ଭୁବନେଶ୍ବର: ପୁରୀ ଜଗନ୍ନାଥ ଷ୍ଟାଡିୟମ ଠାରେ ମଙ୍ଗଳବାରଠୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ପୁରୁଷ ଓ ମହିଳା କ୍ରିକେଟ ପ୍ରତିଯୋଗିତା। ନୂଆ ଓ’ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଜିଲ୍ଲାପାଳ ବିଜୟ କୁମାର ଦାଶ ଉଦଘାଟନ କରିବା ସହ କ୍ରୀଡା ଶୃଙ୍ଖଳା, ଭାଇଚାରା ଓ ଶାରୀରିକ ସୁସ୍ଥତା ରଖିବାରେ ସହାୟକ ହୋଇଥାଏ ବୋଲି କହିଥିଲେ। ସମସ୍ତ କ୍ଷେତ୍ରରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ। ଏଥି ସହ ସଫଳତା ପାଇଁ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ହାଇ ପରଫରମାନ୍ସ କ୍ରୀଡ଼ା କେନ୍ଦ୍ରର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ବରିଷ୍ଠ ପରାମର୍ଶଦାତା ପ୍ରବୀର ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡ଼ା ସଂଘର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ ପ୍ରମୁଖ ଯୋଗ ଦେଇ କ୍ରୀଡାବିତ୍ଙ୍କୁ ଉତ୍ସାହିତ କରିଥିଲେ। ପରେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥି ମାନେ ପଡିଆ ମଧ୍ୟରେ କ୍ରୀଡାବିତ ଙ୍କ ସହ ପରିଚିତ ହୋଇ ଶୁଭେଚ୍ଛା ଜଣାଇଥିଲେ।ଏହି ପ୍ରତିଯୋଗିତାରେ ରାଜ୍ୟର ୩୦ ଟି ଯାକ ଜିଲ୍ଲା ରୁ ୩୦ଟି ଲେଖାଏଁ ପୁରୁଷ ଓ ମହିଳା ଦଳ ଅଶଂଗ୍ରହଣ କରିଛନ୍ତି। ପୁରୁଷ ଦଳର କ୍ରିକେଟ ପ୍ରତିଯୋଗିତା ଜଗନ୍ନାଥ ଷ୍ଟାଡିୟମରେ ଓ ମହିଳା ଦଳର ପ୍ରତିଯୋଗିତା ଜିଲ୍ଲା ସ୍କୁଲ ପଡିଆ ଠାରେ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି କ୍ରୀଡା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।