କୋଭିଡ୍ ପାଇଁ ନୂଆ କଟକଣା: ସାରଜାହରେ୧୬ ବର୍ଷରୁ କମ୍‌ଙ୍କୁ ପ୍ରବେଶ ଅନୁମତି ନାହିଁ

ଆବୁଧାବି; ଟିକାକରଣ ପ୍ରମାଣ ସହ ଆର୍‌ଟିପିସିଆର୍‌ ରିପୋର୍ଟ ଦରକାର

ସାରଜା/ଦୁବାଇ: କୋଭିଡ୍ ସଙ୍କଟ ପାଇଁ ଆଇପିଏଲ୍‌ର ଦ୍ବିତୀୟ ଚରଣରେ ଦର୍ଶକଙ୍କ ଷ୍ଟାଡିୟମ୍ ପ୍ରବେଶ ନେଇ କେ‌ତେକ ନୂଆ ନିୟମ ଜାରି କରାଯାଇଛି। ସାରଜାହ ଷ୍ଟାଡିୟମ୍ ଭିତରକୁ ୧୬ ବର୍ଷରୁ କମ୍ ବୟସ୍କ ଦର୍ଶକଙ୍କ ପ୍ରବେଶ ଉପର ବିସିସିଆଇ ଓ ଆୟୋଜକ ୟୁଏଇ କ୍ରିକେଟ୍ ସଂଘ ଅଙ୍କୁଶ ଲଗାଇଛନ୍ତି। ଅବଶ୍ୟ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍ ଭିତରକୁ ଖେଳ ଦେଖିବାକୁ ଯାଉଥିବା ପ୍ରଶଂସକଙ୍କୁ ସାଙ୍ଗରେ ୪୮ ଘଣ୍ଟା ପୂର୍ବର ଆରଟି ପିସିଆର୍ ପରୀକ୍ଷା ରିପୋର୍ଟ ନେବାର ଆବଶ୍ୟକତା ନାହିଁ। ତେବେ ସାଙ୍ଗରେ ଦୁଇଟି କୋଭିଡ୍ ଡୋଜ୍ ନେଇଥିବାର ପ୍ରମାଣ ନେବା ଏବଂ ସା‌ମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ୧୨ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ଦୁଇଟି କୋଭିଡ୍ ଟିକା ନେଇଥିବାର ପ୍ରମାଣପତ୍ର ନେବାର ଦରକାର ନାହିଁ। ସେହିଭଳି ପ୍ରଶଂସକଙ୍କୁ ମୋବାଇଲରେ ମ୍ୟାଚ୍ ଟିକେଟ ଡାଉନଲୋଡ୍ କରିବାକୁ କୁହାଯାଇଛି। ଏହା ହେଲେ ଫାଟକରେ ଆଉ ଟିକେଟ ସ୍କାନ୍ କରିବାକୁ ପଡ଼ିବ ନାହିଁ। ସାରଜା ଷ୍ଟାଡିୟମ୍ ଲାଗି ଦର୍ଶକଙ୍କ ପ୍ରବେଶ ନିୟମରେ ଆଂଶିକ ଅଦଳ ବଦଳ କରାଯାଇଛି। ଏଠାରେ କେବଳ ୧୬ ବର୍ଷରୁ ଅଧିକ ବୟସ୍କ ପ୍ରଶଂସକଙ୍କୁ ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବାର ସୁଯୋଗ ମିଳିବ। ଟିକାକରଣ ପ୍ରମାଣ ସହ ଏଠାରେ ୪୮ ଘଣ୍ଟା ପୂର୍ବରୁ କରିଥିବା ଆରଟି ପିସିଆର୍‌ ପରୀକ୍ଷା ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି।

ଆବୁଧାବି: ଟିକାକରଣ ପ୍ରମାଣ ସହ ଆର୍‌ଟିପିସିଆର୍‌ ରିପୋର୍ଟ ଦରକାର
ଆବୁଧାବିର ଶେଖ୍ ଜାୟେଦ ଷ୍ଟାଡିୟମ୍‌ରେ ମ୍ୟାଚ୍ ଦେଖିବା ପାଇଁ ୧୬ ବର୍ଷରୁ ଅଧିକ ବୟସ୍କ ପ୍ରଶଂସକଙ୍କୁ ଟିକାକରଣ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ସେମାନଙ୍କୁ ସାଙ୍ଗରେ ୪୮ ଘଣ୍ଟା ପୂର୍ବରୁ ଆର୍‌ଟିପିସିଆର୍‌ ପରୀକ୍ଷା ରିପୋର୍ଟ ନେବାର ଦରକାର ନାହିଁ। ତେବେ ୧୨ରୁ ୨୫ ବର୍ଷ ବୟସ୍କ ପ୍ରଶଂସକ ଟିକାକରଣ ପ୍ରମାଣପତ୍ର ପରିବର୍ତ୍ତେ ଆର୍‌ଟି ପିସିଆର୍‌ ପରୀକ୍ଷା ରିପୋର୍ଟ ସାଙ୍ଗରେ ନେବାକୁ କୁହାଯାଇଛି। ୧୨ ବର୍ଷରୁ କମ୍ ପିଲାଙ୍କ ସହ ଅନ୍ୟୂନ ଜଣେ ସାବାଳକ (୨୧ ବର୍ଷରୁ ଅଧିକ) ରହିବା ନିହାତି ଦରକାର। ଏଠାରେ ମଧ୍ୟ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଭଳି ନିୟମକୁ କଡ଼ା କଡ଼ି ଭାବେ ଲାଗୁ କରାଯିବ।

ସମ୍ବନ୍ଧିତ ଖବର