ଲକ୍ଷ୍ନୌ ଓ ଅହମଦାବାଦ ଆଇପିଏଲର ଦୁଇ ନୂଆ ଦଳ ; ବାଦ ପଡ଼ିଲା କଟକ

ଲକ୍ଷ୍ନୌକୁ କିଣିଲା ଆରପିଏସଜି ଗ୍ରୁପ ଓ ଅହମଦାବାଦକୁ କିଣିଲା ସିଭିସି କ୍ୟାପିଟାଲ

ଦୁବାଇ : ଆଇପିଏଲ ୨୦୨୨ରେ ଦୁଇଟି ନୂଆ ଦଳ ଦେଖିବାକୁ ମିଳିବ । ସେଗୁଡ଼ିକ ହେଉଛି ଅହମଦାବାଦ ଓ ଲକ୍ଷ୍ନୌ  । ଲକ୍ଷ୍ନୌ ଫ୍ରାଞ୍ଚାଇଜିକୁ ଆରପି- ସଂଜୀବ ଗୋଏଙ୍କା ଗ୍ରୁପ (ଆରପିଏସଜି) ୭୦୯୦ କୋଟି ଟଙ୍କାରେ ଖରିଦ କରିଛି । ସେହିପରି ଅହମଦାବାଦ ଦଳକୁ ୫୧୬୬ କୋଟି ଟଙ୍କାରେ ଲକଜମ୍ବର୍ଗର ଇନଭେଷ୍ଟମେଣ୍ଟ କମ୍ପାନି ସିଭିସି କ୍ୟାପିଟାଲ ଖରିଦ କରିଛି ।

ଆଜି ଦୁବାଇରେ ଅନୁଷ୍ଠିତ ଆଇପିଏଲ ବିଡିଂ ପରେ ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ବିସିସିଆଇ ପକ୍ଷରୁ ୬ଟି ନୂଆ ଦଳ ପାଇଁ ଅଫର ରଖାଯାଇଥିଲା । ସେଗୁଡ଼ିକ ହେଉଛି କଟକ, ଅହମଦାବାଦ, ଲକ୍ଷ୍ନୌ, ଧର୍ମଶାଳା, ଗୁଆହାଟୀ ଓ ଇନ୍ଦୋର । ଏହି ବିଡିଂ ପ୍ରକ୍ରିୟାରେ ମୋଟ ୧୦ଟି କମ୍ପାନି ଅଂଶଗ୍ରହଣ କରିଥିଲେ ।

କଟକ ଟିମ ପାଇଁ ଶିଳ୍ପପତି ନବୀନ ଜିନ୍ଦଲ ବିଡ କରିବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । କିନ୍ତୁ କଟକ ଫ୍ରାଞ୍ଚାଇଜି ଦୌଡ଼ରୁ ବାଦ ପଡ଼ିଛି । ଅହମଦାବାଦ ଓ ଲକ୍ଷ୍ନୌ ଉପରେ ସର୍ବାଧିକ ବିଡ ଆସିବା ପରେ ଏହି ଦୁଇ ଦଳ ଉପରେ ବିସିସିଆଇ ମୋହର ମାରିଛି ।

ଏହି ନିଲାମ ପ୍ରକ୍ରିୟାରେ କୋଟାକ ମହିନ୍ଦ୍ରା ଗ୍ରୁପ, ହିନ୍ଦୁସ୍ଥାନ ଟାଇମ୍ସ ଗ୍ରୁପ, ଅଦାନି ଗ୍ରୁପ, ଫୁଟବଲ ଟିମମାଞ୍ଚେଷ୍ଟର ୟୁନାଇଟେଡର ମାଲିକ ଗ୍ଲେଜର ପରିବାର ଆଦି ଭାଗ ନେଇଥିଲେ ।

ସମ୍ବନ୍ଧିତ ଖବର