ମୁମ୍ବାଇ : କଙ୍ଗାରୁ ଶିକାର ପରେ କିଓ୍ଵିକୁ କବ୍ଜା କରିବା ଲାଗି ସୁଯୋଗ ପହଞ୍ଚି ଯାଇଛି। ଘରୋଇ ପରିବେଶରେ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆକୁ ୪-୧ରେ ହରାଇବା ପରେ ନ୍ୟୁଜିଲାଣ୍ଡ କୋହଲି ବାହିନୀର ନୁଆ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛି। କିଓ୍ଵି ଓ ବ୍ଲାକ୍ କ୍ୟାପ୍ସ ଭାବେ ପରିଚିତ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ବିପକ୍ଷରେ ଭାରତ ଆଉ ଏକ ସୀମିତ ଓଭର ଶୃଙ୍ଖଳା ଖେଳିବାକୁ ଯାଉଛି। ତିନି ଟିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ରବିବାର ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଖେଳା ଯିବାର ଅଛି।
ଚଳିତ ଋତୁରେ ଭାରତର ବିଜୟ ରଥ ପୂରା ଦମରେ ଆଗେଇ ଚାଲିଥିଲା ବେଳେ ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ମଧ୍ୟ ଟିମ୍ ଇଣ୍ଡିଆ ପସନ୍ଦର ଦଳ ମାନ୍ୟତା ଲାଭ କରିଛି। ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ହାରିବା ପରଠାରୁ ଭାରତ ଚମତ୍କାର ପ୍ରଦର୍ଶନ କରି ଆସିଛି। େଓ୍ଵଷ୍ଟଇଣ୍ଡିଜ୍, ଶ୍ରୀଲଙ୍କାକୁ ସେମାନଙ୍କ ଘରେ ହରାଇ ଥିଲା ବେଳେ ଅଷ୍ଟ୍ରେଲିଆକୁ ନିଜ ଘରେ ଧୂଳି ଚଟାଇଛି। ଦୁଇ ଯୁବ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ନିୟମିତ ଭାବେ ପ୍ରତିପକ୍ଷ ଦଳକୁ ଘାଇଲା କରି ଆସୁଛନ୍ତି। ହେଲେ ଭାରତର ମଧ୍ୟକ୍ରମ ବ୍ୟାଟିଂ ଚିନ୍ତା ଟିକିଏ ବଢ଼ି ଯାଇଛି। କାରଣ ୨୦୧୫ ବିଶ୍ୱକପ୍ଠାରୁ ଭାରତ ଚତୁର୍ଥ ସ୍ଥାନରେ ୧୧ ଜଣ ବ୍ୟାଟ୍ସମ୍ୟାନଙ୍କୁ ପରୀକ୍ଷା କରି ସାରିଲାଣି। ତେବେ ନ୍ୟୁଜିଲାଣ୍ଡ ପାଇଁ ହାର୍ଦିକ ପାଣ୍ଡ୍ୟା ଏବଂ ଭାରତ ଲାଗି ଟ୍ରେଣ୍ଟ୍ ବୋଲ୍ଟ ନୂଆ ଆହ୍ଵାନ ଭାବେ ଉଭା ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ଧାଓ୍ଵନଙ୍କ ପାଇଁ ବାଟ ଛାଡ଼ିବେ ରାହାଣେ
ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ ଖେଳିଥିବା ଗତ ଚରିଟି ଯାକ ଦିନିକିଆରେ ଅର୍ଧଶତକ ଅର୍ଜନ କରିଛନ୍ତି। ହେଲେ ଶିଖର ଧାଓ୍ଵନ ଫେରିବା ପରେ ସେ ତାଙ୍କ ପାଇଁ ବାଟ ଛାଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରଥମ ମୁକାବିଲାର ଦଳୀୟ ସମ୍ମିକରଣକୁ ବିଚାରକୁ ନେଲେ ଭାରତ ପାଇଁ ରୋହିତ ଶର୍ମା ଏବଂ ଧାଓ୍ଵନ ପାଳି ଆରମ୍ଭ କରିବା ଏକ ପ୍ରକାର ନିଶ୍ଚିତ। ଓ୍ଵିକେଟ୍ ରକ୍ଷକ ଦୀନେଶ କାର୍ତିକ ଦଳକୁ ଫେରିଥିଲେ ମଧ୍ୟ ସେ ଧୋନିଙ୍କ ସ୍ଥାନ ନେବାର ଟିକିଏ ବି ଆଶା ନାହିଁ। ତେଣୁ ବ୍ୟାଟ୍ସମ୍ୟାନ୍ ଭାବେ ଖେଳିବା ଲାଗି ତାଙ୍କୁ ମନୀଷ ପଣ୍ଡେଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିବ। ଏଥିରେ ମନୀଷ ତାଙ୍କୁ ପଛରେ ପକାଇ ଦେବାର ସମ୍ଭାବନା ଅଧିକ। ଦ୍ରୁତ ବୋଲର ସାର୍ଦୁଲ ଠାକୁରଙ୍କୁ ବି ମୁମ୍ବାଇରେ ସୁଯୋଗ ମିଳି ନପାରେ। ସେପଟେ ମାର୍ଟିନ ଗପ୍ଟିଲଙ୍କ ସହ କଲିନ ମୁନ୍ରୋ ପାଳି ଆରମ୍ଭ କରିବେ ବୋଲି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ଵିଲିୟମସନ୍ ସ୍ପଷ୍ଟ କରି ସାରିଛନ୍ତି। ମଧ୍ୟକ୍ରମରେ ହେନରି ନିକୋଲାସ, ଗ୍ଲେନ୍ ଫିଲିପ୍ସ ଏବଂ ଜର୍ଜ ଓ୍ଵାର୍କରଙ୍କ ମଧ୍ୟରୁ ଜଣେ ଖେଳିବେ ବୋଲି ସେ ସଂକେତ ଦେଇଛନ୍ତି।
ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ଵନ୍, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ଦୀନେଶ କାର୍ତିକ/ମନୀଷ ପାଣ୍ଡେ, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯସପ୍ରୀତ ବୁମରା।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: କେନ୍ ଓ୍ଵିଲିୟମସନ୍ (ଅଧିନାୟକ), ମାର୍ଟିନ ଗପ୍ଟିଲ, କଲିନ୍ ମୁନ୍ରୋ, ରସ୍ ଟେଲର, ଟମ୍ ଲାଥମ, ହେନରି ନିକୋଲାସ/ଗ୍ଲେନ୍ ଫିଲିପ୍ସ, କଲିନ ଡି’ ଗ୍ରାଣ୍ଢୋମେ, ମିଚେଲ ସାଣ୍ଟନର, ଈଶ୍ ସୋଢ଼ି, ଟ୍ରେଣ୍ଟ ବୋଲ୍ଟ, ଟିମ୍ ସାଉଦି।