ଦୁବାଇ: ଅଇସିସି ପ୍ରତିଯୋଗିତାରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି। ୧୪ ମାସର ବ୍ୟବଧାନ ପରେ ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାରେ ଦଳକୁ ଫେରି ପ୍ରଭାବୀ ପ୍ରଦର୍ଶନ କରିଥିବା ୩୪ ବର୍ଷୀୟ ସାମି ଚାମ୍ପିଅନ୍ସ ଟ୍ରଫି ଆରମ୍ଭରୁ ନିଜ ଚମକ ଛାଡ଼ିଛନ୍ତି। ଗୁରୁବାର ଭାରତ-ବାଂଲାଦେଶ ମୁକାବିଲାରେ ୫୩ ରନ୍ ଖର୍ଚ୍ଚ କରି ୫ ୱିକେଟ୍ ନେଇଛନ୍ତି ସେ। ଗୁରୁବାର ଖେଳ ଜୀବନର ଷଷ୍ଠ ପାଞ୍ଚ ୱିକେଟ୍ ସଫଳତା ଲାଭ କରିବା ଭିତରେ ସାମି ୨୦୦ ଦିନିକିଆ ୱିକେଟ୍ ନେବାରେ (ଖେଳିଥିବା ମ୍ୟାଚ୍ ସଂଖ୍ୟାରେ) ଦ୍ରୁତତମ ଭାରତୀୟ ଏବଂ ବିଶ୍ବର ଦ୍ବିତୀୟ ଦ୍ରୁତତମ ବୋଲର ହୋଇଛନ୍ତି।
ଭାରତୀୟ ରେକର୍ଡ ଧାରାରେ ପୂର୍ବତନ ଦ୍ରୁତ ବୋଲର ତଥା ଏବେକାର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ପଛରେ ପକାଇଛନ୍ତି ସେ। ଅଗରକର ୧୩୩ ମ୍ୟାଚ୍ରେ ୨୦୦ ୱିକେଟ୍ ଦଖଲ କରିଥିଲା ବେଳେ ଏହି ମାଇଲଖୁଣ୍ଟ ଛୁଇଁବାକୁ ସାମି ମାତ୍ର ୧୦୪ ମ୍ୟାଚ୍ ନେଇଛନ୍ତି। କେବଳ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ (୧୦୨) ତାଙ୍କଠାରୁ କମ୍ ମ୍ୟାଚ୍ ଖେଳି ୨୦୦ ୱିକେଟ୍ ପୂରଣ କରିଛନ୍ତି। ପାକିସ୍ତାନୀ ସ୍ପିନର୍ ସାକଲେନ୍ ମୁସ୍ତାକ ୧୦୪ ମ୍ୟାଚ୍ ଖେଳି ୨୦୦ ୱିକେଟ୍ ନେବା ସହ ସାମିଙ୍କ ସହ ଯୁଗ୍ମ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତେବେ ବୋଲିଂ କରିଥିବା ବଲ୍ ସଂଖ୍ୟାକୁ ଦେଖିଲେ ସାମି ଏହି କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛନ୍ତି। ଏହି କ୍ରମରେ ସେ ଷ୍ଟାର୍କଙ୍କ ରେକର୍ଡ ଭାଙ୍ଗିଛନ୍ତି। ସାମି ୫୧୨୬ ବଲ୍ ପକାଇ ୨୦୦ ୱିକେଟ୍ କରାୟତ୍ତ କରିଛନ୍ତି। ଷ୍ଟାର୍କ ୫୨୪୦ ବଲ୍ ବୋଲିଂ କରି ଏହି ରେକର୍ଡ ଛୁଇଁଥିଲେ।
ଦିନିକିଆ କ୍ରିକେଟ୍ରେ ଦ୍ରୁତତମ ୨୦୦ ୱିକେଟ୍ (ବଲ୍ ଭିତ୍ତିରେ)
ଖେଳାଳି ଦେଶ ବଲ୍ ମ୍ୟାଚ୍
ମହମ୍ମଦ ସାମି ଭାରତ ୫୧୨୬ ୧୦୪
ମିଚେଲ ଷ୍ଟାର୍କ ଅଷ୍ଟ୍ରେଲିଆ ୫୨୪୦ ୧୦୨
ସାକଲିନ୍ ମୁସ୍ତାକ ପାକିସ୍ତାନ ୫୪୫୧ ୧୦୪
ବ୍ରେଟ୍ ଲି’ ଅଷ୍ଟ୍ରେଲିଆ ୫୬୪୦ ୧୧୨
ଟ୍ରେଣ୍ଟ ବୋଲ୍ଟ ନ୍ୟୁଜିଲାଣ୍ଡ ୫୭୮୩ ୧୦୭
ଭାରତୀୟ ଅଧିନାୟକ ରୋହିତ ଶର୍ମା ଗୁରୁବାର ୧୧,୦୦୦ ଦିନିକିଆ ରନ୍ ଛୁଇଁବାର ରେକର୍ଡ କରିଛନ୍ତି। ଏହିକ୍ରମରେ ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦ୍ବିତୀୟ ଦ୍ରୁତତମ ଭାରତୀୟ ହୋଇଛନ୍ତି। ଏବେ କେବଳ ବିରାଟ କୋହଲି ତାଙ୍କଠାରୁ କମ୍ ପାଳି ଖେଳି ଏହି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ମ୍ୟାଚ୍କୁ ଯିବା ପୂର୍ବରୁ ରୋହିତ ଏହି ମାଇଲ୍ଖୁଣ୍ଟଠାରୁ ମାତ୍ର ୧୨ ରନ୍ ଦୂରରେ ଥିଲେ। ଯାହାକୁ ସେ ଖେଳିଥିବା ପ୍ରଥମ ୧୪ ବଲ୍ରୁ ସଂଗ୍ରହ କରି ନେଇଥିଲେ। ପୁଣି ଦିନିକିଆରେ ୧୧,୦୦୦ ରନ୍ କରିବାରେ ରୋହିତ ବିଶ୍ବର ଦଶମ ଏବଂ ଚତୁର୍ଥ ଭାରତୀୟ ହୋଇଛନ୍ତି। ପୂର୍ବରୁ ସଚିନ (୧୮,୪୨୬), ବିରାଟ କୋହଲି (୧୩,୯୬୩) ଓ ସୌରଭ ଗାଙ୍ଗୁଲି (୧୧,୨୨୧) ଏହି ଭାରତୀୟ କ୍ଲବ୍ରେ ଥିଲେ। ରୋହିତ ମଧ୍ୟ ଗୁରୁବାର ପୂର୍ବତନ କିଂବଦନ୍ତି ସ୍ପିନର ଅନିଲ କୁମ୍ବଲେଙ୍କ ୨୬୯ ଦିନିକିଆ ଖେଳିବା ରେକର୍ଡର ସମକକ୍ଷ ହୋଇଛନ୍ତି। ଗୁରୁବାର ୪୧ ରନ୍ର ପାଳି ଖେଳି ରୋହିତ ତାଙ୍କ ମୋଟ ଦିନିକିଆ ରନ୍ ସଂଖ୍ୟା ୧୧,୦୨୯କୁ ବଢ଼ାଇଛନ୍ତି।
ଦ୍ରୁତତମ ୧୧,୦୦୦ ରନ୍
ଖେଳାଳି ପାଳି
ବିରାଟ କୋହଲି ୨୨୨
ରୋହିତ ଶର୍ମା ୨୬୧
ସଚିନ ତେନ୍ଦୁଲକର ୨୭୬
ରିକି ପଣ୍ଟିଂ ୨୮୬
ସୌରଭ ଗାଙ୍ଗୁଲି ୨୮୮