୍‌ରେ ଜଣେ ହେଲେ ବି ଓଡ଼ିଆ ଖେଳାଳି ଖେଳି ନଥିଲେ। ହେଲେ ସୁପରକପ୍‌ରେ ଏକାଧିକ ଓଡ଼ିଆ ଖେଳାଳିଙ୍କୁ ଖେଳୁଥିବାର ଦେଖିବାକୁ ମିଳିବ। ଯାହା ସବୁଠାରୁ ଅଧିକ ଉତ୍ସାହଜନକ ଖବର। ଓଡ଼ିଶା କ୍ରୀଡ଼ା ନିର୍ଦେଶାଳୟ ଓ ଫୁଟବଲ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା ମିଳିତ ଭାବେ ଏହି ପ୍ରତିଯୋଗିତାକୁ ଆୟୋଜନ କରୁଛନ୍ତି। ସେଥିପାଇଁ ଭବିଷ୍ୟତରେ ମଧ୍ୟ ସରକାରୀ ସହାୟତା ଓ ପ୍ରୋତ୍ସାହନରେ କଳିଙ୍ଗ ଷ୍ଟାଡିୟମରେ ଅଧିକରୁ ଅଧିକ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନକୁ ଆଶା ସଂଚାର ହୋଇଛି।
-ପ୍ରଫୁଲ୍ଲ କୁମାର ମିଶ୍ର, ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି

ସମ୍ବନ୍ଧିତ ଖବର