ଯୋଡ଼ିହେବ ନୂଆ ଫର୍ଦ

ଭୁବନେଶ୍ବର ବିଶ୍ବକପ୍ ଅବସରରେ ହକି ଇତିହାସରେ ଅନେକ ନୂଆ ଫର୍ଦ ‌ଯୋଡ଼ିହେବ। ଏକାଧିକ ଖେଳାଳି ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁବେ। ଦଳଗତ ଭାବେ ଚୀନ୍‌ କଳିଙ୍ଗ ମାଟିରେ ତା’ର ପ୍ରଥମ ବିଶ୍ବକପ୍ ଖେଳିବ। ପୂର୍ବ ଭାରତରେ ପ୍ରଥମ ଥର ପାଇଁ ପୁରୁଷ ହକି ବିଶ୍ବକପ୍ ପାଦ ଥାପିବ। ଉଦ୍‌ଘାଟନୀ ଉତ୍ସବର ବିରାଟ ଆୟୋଜନ ସହ ଓଡ଼ିଶାର ଆତିଥେୟତା ହକି ଦୁନିଆ ପାଇଁ ନୂଆ ମାନଦଣ୍ଡ ସ୍ଥାପିତ କରିବ। କଳିଙ୍ଗ ହକି ବିଶ୍ବଯୁଦ୍ଧ ମଧ୍ୟ ହକି ପ୍ରେମୀଙ୍କ ହୃଦୟରେ ସବୁଦିନ ପାଇଁ ଅଭୁଲା ସ୍ମୃତି ହୋଇ ରହିବ। ସେମାନଙ୍କ ହୃଦୟରେ ହକି ଏବଂ ସ୍ମୃତିରେ ଭୁବନେଶ୍ବର ଅଲିଭା‌ ଛାପ ଛାଡ଼ିବ। ଚତୁର୍ଦଶ ବିଶ୍ବକପ୍‌ର ୧୪ ନୂଆ ପରିସଂଖ୍ୟାନ ଏଭଳି ରହିବ।
୧. ଭୁବନେଶ୍ବରରେ ‘ପୁରୁଷ ହକି ବିଶ୍ବକପ୍‌’ ପ୍ରଥମ ଥର ପାଇଁ ୪ କ୍ବାର୍ଟର ନିୟମରେ ଖେଳାଯିବ।
୨. ବିଶ୍ବକପ୍ ୧୯ ଦିନ ଧରି ଚାଲିବ, ୩୬ ମ୍ୟାଚ୍ ଖେଳାଯିବ।
୩. ପ୍ରଥମ ଥର ପାଇଁ କ୍ରସ୍‌ଓଭର ମ୍ୟାଚ୍‌ରୁ କ୍ବାର୍ଟର ଫାଇନାଲ୍ ଯିବାର ସୁଯୋଗ ରହିବ।
୪. ୧୯୮୨ (ବମ୍ବେ) ଓ ୨୦୧୦ (ଦିଲ୍ଲୀ) ପରେ ଭାରତ ତୃତୀୟ ଥର ପାଇଁ ବିଶ୍ବକପ୍ ଆୟୋଜନ କରିବ।
୫. ୨୦୦୨ ମସିହା ପରେ ପ୍ରଥମ ଥର ପାଇଁ ପୁରୁଷ ହକି ବିଶ୍ବକପ୍‌ରେ ୧୬ ଦଳ ଖେଳିବେ।
୬. ବିଶ୍ବ ମାନ୍ୟତାର ଶ୍ରେଷ୍ଠ ୧୬ ମଧ୍ୟରେ ଥିବା ଦଳଗୁଡ଼ିକ ମଧ୍ୟରୁ କେବଳ ଦକ୍ଷିଣ କୋରିଆ (ଚତୁର୍ଦଶ ସ୍ଥାନ) ଓ ଜାପାନ (‌ଷୋଡ଼ଶ) ଭୁବନେଶ୍ବର ବିଶ୍ବକପ୍‌ରୁ ବଞ୍ଚିତ ହେବେ।
୭. ପୁରୁଷ ହକି ବିଶ୍ବକପ୍‌ରେ ଚୀନ୍‌ କଳିଙ୍ଗ ଷ୍ଟାଡିୟମରେ ପଦାର୍ପଣ କରିବ।
୮. ଫ୍ରାନ୍ସ ଦୀର୍ଘ ୨୮ ବର୍ଷ ପରେ ବିଶ୍ବକପ୍‌କୁ ଫେରିବ। ଶେଷ ଥର ପାଇଁ ଫ୍ରାନ୍ସ ୧୯୯୦ରେ ପୁରୁଷ ହକି ବିଶ୍ବକପ୍ ଖେଳିଥିଲା।
୯. ବିଶ୍ବ ମାନ୍ୟତାର ୨୦ତମ ସ୍ଥାନରେ ଥିବା ଫ୍ରାନ୍ସ ହେଉଛି ଭୁବନେଶ୍ବର ବିଶ୍ବକପ୍‌ର ସର୍ବନିମ୍ନ ମାନ୍ୟତାପ୍ରାପ୍ତ ଦଳ।
୧୦. ଗହିରମଥାର ବିରଳ ଅଲିଭ୍‌ରିଡଲେ କଇଂଚର ସୁରକ୍ଷା‌ ବାର୍ତା ନେଇ ଚତୁର୍ଦଶ ହକି ବିଶ୍ବକପ୍ ମାସ୍କଟର ନାଁ ‘ଓଲି’ ରଖାଯାଇଛି।
୧୧. ବିଶ୍ବକପ୍‌ ଲାଗି ରାଜଧାନୀ ଭୁବନେଶ୍ବରକୁ ସରସ ଓ ସୁନ୍ଦର କରିବା ଲାଗି ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ କରାଯାଇଛି।
୧୨. ବୁଧବାର ଭାରତର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଉପଅଧିନାୟକ ଚିଙ୍ଗଲାସନା ସିଂହ ନିଜ ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ।
୧୩. ଭାରତର ୧୯ ବର୍ଷୀୟ ତାରକା ହାର୍ଦିକ ସିଂହ ହକି ଇଣ୍ଡିଆ ଲିଗ୍‌ର ଉଦ୍‌ଘାଟନୀ ସଂସ୍କରଣ (୨୦୧୩)ରେ ଜଣେ ବଲ୍ ବଏ ଥିଲେ।
୧୪. ୧୯୭୧ ମସିହାରୁ ପ୍ରଦାନ କରାଯାଉଥିବା ବିଶ୍ବକପ୍‌ ଟ୍ରଫିକୁ ପାକିସ୍ତାନର ବସିର ମୁଜିଦ ନାମକ ଜଣେ ଶିଳ୍ପୀ ଡିଜାଇନ୍ କରିଥିଲେ। ପାକିସ୍ତାନ ସେନା ଏବଂ ଇଲେଟ୍ରିକାଲ ଓ ମେକାନିକାଲ ଇଞ୍ଜିନିୟର୍ସ କର୍ପର ସଦସ୍ୟମାନେ ଏଥିରେ ସହାୟତା କରିଥିଲେ।

ପୂର୍ବ ଭାରତରେ ପ୍ରଥମ

ପୁରୁଷ ହକି ବିଶ୍ବକପ୍ ଆୟୋଜନ ହେବାର ପରମ୍ପରା ୧୯୭୧ ମସିହାରୁ ଆରମ୍ଭ ‌ହୋଇଥିଲା। ଆଜି ପର୍ଯ୍ୟନ୍ତ ଏହାର ତେରଟି ସଂସ୍କରଣ ଆୟୋଜନ ହୋଇ ସାରିଲାଣି। ଭୁବନେଶ୍ବରରେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ‌ହେବାକୁ ଥିବା ବିଶ୍ବ ଲଢ଼େଇ ହକି ବିଶ୍ବକପ୍‌ର ଚତୁର୍ଦଶ ସଂସ୍କରଣ ହେବ। ତେବେ ପୂର୍ବ ଭାରତରେ ପୁରୁଷ ହକି ବିଶ୍ବକପ୍ ପ୍ରଥମ ଥର ପାଇଁ ପାଦ ଥାପିବ। ଯାହା ଏହି ଅଞ୍ଚଳର ହକି ଦୁନିଆ ପାଇଁ ନିଆରା ଏବଂ ପ୍ରତୀକ୍ଷିତ ଉପହାର ହୋଇଛି। ଭାରତରେ ବିଶ୍ବକପ୍ ପ୍ରଥମ ଥର ପାଇଁ ୧୯୮୨ ମସିହାରେ ଆୟୋଜିତ ହୋଇଥିଲା। ବିଶ୍ବକପ୍‌ର ଚତୁର୍ଥ ସଂସ୍କରଣ ସେତେବେଳର ବମ୍ବେ ଓ ଏବର ମୁମ୍ବାଇ ସହରରେ ବହୁ ଆଡ଼ମ୍ବରରେ ଆୟୋଜିତ ହୋଇଥିଲା। ବମ୍ବେର ବିଏଚ୍‌ଏ ଷ୍ଟାଡିୟମରେ ଏହି ବିଶ୍ବକପ୍ ଖେଳା ଯାଇଥିଲା। ସେହି ସଂସ୍କରଣରେ ୧୨ ଦଳ ଅଂଶ ଗ୍ରହଣ କରିଥିଲେ। ପାକିସ୍ତାନ ବିଜେତା ହୋଇଥିଲା ବେଳେ ଆୟୋଜକ ଭାରତ ପଞ୍ଚମ ସ୍ଥାନରେ ରହିଥିଲା। ବିଶ୍ବକପ୍ ଦୀର୍ଘ ୨୮ ବର୍ଷର ବ୍ୟବଧାନ ପରେ ୨୦୧୦ରେ ଭାରତକୁ ଫେରିଥିଲା। ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଏହା ଖେଳା ଯାଇଥିଲା। ଏଥିରେ ଅଷ୍ଟ୍ରେଲିଆ ବିଜେତା ହୋଇଥିଲା ବେଳେ ଭାରତ ଅଷ୍ଟମ ସ୍ଥାନରେ ରହିଥିଲା। ୨୦୧୮ର ଚତୁର୍ଦଶ ବିଶ୍ବକପ୍‌ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ। ଏଥିରେ ୧୬ ଦଳ ଅଂଶ ଗ୍ରହଣ କରିବେ। ଭୁବନେଶ୍ବର ମଧ୍ୟ ପୂର୍ବ ଭାରତର ପ୍ରଥମ ସହର ଭାବେ ହକି ବିଶ୍ବକପ୍ ଆୟୋଜନ କରିବାର ଗୌରବ ବହନ କରିବ। ଭାରତର ପଶ୍ଚିମ ଏବଂ ଉତ୍ତର ଉପକୂଳ ପରେ ହକି ବିଶ୍ବକପ୍ ପୂର୍ବତଟରେ ପ୍ରବେଶ କରିବ। ହକି ଦୁନିଆର ସବୁଠାରୁ ବଡ଼ ମହୋତ୍ସବ ଓଡ଼ିଶା ଆସିବ। ଦୀର୍ଘ ବର୍ଷ ହେବ ଭାରତୀୟ ହକିର ଅନ୍ୟତମ ଗଡ଼ ଭାବେ ପରିଚିତ ହୋଇ ଆସୁଥିବା ଓଡ଼ିଶା ହକିରେ ମଧ୍ୟ ନୂଆ ଅଧ୍ୟାୟ ଯୋଡ଼ିହେବ। ଭୁବନେଶ୍ବର ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ମିନି ବିଶ୍ବରେ ପରିଣତ ହେବ।

ସମ୍ବନ୍ଧିତ ଖବର