ନୂଆ ଜର୍ସିରେ ବିଶ୍ୱକପ୍‌

ମୁମ୍ବାଇରେ ହକି କିମ୍ବଦନ୍ତୀଙ୍କ ଉପସ୍ଥିତିରେ ଉନ୍ମୋଚିତ ହେଲା

ଭୁବନେଶ୍ୱର: ଭୁବନେଶ୍ୱର ହକି ବିଶ୍ୱକପ୍‌ ଲାଗି ଶୁକ୍ରବାର ଭାରତୀୟ ହକି ଦଳର ନୂଆ ଜର୍ସି ମୁମ୍ବାଇଠାରେ ଉନ୍ମୋଚିତ ହୋଇ ଯାଇଛି। ପ୍ରତିଷ୍ଠିତ ଫେସନ ଡିଜାଇନର ନରେନ୍ଦ୍ର କୁମାର ଏହାକୁ ଡିଜାଇନ୍‌ କରିଛନ୍ତି। ଏହି ଜର୍ସି ଏବଂ ବ୍ଲେଜର ବିଶ୍ୱକପ୍‌ ବେଳେ ଭାରତୀୟ ଦଳର ମନୋବଳ ବଢ଼ାଇବ ବୋଲି ଆଶା କରାଯାଉଛି। ଜର୍ସିରେ କୋଣାର୍କ ଚକ୍ରକୁ ସ୍ଥାନ ଦିଆଯାଇଥିଲା ବେଳେ ଛାତିରେ ଥିବା ବଡ଼ ଚିହ୍ନ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଦର୍ଶାଉଛି। ‘ଭାରତରେ ଓଡ଼ିଶାରୁ ହିଁ ସୂର୍ଯ୍ୟ ଉଦୟ  ହୋଇଥାଏ,  ଭାରତୀୟ ହକିରେ ମଧ୍ୟ ସଂପ୍ରତି ନୂଆ ସୂର୍ଯ୍ୟ ଉଦୟ ହୋଇଛି’ ଏହି ସକାରାତ୍ମକ ଭାବନାକୁ ନେଇ ନୂଆ ଜର୍ସି ପ୍ରସ୍ତୁତ କରିଛନ୍ତି ନରେନ୍ଦ୍ର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ୱତନ୍ତ୍ର ବାର୍ତା ଦେଇଥିଲେ। ଏହି ଅବସରରେ ବିଶ୍ୱକପ୍‌ ଲାଗି ସମର୍ଥନ ଯୋଗାଡ଼ ଉଦ୍ଦେଶ୍ୟ ନେଇ www.heartbeatshockey.com ନାମରେ ଏକ େଓ୍ଵବ୍‌ସାଇଟ୍‌ର ଆରମ୍ଭ ମଧ୍ୟ କରାଯାଇଥିଲା।

ଆଜି ମୁମ୍ବାଇରେ ଆୟୋଜିତ ମନୋଜ୍ଞ ଉତ୍ସବରେ ଭାରତୀୟ ହକି ଦଳର ସମସ୍ତ ସଦସ୍ୟଙ୍କ ସହ ପ୍ରଶିକ୍ଷକ ହରେନ୍ଦ୍ର ସିଂହ, ହକି ଇଣ୍ଡିଆ ମହାସଚିବ ମୁସ୍ତାକ ଅହମ୍ମଦ ଏବଂ ଅଜିତ ପାଲ୍‌ ସିଂହ, ଅଶୋକ କୁମାର, ଧନରାଜ ପିଲ୍ଲେ, ଦିଲୀପ ତିର୍କି ଓ ସନ୍ଦୀପ ସିଂହଙ୍କ ଭଳି  ଭାରତୀୟ ହକି କିମ୍ବଦନ୍ତୀ ଉପସ୍ଥିତ ଥିଲେ।  ଭାରତୀୟ ଖେଳାଳିମାନେ ନୂଆ ଜର୍ସି ପିନ୍ଧି ଫଟୋ ପୋଜ୍‌ ଦେଇଥିଲେ।

ଜାକର୍ତା ଏସିଆଡ଼୍‍ରେ ପଦକ ଜିତିଥିବା ଦୁଇ ଅଭିଜ୍ଞ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା, ଅମିତ ରୋହି ଦାସଙ୍କ ସହ ଉଦୀୟମାନ ତାରକା ଦୀପସାନ୍‌ ତିର୍କି, ନୀଲମ ସଞ୍ଜୀବ ଖେସ୍‌ ଓ ଆନନ୍ଦ ଲାକ୍ରାଙ୍କୁ ମଧ୍ୟ ଭାରତୀୟ ଦଳର ନୂଆ ଜର୍ସିରେ ଦେଖିବାକୁ ମିଳିଥିଲା। ସେହିଭଳି ଶୁକ୍ରବାର ସମାନ୍ତରାଳ ଭାବେ  ‘ହକି ଆଡ୍ଡା’ ନାମକ ଏକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା। ଏଥିରେ ବହୁ ସାଂପ୍ରତିକ ଏବଂ ପୂର୍ବତନ ହକି ତାରକା ଅଂଶ ଗ୍ରହଣ କରିଥିଲେ।  ରାଜ୍ୟ କ୍ରୀଡ଼ା ସଚିବ ବିଶାଳ ଦେବ କହିଥିଲେ ଯେ ଭାରତରେ ହକି ଏକ ଖେଳ ଭାବେ ନୂଆ ସ୍ତର ଛୁଇଁଛି।  ବିଗତ କିଛି ବର୍ଷ ମଧ୍ୟରେ ଭାରତୀୟ ହକି ଦଳ କରିଥିବା ଉନ୍ନତ ପ୍ରଦର୍ଶନ ପାଇଁ ଏହା ସମ୍ଭବ ହୋଇ ପାରିଛି। ଓଡ଼ିଶା ଆସି ଭାରତୀୟ ହକି ଦଳକୁ ସମର୍ଥନ କରିବାକୁ ଆମେ ସମସ୍ତଙ୍କୁ ଆହ୍ଵାନ କରୁଛୁ।

ସମ୍ବନ୍ଧିତ ଖବର