ନୂଆଦିଲ୍ଲୀ: ଡିସେମ୍ବର ୧୯ରେ ଦୁବାଇରେ ହୋଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ନିଲାମିରେ ଝାଡଖଣ୍ଡର ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ରୋବିନ୍ ମିନ୍ଜ କୋଟିପତି ହୋଇଥିଲେ। ତାଙ୍କୁ ୩.୬କୋଟିରେ କିଣିଥିଲା ଗୁଜରାଟ ଟାଇଟାନ୍ସ। ଝାଡ଼ଖଣ୍ଡର ବାସିନ୍ଦ‌ା ୨୧ବର୍ଷୀୟ ରୋବିନଙ୍କ ବେସ୍ ପ୍ରାଇସ୍ ୨୦ଲକ୍ଷ ଟଙ୍କା ଥିଲା। ସେ ବିଭିନ୍ନ ଫ୍ରାଞ୍ଚାଇଜର ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ତାଙ୍କ ପାଇଁ ବିଭିନ୍ନ ଦଳ ବିଡ୍ କରିଥିଲେ। ହେଲେ ଶେଷରେ ତାଙ୍କୁ ୨୦୨୨ର ଚାମ୍ପିଅନ୍ ଦଳ ଗୁଜରାଟ ଟାଇଟନ୍ସ ନିଜ ଦଳରେ ସାମିଲ କରିଥିଲା। ରୋବିନଙ୍କୁ ଏତେ ବଡ଼ ସଫଳତା ଓ ସୁଯୋଗ ମିଳିବା ପରେ ତାଙ୍କ ବାପା ଫ୍ରାନସିସ୍ ଜାଭିଅର ମିନ୍ଜ ଏକ ବଡ଼ ଖୁଲାସା କରିଛନ୍ତି।

Advertisment

ଚେନ୍ନାଇ ସୁପର କିଙ୍ଗସ୍(ସିଏସକେ)ର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତାଙ୍କୁ ଦେଇଥିବା ପ୍ରତିଶ୍ରୁତି ବିଷୟରେ ଜଣାଇ ଫ୍ରାନସିସ୍ କହିଛନ୍ତି ଯେ, ମୁଁ ରାଞ୍ଚି ବିମାନବନ୍ଦରରେ ସୁରକ୍ଷା ଗାର୍ଡ ଭାବେ କାମ କରେ। ମୋ ପୁଅ ଭଲ ଖେଳେ ବୋଲି ଧୋନି ଭଲ ଭାବରେ ଜାଣନ୍ତି। ମୁଁ ନିକଟରେ ଧୋନିଙ୍କୁ ବିମାନବନ୍ଦରରେ ଭେଟିଥିଲି। ସେ ମୋତେ କହିଥିଲେ, ଫ୍ରାନସିସ୍ ଯଦି କେହି ନନେବେ, ତାହାଲେ ଆମେ ନେବୁ। ଅର୍ଥାତ୍ କୌଣସି ଦଳ ଯଦି ମୋ ପୁଅକୁ ନକିଣିଥାନ୍ତେ, ତେବେ ସିଏସକେ ରୋବିନଙ୍କୁ ଦଳରେ ସାମିଲ କରିଥାନ୍ତା।

ତେବେ ରୋବିନ୍ ଆଇପିଏଲ ୨୦୨୪ରେ ନିଜର ଡେବ୍ୟୁ କରିପାରନ୍ତି। ପ୍ଲେଇଂ ଇଲେଭେନରେ ଗୋଟାଏ ସ୍ଥାନ ଥିବା ବେଳେ ଦଳ ରୋବିନ ନା ଅଭିଜ୍ଞ ଭାରତୀୟ କିପର୍ ଋଦ୍ଧିମାନ ସାହାଙ୍କୁ ସାମିଲ କରିବ ତାହା ଦେଖିବାକୁ ବାକି ରହିଲା।