ବୁଦାପେଷ୍ଟ: ଏଠାରେ ଆୟୋଜିତ ୪୫ତମ ଚେସ୍‌ ଅଲିମ୍ପିଆଡ୍‌ରେ ରବିବାର ଭାରତ ଇତିହାସ ରଚିଛି। ଉଭୟ ପୁରୁଷ ଓ ମହିଳା ଦଳ ପ୍ରଥମ ଥର ବିଜେତା ହୋଇ ଭାରତୀୟ ଚେସ୍‌ ଇତିହାସରେ ନୂଆ ଫର୍ଦ ଯୋଡ଼ିଛନ୍ତି। ଡି ଗୁକେଶ, ଅର୍ଜୁନ ଇରିଗାସି ଓ ଆର୍‌ ପ୍ରଜ୍ଞାନନ୍ଦଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଦଳ ଶେ‌ଷ ରାଉଣ୍ଡରେ ସ୍ଲୋଭେନିଆକୁ ୩-୦ରେ ପରାସ୍ତ କରି ବିଜେତାର ହେବାର ଗୌରବ ଅର୍ଜନ କରିଛି। ଓପନ୍‌ ବର୍ଗରେ ଭାରତକୁ ପ୍ରଥମ ମୁକୁଟ ଦେବାରେ ବିଶ୍ବ ଚାମ୍ପିଅନ୍‌ସିପ୍‌ ଖେଳିବାକୁ ଯାଉଥିବା ଗୁକେଶ ଓ ଅର୍ଜୁନ ପ୍ରମୁଖ ଭୂମିକା ନେଇଥିଲେ। ୧୮ ବର୍ଷୀୟ ‌ଗୁକେଶ କଡ଼ା ସଂଘର୍ଷ କରି ଭ୍ଲାଡିମିର ଫେଡୋସେଭ୍‌ଙ୍କୁ ହରାଇଥିଲେ। ଅର୍ଜୁନ ତୃତୀୟ ବୋର୍ଡରେ ଜାନ୍‌ ସୁବେଲିଙ୍କୁ ପରାସ୍ତ କରିଥିଲା ବେଳେ ଦ୍ବିତୀୟରେ ପ୍ରଜ୍ଞାନନ୍ଦ ଚମତ୍କାର ପ୍ରଦର୍ଶନ ଦେଇ ଆଣ୍ଟୋନି ଡେମଚେଙ୍କୋକୁ ହରାଇଥିଲେ। ଏହି ବିଜୟ ସହ ଭାରତ ୨୨ରୁ ୨୧ ପଏଣ୍ଟ କରାୟତ୍ତ କରିଥିଲା। ପ୍ରତିଯୋଗିତାରେ ଭାରତ କେବଳ ଉଜବେକିସ୍ତାନ ସହ ଡ୍ର’ ରଖିଥିଲା ବେଳେ ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇଥିଲା। ଭାରତୀୟ ଦଳରେ ବିଦିତ ଗୁଜରାଟୀ ଓ ପେଣ୍ଟାଲା ହରେକୃଷ୍ଣ ମଧ୍ୟ ଥିଲେ। ଭାରତୀୟ ପୁରୁଷ ଦଳ ପୂର୍ବରୁ ଦୁଇ ଥର ‌୨୦୨୨ରେ ଚେନ୍ନାଇ ଏବଂ ୨୦୧୪ରେ ନରୱେର ଟ୍ରୋମସୋରେ କାଂସ୍ୟ ଜିତିଥିଲା।

Advertisment

ମହିଳା ଦଳ ୩.୫-୦.୫ରେ ଆଜରବୈଜାନକୁ ହରାଇ ଭାରତକୁ ଯୁଗଳ ମୁକୁଟ ‌ଭେଟି ଦେଇଥିଲେ। ଡି ହାରିକା ପ୍ରଥମ ବୋର୍ଡରେ ମମାଡଜାଡା ଗୁନାୟଙ୍କୁ ହରାଇଥିଲେ। ତେବେ ଆର୍‌ ବୈଶାଳି ଦ୍ବିତୀୟ ବୋର୍ଡ ଫତାଲିୟେଭା ୟୁଲଭିୟାଙ୍କ ସହ ପଏଣ୍ଟ ବାଣ୍ଟିଥିଲେ। ଏହା ପର ଦୁଇ ବୋର୍ଡରେ ଦିବ୍ୟା ଦେଶମୁଖ ଓ ବନ୍ତିକା ଅଗ୍ରୱାଲ ଯଥାକ୍ରମେ ବେଦୁଲୟେଭା ଗୋବହର ଓ ବାଲାଜୟେଭା ଖାନିମଙ୍କୁ ହରାଇ ଭାରତକୁ ପୂରା ୨ ପଏଣ୍ଟ ଦେଇଥିଲେ। ଫଳରେ ଭାରତ ୨୨ରୁ ୧୯ ପଏଣ୍ଟ ପାଇ କାଜାଖସ୍ତାନ (୧୮)କୁ ପଛରେ ପକାଇ ସ୍ବର୍ଣ୍ଣ ଜିତି ନେଇଥିଲା। ୧୦ ରାଉଣ୍ଡ ସୁଦ୍ଧା ଭାରତ ଓ କାଜାଖସ୍ତାନ ସମାନ ୧୭ ପଏଣ୍ଟ ପାଇ ଯୁଗ୍ମ ଶୀର୍ଷରେ ଥିଲେ। ଏକାଦଶ ରାଉଣ୍ଡରେ କାଜାଖସ୍ତାନ-ଆମେରିକା ମ୍ୟାଚ୍‌ ଡ୍ର’ରେ ଶେ‌ଷ ହେବାରୁ ଭାରତ ଆଗରେ ରହିଥିଲା।