ନୂଆଦିଲ୍ଲୀରେ ଗୋଭର୍ସ ଓ କେମ୍ପରମ୍ୟାନ୍‌ କିମିଆ

ନୂଆଦିଲ୍ଲୀରେ ୨୦୧୨-୧୩ରେ ଅନୁଷ୍ଠିତ ବିଶ୍ୱ ହକି ଲିଗ୍‌ ଫାଇନାଲରେ ଦୁଇ ଜଣ ଖେଳାଳି ଅଷ୍ଟ୍ରେଲିଆର କିରନ ଗୋଭର୍ସ ଏବଂ ନେଦରଲାଣ୍ଡର ରୋବର୍ଟ କେମ୍ପରମ୍ୟାନଙ୍କ ଯାଦୁ ଦେଖିବାକୁ ମିଳିଥିଲା। ଗୋଭର୍ସ ସର୍ବାଧିକ ୬ ଗୋଲ୍‌ ଦେଇଥିଲେ। ହେଲେ କେମ୍ପରମ୍ୟାନ୍‌ ନିଜ ଚମତ୍କାର ଷ୍ଟିକ୍‌ ଚାଳନା ପାଇଁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦୁର୍ଭାଗ୍ୟଜନକ ଭାବେ ଅଷ୍ଟ୍ରେଲିଆ ସେମିଫାଇନାଲରେ ନେଦରଲାଣ୍ଡଠାରୁ ହାରି ଯାଇଥିଲା। ନହେଲେ ଗୋଭର୍ସ ଆଉ କିଛି ଗୋଲ୍‌ ଦେଇ ଶ୍ରେଷ୍ଠ ଖେଳାଳି ହାତେଇବାର ଯଥେଷ୍ଟ ସମ୍ଭାବନା ଥିଲା। ତୃତୀୟ ସ୍ଥାନରେ ରହିଥିବା ଇଂଲଣ୍ଡର ଜର୍ଜ ପିନର କିନ୍ତୁ ପ୍ରତିଯୋଗିତାର ଶ୍ରେଷ୍ଠ ଗୋଲ୍‌ ରକ୍ଷକ ପୁରସ୍କାର ହାସଲ କରିଥିଲେ। ଭାରତ ଏହି ପ୍ରତିଯୋଗିତାରେ ନୈରାଶ୍ୟ ଜନକ ପ୍ରଦର୍ଶନ କରି ଷଷ୍ଠ ସ୍ଥାନରେ ରହିଥିଲା। ହେଲେ ଯୁବ ତାରକା ମନଦୀପ ସିଂହ ଏହି ସଂସ୍କରଣର ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ଜିତି ନେଇଥିଲେ। ତେବେ ପ୍ରତିଯୋଗିତାରେ ମୋଟ ୨୪ ମ୍ୟାଚ୍‌ ଖେଳା ଯାଇଥିଲା ବେଳେ ସେଥିମଧ୍ୟରେ ୧୧୪ ଗୋଲ୍‌ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ଭାରତ ୮ ଗୋଲ୍‌ ଦେଇଥିଲା। ଆୟୋଜକ ଦଳ ପକ୍ଷରୁ ମନଦୀପ ସିଂହ, ରୂପିନ୍ଦର ପାଲ ସିଂହ, ଧରମବୀର ସିଂହ, ଯୁବରାଜ ବାଲ୍ମିକୀ, ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା, ଚନ୍ଦନ ଥିମାୟା ଗୋଲ୍‌ ଦେଇଥିଲେ। ମନଦୀପ ଏବଂ ରୂପିନ୍ଦର ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲା ବେଳେ ଅନ୍ୟ ସମସ୍ତେ ଗୋଟିଏରେ ସୀମିତ ରହିଥିଲେ।

ସମ୍ବନ୍ଧିତ ଖବର