ମୁଲାନପୁର: ଚଳିତ ଆଇପିଏଲ୍ରେ ପଞ୍ଜାବ କିଙ୍ଗ୍ସକୁ ରୋମାଞ୍ଚକ ଭାବେ ୯ ରନ୍ରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ନୂଆ ଜୀବନ ପାଇଛି। ସପ୍ତମ ମ୍ୟାଚ୍ରୁ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ତୃତୀୟ ବିଜୟ ସହ ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ଘରୋଇ ପଞ୍ଜାବ କିଙ୍ଗ୍ସ ସପ୍ତମ ମ୍ୟାଚ୍ରୁ ପଞ୍ଚମ ପରାଜୟ ବରଣ କରି ନବମ ସ୍ଥାନକୁ ଖସିଯାଇଛି। ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ପରେ ଯଶପ୍ରୀତ୍ ବୁମ୍ରା ଓ ଗେରାଲ୍ଡ କୋଏତ୍ଜେ ମିଳିତ ଭାବେ ୮ ଓଭରରେ ୫୩ ରନ୍ ବିନିମୟରେ ୬ ୱିକେଟ୍ ଦଖଲ କରି ମୁମ୍ବାଇକୁ ନିହାତି ଆବଶ୍ୟକ ବିଜୟ ଦେଇଛନ୍ତି। ପ୍ରୀତି ଜିଣ୍ଟାଙ୍କ ପଞ୍ଜାବ ଦଳ ପାଇଁ ଦୁଇ ଯୁବ ଭାରତୀୟ ଆଶୁତୋଷ ଶର୍ମା (୨୮ ବଲ୍ରୁ ୬୧ ରନ୍) ଓ ଶଶାଙ୍କ ସିଂହ (୨୫ ବଲ୍ରୁ ୪୧ ରନ୍) ଲଢ଼ିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନାହିଁ। ବୁମ୍ରା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ସଂଘର୍ଷରତ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଈଶାନ କିଶନ (୮ ରନ୍) ସଅଳ ଆଉଟ୍ ହୋଇଯାଇଥିଲେ। ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଦ୍ବିତୀୟ ୱିକେଟ୍ ପାଇଁ ୮୧ ରନ୍ ଭାଗୀଦାରି କରିବାରୁ ଭ୍ରମଣକାରୀ ଦଳ ଭଲ ମଞ୍ଚ ପ୍ରସ୍ତୁତ କରିଥିଲା। ତେବେ ରନ୍ ଗତି ବଢ଼ିବା ପୂର୍ବରୁ ଉଭୟଙ୍କୁ ଇଂଲିସ୍ ବାମହାତୀ ଦ୍ରୁତ ବୋଲର ସାମ କରନ୍ ଆଉଟ୍ କରି ଅଙ୍କୁଶ ଲଗାଇଥିଲେ। ଉଭୟ କିନ୍ତୁ ଦଳକୁ ଭଲ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ପ୍ରଥମରୁ ଆକ୍ରମଣାତ୍ମକ ଖେଳିଥିବା ସୂର୍ଯ୍ୟକୁମାର ୩୪ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ରୋହିତ ୨୫ ବଲ୍ରୁ ୩୪ ରନ୍ ଏବଂ ସୂର୍ଯ୍ୟ ୫୩ ବଲ୍ରୁ ୭୮ ରନ୍ ସଂଗ୍ରହ କରି ପ୍ୟାଭିଲିଅନ୍ ଫେରିବା ପରେ ତିଳକ ବର୍ମା (୧୮ ବଲ୍ରୁ ୩୪* ରନ୍) ଦଳକୁ ୧୯୨ ରନ୍ରେ ପହଞ୍ଚାଇଥିଲେ। ହାର୍ଦିକ ପାଣ୍ଡ୍ୟା ୧୦ ରନ୍ ଏବଂ ଟିମ୍ ଡେଭିଡ୍ ୧୪ ରନ୍ କରିପାରିଥିଲେ। ଶେଷ ଓଭରରେ ହର୍ଷଲ ପଟେଲ ୨ ୱିକେଟ୍ ଦଖଲ କରିବା ସହ ୩ ୱିକେଟ୍ର ପତନ କାରଣରୁ ମୁମ୍ବାଇ ଇଣ୍ଡିଆନ୍ସ ୨୦୦ ରନ୍ ଅତିକ୍ରମ କରିପାରି ନଥିଲା। ହର୍ଷଲ ପଟେଲ୍ (୪-୦-୩୧-୩) ସଫଳତମ ବୋଲର ଥିବାବେଳେ ସାମ୍ କରନ୍ (୪-୦-୪୧-୨) ଏବଂ କାଗିସୋ ରବାଡ଼ା (୪-୦-୪୨-୧) ୩ ୱିକେଟ୍ ବାଣ୍ଟି ନେଇଥିଲେ। ଅନ୍ୟ ୱିକେଟ୍ଟି ରନ୍ଆଉଟ୍ରେ ଖସିଥିଲା।
ସଂକ୍ଷିପ୍ତ ସ୍କୋର୍: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୯୨/୭ (ସୂର୍ଯ୍ୟକୁମାର ୟାଦବ-୭୮, ରୋହିତ ଶର୍ମା-୩୬, ତିଳକ ବର୍ମା-୩୪*, ହର୍ଷଲ ପଟେଲ୍-୩/୩୧, ସାମ କରନ୍-୨/୪୧, କାଗିସୋ ରବାଡ଼ା-୧/୪୨)। ପଞ୍ଜାବ କିଙ୍ଗ୍ସ ୧୯.୧ ଓଭରରେ ୧୮୩ (ଆଶୁତୋଷ ଶର୍ମା-୬୧, ଶଶାଙ୍କ ସିଂହ-୪୧, ହରପ୍ରୀତ ବ୍ରାର-୨୧, ଯଶପ୍ରୀତ ବୁମ୍ରା-୩/୨୧, ଗେରାଲ୍ଡ କୋଏତ୍ଜେ-୩/୩୨, ଶ୍ରେୟସ ଗୋପାଳ-୧/୨୬, ହାର୍ଦିକ ପାଣ୍ଡ୍ୟା-୧/୩୩, ଆକାଶ ମଧୱାଲ-୧/୪୬ )।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/dgjggjdjdggjdg.jpg)