ରାଉରକେଲା: ନୂଆ-ଓ’ ରାଜ୍ୟସ୍ତରୀୟ ପୁରୁଷ ଓ ମହିଳା ହକି ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଉଭୟ ବର୍ଗରେ ସୁନ୍ଦରଗଡ଼ ଦଳ ବିଜେତା ହୋଇଛି। ସୁନ୍ଦରଗଡ଼ ଓ ଖୋର୍ଦ୍ଧା ମଧ୍ୟରେ ଖେଳାଯାଇଥିବା ମହିଳା ହକି ଫାଇନାଲ ମ୍ୟାଚ୍ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ଏଥିରେ ସୁନ୍ଦରଗଡ଼ ଦଳ ୭-୧ରେ ବିଜୟୀ ହୋଇଛି। ପୁରୁଷ ବର୍ଗର ଫାଇନାଲ ମ୍ୟାଚ୍ରେ କଡ଼ା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା। ଶେଷରେ କିନ୍ତୁ ସୁନ୍ଦରଗଡ଼ ୩-୨ ଗୋଲ୍ରେ ଜିତିନେଇଥିଲା। ଉଲ୍ଲେଖଯୋଗ୍ୟ, ବୁଧବାର ପୂର୍ବାହ୍ନରେ ଉଭୟ ପୁରୁଷ ଓ ମହିଳାରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍ ଖେଳାଯାଇଥିଲା। ସମ୍ବଲପୁର ଦଳ ସୁଟ୍ଆଉଟ୍ରେ ୧-୦ ଗୋଲ୍ରେ ଦେବଗଡ଼କୁ ପରାସ୍ତକରି ତୃତୀୟ ସ୍ଥାନରେ ରହିଥିଲା। ସେହିଭଳି ପୁରୁଷରେ ଢ଼େଙ୍କାନାଳ ଦଳ ସୁଟ୍ଆଉଟ୍ରେ ୩-୧ ଗୋଲ୍ରେ ସମ୍ବଲପୁରକୁ ପରାସ୍ତ କରିଛି। ମୁଖ୍ୟ ଅତିଥି ଭାବେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ଭାରତୀୟ ହକି ଦଳର ପୂର୍ବତନ କୋଚ୍ ବି.କେ. କାରିଆପ୍ପା, ଅଲିମ୍ପିଆନ ଲାଜରୁସ ବାର୍ଲା, ପ୍ରଶିକ୍ଷକ କେ.ସି. ଚୌଧୁରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଦୀପ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ନୂଆ-ଓ’ ରାଜ୍ୟସ୍ତରୀୟ ହକି: ସୁନ୍ଦରଗଡ଼କୁ ଦ୍ବିମୁକୁଟ
/sambad/media/post_attachments/wp-content/uploads/2024/02/gdjgdjgggj.jpg)