ନୂଆଦିଲ୍ଲୀ: ସଦ୍ୟ ସଂଶୋଧିତ ଜାତୀୟ କ୍ରୀଡ଼ା ନୀତି ବିଶେଷକରି ନେତାମାନଙ୍କ ପାଇଁ ଅଡୁଆ ହେବାକୁ ଯାଉଛି। ସଂଶୋଧିତ କ୍ରୀଡ଼ା ନୀତିରେ ଯେଉଁସବୁ ପ୍ରସ୍ତାବ ରଖାଯାଇଛି ଯଦି ସେଗୁଡ଼ିକ କାର୍ଯ୍ୟକାରୀ ହୁଏ, ତେବେ ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ସହିତ ପ୍ରଶାସକ (ସରକାରୀ ଅଧିକାରୀ) ଜାତୀୟ କ୍ରୀଡ଼ା ସଂଘଗୁଡ଼ିକ ସହିତ ଅନ୍ୟାନ୍ୟ ସ୍ୱୟଂକ୍ରିୟ କ୍ରୀଡ଼ା ସଂଘଗୁଡ଼ିକର ପ୍ରମୁଖ ପଦ ଅକ୍ତିଆର କରିବାକୁ ଅଯୋଗ୍ୟ ହେବେ। ସଂଶୋଧିତ ନୀତି ମଧ୍ୟ ଜାତୀୟ କ୍ରୀଡ଼ା ସଂଘଗୁଡ଼ିକରେ କ୍ରୀଡ଼ାବିତ୍ଙ୍କ ପ୍ରତିନିଧିତ୍ୱ ପାଇଁ ସୁପାରିସ କରିଛି। ସଂଶୋଧିତ ନୀତିରେ କ୍ରୀଡ଼ାବିତ୍ଙ୍କ ପାଇଁ ୨୦ ପ୍ରତିଶତ ଆସନ ସଂରକ୍ଷିତ ରଖିବାକୁ ଏବଂ ୪ ପ୍ରତିଶତ ମହିଳାଙ୍କ ପ୍ରତିନିଧିତ୍ୱ ପାଇଁ ସୁପାରିସ କରାଯାଇଛି। ଗୋଟିଏପଟେ ଭାରତୀୟ କ୍ରିକେଟ୍ରେ ଲୋଧା ସମିତି ସୁପାରିସ ମନ୍ତ୍ରୀ ଓ ସରକାରୀ କର୍ମଚାରୀଙ୍କୁ ବିସିସିଆଇର (ସଭାପତି, ଉପସଭାପତି, ସଂପାଦକ, ଯୁଗ୍ମ ସଂପାଦକ ଓ କୋଷାଧ୍ୟକ୍ଷ) ଉଚ୍ଚ ପଦପଦବିରୁ ବଞ୍ଚିତ କରିଥିଲା ବେଳେ ଏବେ ୨୦୧୧ କ୍ରୀଡ଼ା ନୀତିରେ ସଂଶୋଧନ ପ୍ରସ୍ତାବ ପୂରା ନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ଜାତୀୟ କ୍ରୀଡ଼ା ସଂଗଠନଗୁଡ଼ିକର ଉଚ୍ଚପଦରୁ ବଞ୍ଚିତ କରିବ। କେବଳ ସେତିକି ନୁହେଁ, ଜାତୀୟ କ୍ରୀଡ଼ା ସଂଘଗୁଡ଼ିକରେ ପଦ ଅକ୍ତିଆର କରିଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟ କିମ୍ବା ସଂପର୍କିୟମାନଙ୍କୁ ମଧ୍ୟ ସେମାନଙ୍କ ସ୍ଥାନରେ ନିର୍ବାଚିତ କରାଯାଇପାରିବ ନାହିଁ ବୋଲି ସୁପାରିସ କରାଯାଇଛି। ସଂଶୋଧିତ ନୀତି ଅନୁଯାୟୀ ପଦତ୍ୟାଗ କରିବାକୁ ଥିବା ବ୍ୟକ୍ତିମାନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ହିଁ ସେମାନଙ୍କ ପରିବାର ସଦସ୍ୟ କିମ୍ବା ସଂପର୍କିୟମାନେ ନିର୍ବାଚନ ଲଢ଼ିପାରିବେ ବୋଲି ପ୍ରସ୍ତାବରେ ସ୍ପଷ୍ଟ କରାଯାଇଛି। ଯଦି ସଂଶୋଧିତ ଜାତୀୟ କ୍ରୀଡ଼ା ନୀତି ସୁପାରିସ କାର୍ଯ୍ୟକାରୀ ହୁଏ, ତେବେ ଭାରତୀୟ ବ୍ୟାଡ୍ମିଣ୍ଟନ ସଂଘ (ବିଏଆଇ)ର ସଭାପତି ହିମନ୍ତ ବିଶ୍ୱ ଶର୍ମାଙ୍କୁ ପ୍ରଥମେ ପଦତ୍ୟାଗ କରିବାକୁ ପଡ଼ିବ। କାରଣ ହିମନ୍ତବିଶ୍ୱ ଶର୍ମା ଏବେ ଆସାମର ସ୍ୱାସ୍ଥ୍ୟ ମନ୍ତ୍ରୀ ରହିଛନ୍ତି। ସେହିପରି ଭାରତୀୟ କୁସ୍ତି ସଂଘ (ଡବ୍ଲୁଏଫ୍ଆଇ)ର ମୁଖ୍ୟ ବ୍ରିଜ୍ ଭୂଷଣ ଶରନ୍ ସିଂହ ମଧ୍ୟ ସମଦଶା ଭୋଗିବେ। ବ୍ରିଜ୍ ଭୂଷଣ ଉତ୍ତର ପ୍ରଦେଶରୁ କେଶରଗଞ୍ଜ୍ ସାଂସଦ ଅଛନ୍ତି। ଏଠାରେ ସୂଚନାଯୋଗ୍ୟ, ସଂଶୋଧିତ କ୍ରୀଡ଼ା ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ୯ ଜଣିଆ ସମିତି ଏକ ମୁଦ୍ରିତ ଲଫାପାରେ ଏହାର ସୁପାରିସପତ୍ର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଦାଖଲ କରିଛି। ଏହା ଏବେ ନ୍ୟାୟାଳୟର ବିଚାରାଧୀନ ରହିଛି।
ସଂଶୋଧିତ କ୍ରୀଡ଼ା ନୀତି ନେତାଙ୍କ ପାଇଁ ଅଡୁଆ
/sambad/media/post_attachments/wp-content/uploads/2017/10/mba_in_sports_management_tab1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)