ଓଡ଼ିଶା କ୍ରିକେଟର୍‌ଙ୍କ ପାଇଁ ନୂଆ ସମ୍ଭାବନା, ଦେବାଶିଷଙ୍କୁ ଓଡ଼ିଶା କ୍ରିକେଟ୍‌ ଜଗତର ଶୁଭେଚ୍ଛା

କଟକ: ଦେବାଶିଷ ମହାନ୍ତିଙ୍କୁ ବରିଷ୍ଠ ଚୟନକର୍ତ୍ତା ଭାବେ ନୂଆ ଦାୟିତ୍ବ ମିଳିଥିବାରୁ ତାଙ୍କୁ ଏବେ ପ୍ରଶ˚ସାର ସୁଅ ଛୁଟୁଛି। ଅନେକ ଦିନ ବ୍ୟବଧାନ ପରେ ଓଡ଼ିଶାରୁ ଜଣେ ଏଭଳି ଗୁରୁଦାୟିତ୍ବ ନେଇଛନ୍ତି। ଏଥିସହ ଜାନୁଆରିରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଆରମ୍ଭ ହେଉଥିବାରୁ ନବାଗତଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି। ତଥାପି କେବଳ ଦେବାଶିଷଙ୍କ ଉପରେ ଭରସା କଲେ ଚଳିବନି, ପ୍ରତ୍ୟେକ ଖେଳାଳିଙ୍କୁ ସ୍ଥିର ପ୍ରଦର୍ଶନ କରିବାକୁ ପଡ଼ିବ। ତାହେଲେ ଯାଇ ଦେବାଶିଷ ସେମାନଙ୍କ ସପକ୍ଷରେ ଯୁକ୍ତି କରିପାରିବେ ବୋଲି ମତପ୍ରକାଶ ପାଇଛି।

ଓଡ଼ିଶା ଖେଳାଳିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ
ଦେବାଶିଷ ମହାନ୍ତି ଭାରତୀୟ ବରିଷ୍ଠ ଚୟନ ସମିତିରେ ସୁଯୋଗ ପାଇବା ଓଡ଼ିଶା ପାଇଁ ନିଶ୍ଚିତ ଭାବେ ଖୁସିର ଖବର। ଏଥିସହ ରାଜ୍ୟର ଖେଳାଳିଙ୍କ ପାଇଁ ଏହା ମଧ୍ୟ ଏକ ସୁବର୍ଣ୍ଣ ସୁଯୋଗ। ଯେଉଁମାନେ ଏବେ ପ୍ରଥମ ଶ୍ରେଣୀ ଖେଳୁଛନ୍ତି କିମ୍ବା ସୀମିତ ଓଭର ମ୍ୟାଚ୍‌ରେ ସ୍ଥିର ପ୍ରଦର୍ଶନ ଦେଉଛନ୍ତି, ସେମାନଙ୍କ ପାଇଁ ଏବେ ଭଲ ସୁଯୋଗ ସୃଷ୍ଟି ହୋଇଛି। ତେଣୁ ପ୍ରତ୍ୟେକ ମ୍ୟାଚ୍‌ରେ ଖେଳାଳିଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ। ତାହେଲେ ଯାଇ ଆଇପିଏଲ୍‌ କିମ୍ବା ଭାରତୀୟ ଦଳରେ ଓଡ଼ିଆ ଖେଳାଳିଙ୍କୁ ଦେଖିବାକୁ ମିଳିପାରିବ। ପୂର୍ବରୁ ର˚ଜୀବ ବିଶ୍ବାଳ ବରିଷ୍ଠ ଚୟନ ସମିତିରେ ଥିଲେ। ସେ ସମୟରେ ଓଡ଼ିଶା ଖେଳାଳିମାନେ ସେତେଟା ଉତ୍ସାହଜନକ ପ୍ରଦର୍ଶନ ଦେଇନଥିଲେ। ଏବେ ପ୍ରଦର୍ଶନରେ ଉନ୍ନତି ଆସିଛି। ତେଣୁ ଜାତୀୟସ୍ତରରେ ଆମ ପାଇଁ ଦାବି ରଖିବା ଭଳି ଜଣେ ବ୍ୟକ୍ତି ଦେବାଶିଷଙ୍କ ରୂପରେ ଆସିଛନ୍ତି। ଏଭଳି ସୁବର୍ଣ୍ଣ ସୁଯୋଗ ଯେପରି ହାତଛଡ଼ା ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ।
-ପବନ ଅଗ୍ରଵାଲ, ପୂର୍ବତନ ରଣଜୀ କ୍ରିକେଟର

ବହୁତ ଭଲ ସଙ୍କେତ
ଓଡ଼ିଶାରୁ ଜଣେ ଜାତୀୟ ଚୟନ ସମିତିରେ ରହିବା ବହୁତ ଭଲ ସଙ୍କେତ। ବହୁତ ଦିନ ପରେ ଜଣେ ଓଡ଼ିଆ ଏଭଳି ସ୍ଥାନରେ ରହିଲେ। ହେଲେ କେବଳ ଏତିକିରେ ଆମେ ସନ୍ତୁଷ୍ଟ ହେଲେ ଚଳିବନି। ଆଗକୁ ପ୍ରତ୍ୟେକ ମ୍ୟାଚ୍‌ରେ ସବୁ ଖେଳାଳିଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ। କାରଣ ଦଲିପ ଟ୍ରଫି, ଭାରତ ଏ’ ଦଳ ପାଇଁ ଖେଳାଳି ଚୟନ କରାଯିବ। ଏଥିସହିତ ଆଇପିଏଲ୍‌ ଆସୁଥିବାରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରୁ ଭଲ ପ୍ରଦର୍ଶନ କରିବାକୁ ଥିବା ଖେଳାଳିଙ୍କ ନାମକୁ ମଧ୍ୟ ଦେବାଶିଷ ମହାନ୍ତି ବିଭିନ୍ନ ଫ୍ରାଞ୍ଚାଇଜ୍‌ଙ୍କୁ ସୁପାରିସ କରିପାରିବେ। ତେଣୁ ବର୍ତ୍ତମାନଠୁ ଆମ ପାଇଁ ପ୍ରକୃତ ପରୀକ୍ଷାର ବେଳ ଆରମ୍ଭ ହେଲା।
-ସୂର୍ଯ୍ୟକାନ୍ତ ପ୍ରଧାନ, ରଣଜୀ କ୍ରିକେଟର

ଓଡ଼ିଶା ଖେଳାଳିଙ୍କୁ ସ୍ଥିରତା ଆଣିବାକୁ ହେବ
ଯେହେତୁ ଓଡ଼ିଶାରୁ ସେ ଜାତୀୟ ଚୟନକର୍ତ୍ତା ଭାବେ ମୌକା ପାଇଛନ୍ତି, ତେଣୁ ଓଡ଼ିଆ ପିଲାଙ୍କ ଉପରେ ବିଶେଷ ନଜର ରହିବ। ଓଡ଼ିଶା ଖେଳାଳିଙ୍କ ପାଖରେ ପ୍ରତିଭା ବହୁତ ଅଛି, କିନ୍ତୁ ପ୍ରଦର୍ଶନରେ ସ୍ଥିରତା ରହୁନି। ଏବେଠାରୁ ସେମାନଙ୍କୁ ପ୍ରଦର୍ଶନରେ ସ୍ଥିରତା ଆଣିବାକୁ ପଡ଼ିବ। ଆଗକୁ ଆଇପିଏଲ୍‌ ଅଛି। ଦେବାଶିଷ ମଧ୍ୟ ଏହି ଦାୟିତ୍ବ ପାଇଁ ନୂଆ ଅଛନ୍ତି। ତେଣୁ ତାଙ୍କ ଉପରେ ବି ଚାପ ରହିବ। ଯଦି ଖେଳାଳିମାନେ ସ୍ଥିର ପ୍ରଦର୍ଶନ ଦେଲେ ତାହେଲେ ଯାଇ ସେ କିଛି ଦାବି କରିପାରିବେ। ଏଥର ୯ ଜଣ ନୂଆ ପିଲା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ସୁଯୋଗ ପାଇଛନ୍ତି, ତେଣୁ ଏହା ସେମାନଙ୍କ ପାଇଁ ବଡ଼ ସୁଯୋଗ ରହିବ।
-ନିର˚ଜନ ବେହେରା, ପୂର୍ବତନ କ୍ରିକେଟର

ଓଡ଼ିଶା ପିଲାଙ୍କ ପାଇଁ କବାଟ ଖୋଲା
ଏଭଳି ପଦବି ପାଇଁ ଦେବୁଦା ହିଁ ଯୋଗ୍ୟ ଥିଲେ। ସେ ଜାତୀୟ ବରିଷ୍ଠ ଚୟନକର୍ତ୍ତା ହୋଇଥିବା ଶୁଣି ବହୁତ ଖୁସି ଲାଗିଲା। ଏବେ ଆମ ଓଡ଼ିଶା ପିଲାଙ୍କ ପାଇଁ କବାଟ ଖୋଲା ରହିଲା। କେବଳ ଓଡ଼ିଶା ନୁହେଁ ପୂର୍ବାଞ୍ଚଳରୁ ଯେଉଁମାନେ ଭଲ କରିବେ ସେମାନେ ନଜରରେ ଆସିବେ। ଓଡ଼ିଶା କ୍ରିକେଟ ପାଇଁ ମଧ୍ୟ ଏହା ଏକ ଭଲ ସ˚ଯୋଗ। ପ୍ରଥମ ଥର ପାଇଁ ନୂଆ ଢଙ୍ଗରେ ଅନ୍ତଃଜିଲ୍ଲା ପ୍ରତିଯୋଗିତା ଆୟୋଜନ ହୋଇ ନୂଆ ପିଲାଙ୍କୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ସୁଯୋଗ ମିଳିଲା ଏବ˚ ଏହି ସମୟରେ ଦେବୁଦା’ ବରିଷ୍ଠ ଚୟନ ସମିତି ପାଇଁ ମନୋନୀତ ହେଲେ। ତେଣୁ ନୂଆ ଓ ବରିଷ୍ଠ ଖେଳାଳିଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ। ଏବେ ପ୍ରଦର୍ଶନରେ ସ୍ଥିରତା ଆଣିବା ସମସ୍ତଙ୍କ ପାଇଁ ଆହ୍ବାନ ରହିବ।
-ବିପ୍ଳବ ସାମନ୍ତରାୟ, ରଣଜୀ କ୍ରିକେଟର

ନୂ୍ଆ ଆଶା ଦେଖାଯାଉଛି
ଦେବାଶିଷ ମହାନ୍ତିଙ୍କ ନୂଆ ଦାୟିତ୍ବ ବିଷୟରେ ଜାଣିବା ପରେ ଓଡ଼ିଆ ଭାବେ ବହୁତ ଗର୍ବିତ ମନେକରୁଛି। ଯେତେବେଳେ ବି କୌଣସି ଦଳ ପାଇଁ ଖେଳାଳି ସୁପାରିସ କଥା ଉଠିବ, ସେତେବେଳେ ଓଡ଼ିଶା ପିଲାଙ୍କ ନାମ ରହିବ ବୋଲି ଆଶା ଅଛି। ଦେବାଶିଷଙ୍କ ଅଧିନରେ ଖେଳିବା ଆରମ୍ଭ କରିଛି। ୭ ବର୍ଷ ଧରି ସେ ଆମର ପ୍ରଶିକ୍ଷକ ରହିଛନ୍ତି। ତେଣୁ ତାଙ୍କର ଏଭଳି ନୂଆ ଦାୟିତ୍ବ ପାଇଁ ସବୁ ଖେଳାଳି ଖୁସି ଅଛନ୍ତି। ଗତ ୨ ବର୍ଷ ହେଲାଣି କନିଷ୍ଠ ଚୟନକର୍ତ୍ତା ଭାବେ ସେ ଦାୟିତ୍ବ ନିର୍ବାହ କରିଛନ୍ତି। ଏବେ ବରିଷ୍ଠ ଚୟନ ସମିତିରେ ସେ ଆସିଥିବାରୁ ଆମକୁ ନୂଆ ଆଶା ଦେଖାଯାଉଛି। ଯେକୌଣସି ଫର୍ମାଟରେ ଆଗକୁ ଚୟନ ହେବ କି ନାହିଁ, ତାହା ଭାବିବା ଅପେକ୍ଷା ପ୍ରତ୍ୟେକ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବାକୁ ହେବ।
– ଗୋବିନ୍ଦ ପୋଦ୍ଦାର, ରଣଜୀ କ୍ରିକେଟର୍‌

ଆଶା ରଖିଥିଲି, ଖୁସି: ଦେବାଶିଷ
ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍‌କୁ ବିଗତ ଅଢ଼େଇ ଦଶନ୍ଧି ଧରି ରୁଦ୍ଧିମନ୍ତ କରିଥିବା ଦେବାଶିଷ ମହାନ୍ତି ଆଉ ଏକ ପାହାଚ ଅତିକ୍ରମ କରିବା ପରେ ଉଲ୍ଲସିତ ହୋଇଛନ୍ତି। ଦିନେ ସିଏ ଭାରତୀୟ ଦଳର ଖେଳାଳି ଥିଲେ ଆଜି ସିଏ ଭାରତୀୟ ଦଳ ପାଇଁ ଖେଳାଳି ବାଛିବେ। ଆସନ୍ତା ମାସରୁ ଆରମ୍ଭ ହବାକୁ ଥିବା ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳା ଲାଗି ସେ ଭାରତୀୟ ଦଳ ଚୟନର ଅନ୍ୟତମ ଅଂଶବିଶେଷ ହେବେ। ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ ସମିତିରେ ଦେବାଶିଷ ଅନ୍ୟତମ ସଦସ୍ୟ ହେବା ପରେ ସ୍ବଭାବିକ ଭାବେ ଖୁସି ଓ ଉଲ୍ଲସିତ ହୋଇଛନ୍ତି ବୋଲି ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଥିଲେ। ଭାରତୀୟ କନିଷ୍ଠ ଦଳ ପାଇଁ ଖେଳାଳି ବାଛିବା କାମ ଏତେ କଷ୍ଟକର ନଥିଲା, ଏବେ କିନ୍ତୁ ବରିଷ୍ଠ ଦଳ ପାଇଁ‌ ‌ଖେଳାଳି ବାଛିବା ନିଶ୍ଚିତ ଗୁରୁ ଦାୟିତ୍ବ ହେବ ବୋଲି ସ୍ବୀକାର କରିଥିଲେ ଦେବାଶିଷ। ଦୁଇ ବର୍ଷ ହେବ କନିଷ୍ଠ ବର୍ଗର ଚୟନକର୍ତା ଥିବା ଦେବାଶିଷ ଏହାକୁ ଢେର ଉପଭୋଗ କରିବା ସହ ଶିକ୍ଷଣୀୟ ଥିଲା ବୋଲି କହିଥିଲେ। ଏହି ଅଭିଜ୍ଞତା ନିଶ୍ଚିତ ମୋତେ ଆଗକୁ ସହାୟତା କରିବ ବୋଲି ପ୍ରକାଶ କରିଛନ୍ତି। ବରିଷ୍ଠ ଦଳ ଚୟନକର୍ତା ଲାଗି ଆବେଦନ କରିବା ପରେ ନିଶ୍ଚିତ ଆଶା ରଖିଥିଲି, ଚେତନ ଶର୍ମାଙ୍କ ଅଧିନରେ କାମ କରିବା ନିଶ୍ଚିତ ମୋ ପାଇଁ ସହଜ ହେବ। ମୋତେ ପୁଣି ଏକ ବଡ଼ ଦାୟିତ୍ବ ଦେଇଥିବାରୁ ମୁଁ ବିସିସିଆଇ ନିକଟରେ କୃତଜ୍ଞ‌ ବୋଲି ଭାରତ ପାଇଁ ୨ ଟେଷ୍ଟ୍ ଓ ୪୫ ଦିନିକିଆ ଖେଳିଥିବା ଦେବାଶିଷ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର