ମାଞ୍ଚେଷ୍ଟର୍: ଚଳିତ ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳ ଅଳ୍ପକେ ଲର୍ଡସ ଟେଷ୍ଟ୍‌କୁ ହାରିଥିଲା। ଏହା ପୂର୍ବରୁ ବର୍ମିଂହାମ୍‌ରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ୍‌ରେ କିନ୍ତୁ ଇତିହାସ ରଚିଥିଲା। ବର୍ମିଂହାମର ଏଜ୍‌ବାଷ୍ଟନ୍‌ ଷ୍ଟାଡିୟମ୍‌ରେ ଚଳିତ ଗସ୍ତ ପୂର୍ବରୁ କେବେବି ବିଜୟୀ ହୋଇ ନଥିଲା ଭାରତ। ଏଥର ଟିମ୍ ଇଣ୍ଡିଆ ସେଠାରେ ବିଜୟ ବାନା ଉଡ଼ାଇବାର ଐତିହାସିକ ସଫଳତା ଲାଭ କରିଥିଲା। ମାଞ୍ଚେଷ୍ଟର୍‌ର ଓଲ୍‌ଡ ଟ୍ରାଫୋର୍ଡ ଷ୍ଟାଡିୟମ୍‌ରେ ପୂର୍ବରୁ ଭାରତ କେବେବି ଜିତିନି। ଏହି ଷ୍ଟାଡିୟମ୍‌ ମଧ୍ୟ ଭାରତ ପାଇଁ ଏବେବି ଅଭେଦ୍ୟ ଦୁର୍ଗ ହୋଇ ରହିଛି। ଏଣୁ ଆସନ୍ତା ୨୩ ତାରିଖରୁ ଏଠାରେ ଖେଳାଯିବାକୁ ଥିବା ଚଳିତ ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାର ଚତୁର୍ଥ ଟେଷ୍ଟ୍‌ରେ ଗିଲ୍ ବାହିନୀ ପାଖରେ ଆଉ ଏକ ନୂଆ ରେକର୍ଡ କରିବାର ସୁଯୋଗ ରହିବ। କେବଳ ନୂଆ ରେକର୍ଡର ସୁ‌ଯୋଗ ରହିବିନି, ୧-୨ରେ ପଛୁଆ ଥିବା ଭାରତ ପାଇଁ ଶୃଙ୍ଖଳା ବଞ୍ଚାଇବା ଲାଗି ମଧ୍ୟ ଏହା ଶେଷ ସୁଯୋଗ ହେବ। 

Advertisment

fshfhsbxvbbv

ପରିସଂଖ୍ୟାନ ଅନୁସାରେ ଓଲ୍‌ଡ ଟ୍ରାଫୋର୍ଡରେ ଭାରତ ଆଜି ପର୍ଯ୍ୟନ୍ତ ୯ଟି ଟେଷ୍ଟ୍ ଖେଳିଛି। ସେଥିମଧ୍ୟରୁ ଇଂଲଣ୍ଡ ୪ଟି ମ୍ୟାଚ୍ ଜିତିଥିଲା ବେଳେ ଭାରତ ଭାଗ୍ୟରେ ଗୋଟିଏ ହେଲେ ବି ମ୍ୟାଚ୍ ଜିତିବାର ସୁଯୋଗ ଜୁଟିନି। ଅନ୍ୟ ପାଞ୍ଚଟି ମ୍ୟାଚ୍‌କୁ ଅବଶ୍ୟ ଭାରତୀୟ କ୍ରିକେଟ୍ ଦଳ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଛି। ଭାରତ ଏଠାରେ ପ୍ରଥମ ଟେଷ୍ଟ୍ ୧୯୩୬ ମସିହାରେ ବିଜୟନଗରମ୍‌ ମହାରାଜାଙ୍କ ନେତୃତ୍ବରେ ଖେଳିଥିଲା। ସେବେଠାରୁ ଏଠାରୁ ଜିତିବା ଭାରତ ପାଇଁ ସ୍ବପ୍ନ ହୋଇ ରହିଛି।