ଭୁବନେଶ୍ବର: ଓଡ଼ିଶା ଟେନିସ୍ ଇତିହାସରେ ଶନିବାର ନୂଆ ଇତିହାସ ଯୋଡ଼ି ହୋଇଛି। ପ୍ରଥମ ଓଡ଼ିଆ ଝିଅ ଭାବେ ଜାତୀୟ ପ୍ରତିଯୋଗିତାର ଫାଇନାଲ୍କୁ ଉଠି ଉପବିଜୟିନୀ ହୋଇଛନ୍ତି ଭୁବନେଶ୍ବରର ୧୨ ବର୍ଷୀୟା ସ୍କୁଲ୍ ଛାତ୍ରୀ ସୋହିନୀ ମହାନ୍ତି। ମୁମ୍ବାଇରେ ଶନିବାର ଉଦ୍ଯାପିତ ଜାତୀୟ ପ୍ରତିଯୋଗିତାର ୧୪ ବର୍ଷରୁ କମ୍ ବର୍ଗର ଉଭୟ ବାଳିକା ଏକକ ଓ ଯୁଗଳ ବର୍ଗରେ ସୋହିନୀ ଉପବିଜୟିନୀ ହୋଇ ବିରଳ ‘ଡବଲ୍’ ଅର୍ଜନ କରିଛନ୍ତି। ଜାତୀୟ ମାନ୍ୟତାରେ ୫୧ ନମ୍ବର ସ୍ଥାନରେ ଥିବା ସୋହିନୀ ଫାଇନାଲ୍ ଉଠିବା ବାଟରେ ଦେଶର ଦ୍ବିତୀୟ ଓ ଷଷ୍ଠ ମାନ୍ୟତା ଖେଳାଳିଙ୍କୁ ହରାଇଥିଲେ। ହେଲେ ଶନିବାର ଫାଇନାଲରେ ସୋହିନୀ ଏକକରେ ମହାରାଷ୍ଟ୍ରର ଆଶ୍ମି ଅଦକାରଙ୍କଠାରୁ ୬-୧, ୪-୬, ୨-୬ରେ ହାରିଯାଇଥିଲେ।
ଦିଲ୍ଲୀର ମାନସୀ ସିଂହଙ୍କୁ ସାଥୀ କରି ଖେଳି ବାଳିକା ଯୁଗଳ ଫାଇନାଲରେ ମଧ୍ୟ ୭-୫, ୪-୬, ୧-୧୦ (ସୁପର୍ ଟାଇବ୍ରେକ୍)ରେ ହାରିଯାଇଥିଲେ। ପଟିଆସ୍ଥିତ ଫାରାହାନ୍ ଅଲୀ ଟେନିସ୍ ଏକାଡେମିରେ ପ୍ରଶିକ୍ଷିତ ସୋହିନୀ ମାତ୍ର ୧୨ ବର୍ଷ ବୟସରେ ୫୯ଟି ସର୍ବଭାରତୀୟ ଟ୍ରଫି ଜିତି ସାରିଛନ୍ତି। ଚଳିତ ମାସରେ ହରିୟାଣାରେ ଚାମ୍ପିଅନସିପ୍ ସିରିଜ୍ରେ ଦୁଇ ଥର ଦ୍ବିମୁକୁଟ ଅର୍ଜନ କରି ମୁମ୍ବାଇ ପହଞ୍ଚିଥିବା ସୋହିନୀ ଜାତୀୟ ସ୍ତରରେ ବଡ଼ ଅଗ୍ରଗତି ହାସଲ କରିଛନ୍ତି। କିଟ୍ ଅନ୍ତର୍ଜାତୀୟ ସ୍କୁଲ୍ର ଛାତ୍ରୀ ସୋହିନୀଙ୍କୁ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି। କଠିନ ପରିଶ୍ରମ ଏବଂ ସଙ୍କଳ୍ପବଦ୍ଧତା କାରଣରୁ ସୋହିନୀ ଭାରତୀୟ ଡେଭିସ୍ କପ୍ ଜୁନିୟର୍ (୧୨ ବର୍ଷରୁ କମ୍) ଦଳରେ ସ୍ଥାନ ପାଇପାରିଛନ୍ତି ବୋଲି ଖୁସିର ସହ କହିଛନ୍ତି ତାଙ୍କ ଗୁରୁ ଫାରହାନ୍ ଅଲୀ। ସୋହିନୀଙ୍କ ସଫଳତା ଓଡ଼ିଶା ଟେନିସ୍କୁ ନୂଆ ଦିଶା ଦେଖାଇବ ବୋଲି ଆଶା ପ୍ରକାଶ କରିଛନ୍ତି ରାଜ୍ୟର ପୂର୍ବତନ ଏକ ନମ୍ବର ଖେଳାଳି ତଥା ପ୍ରଶିକ୍ଷକ ସନ୍ତୋଷ କୁମାର ମଲ୍ଲିକ।