ସଫଳତାର ନୂଆ ଫର୍ଦ

କେପଟାଉନ: ଦକ୍ଷିଣ ଆଫ୍ରିକାରେ ଭାରତୀୟ କ୍ରିକେଟ୍‌ ଦଳର ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି। ପ୍ରଥମ ଦୁଇ ଦିନିକିଆରେ ସହଜ ବିଜୟ ହାସଲ କରିଥିବା କୋହଲି ବାହିନୀ ବୁଧବାରର ତୃତୀୟ ଦିନିକିଆକୁ ମଧ୍ୟ ଏକତରଫା ଭାବେ ଜିତି ନେଇଛି। ତା’ ସହ ସଫଳତାର ନୂଆ ଫର୍ଦ ସୃଷ୍ଟି କରି ଦକ୍ଷିଣ ଆଫ୍ରିକାରେ ଖେଳିଥିବା କୌଣସି ଦ୍ୱିପାକ୍ଷିକ ଶୃଙ୍ଖଳାରେ ପ୍ରଥମ ଥର ପାଇଁ ୩-୦ରେ ଆଗୁଆ ହୋଇ ଯାଇଛି। ସେପଟେ ଦକ୍ଷିଣ ଆଫ୍ରିକା ଥ୍ରୀ ଡି (ଏବି ଡିଭିଲିୟର୍ସ, ଫାଫ୍‌ ଡୁ ପ୍ଲେସିସ୍‌ ଓ କ୍ୱିଣ୍ଟନ ଡି କକ୍‌)ଙ୍କ ଅନୁପସ୍ଥିତିରେ ଲଜ୍ଜାଜନକ ବ୍ୟାଟିଂ କରି ଭାରତ ଆଗରେ ଆତ୍ମସମର୍ପଣ କରିଛନ୍ତି। ଅଧିନାୟକ ବିରାଟ କୋହଲି (୧୬୦* ରନ୍‌, ୧୫୯ ବଲ୍‌, ୧୨ ଚୌକା, ୨ ଛକା)ଙ୍କ କୀର୍ତ୍ତିମାନ ଭରା ଶତକ ପରେ ଦୁଇ କୁଶଳୀ ସ୍ପିନର କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ୪ ଓ୍ଵିକେଟ୍‌ ଲେଖାଏଁ ବାଣ୍ଟି ନେଇ ଭାରତକୁ ୧୨୪ ରନ୍‌ର ସ୍ମରଣୀୟ ବିଜୟ ଉପହାର ଦେଇଛନ୍ତି। ଭାରତ ଆଜି ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୩୦୩ ରନ୍‌ କରିଥିଲା।

କେପ୍‌ଟାଉନ୍‌ରେ ପୁରୁଷଙ୍କ ୪୨ ରନ୍‌ର ବିଜୟ
ଦକ୍ଷିଣ ଆଫି୍ରକାରେ ଭାରତର ପ୍ରଥମ ୩-୦
କିମ୍ବର୍ଲିରେ ମହିଳା ୧୭୮ ରନ୍‌ରେ ଜିତିଲେ
ଗୋଟିଏ ଦିନରେ ଦକ୍ଷିଣ ଆଫି୍ରକାକୁ ଦୁଇଟି ଝଟ୍‌କା

ଏହାର ଜବାବରେ କୁଲଦୀପ-ଚହଲଙ୍କ ସ୍ପିନ୍‌ ଜାଲରେ ଫସି ଦକ୍ଷିଣ ଆଫ୍ରିକା ୪୦ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ମାତ୍ର ୧୭୯ ରନ୍‌ କରି ପାରିଥିଲା। ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ଲଗାତାର ତୃତୀୟ ପରାଜୟ ବରଣ କରିବା ଏହି ଦେଶର ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟ୍‌କା ଥିଲା। ଦକ୍ଷିଣ ଆଫ୍ରିକା ପୁରୁଷ ଦଳ ଭଳି ମହିଳା ଦଳ ମଧ୍ୟ ବୁଧବାର ଭାରତ ଠାରୁ ଶତାଧିକ ରନ୍‌ ବ୍ୟବଧାନରେ ହାରିଥିଲା। ଭାରତୀୟ ପୁରୁଷ ଦଳ କେପଟାଉନ୍‌ରେ ୧୨୪ ରନ୍‌ରେ ବିଜୟୀ ହେଇଥିଲା ବେଳେ ମହିଳା ଦଳ କିମ୍ବର୍ଲିରେ ୧୭୮ ରନ୍‌ର ଏକପାଖିଆ ବିଜୟ ହାସଲ କରିଥିଲା। ମହିଳା ଦଳ ମଧ୍ୟ ଏଥିସହ ୩ ଟିକିଆ ଶୃଙ୍ଖଳାକୁ ୨-୦ରେ ଜିତି ନେଇଥିଲା। ୩୦୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ ତୃତୀୟ ସ୍ଥାନରେ ଆସିଥିବା ଜେପି ଡୁମିନି ଏକମାତ୍ର ଅର୍ଧଶତକ ଅର୍ଜନ କରିଥିଲେ। ପୂର୍ବରୁ ଟସ୍‌ ହାରି ବ୍ୟାଟିଂ କରିଥିବା ଭାରତ ପ୍ରଥମ ଓଭରରେ ରୋହିତ ଶର୍ମା (୦)ଙ୍କୁ ହରାଇଥିଲା। ହେଲେ ଶିଖର ଧାଓ୍ଵନ (୭୬)ଙ୍କ ଅର୍ଧଶତକୀୟ ପାଳି ସହ କୋହଲିଙ୍କ ୩୪ତମ ଶତକ ବଳରେ ୩୦୪ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଅଜିଙ୍କ୍ୟ ରାହାଣେ (୧୧), ହାର୍ଦିକ ପାଣ୍ଡ୍ୟା (୧୨), ମହେନ୍ଦ୍ର ସିଂହ ଧୋନି (୧୦) ଓ କେଦାର ଯାଦବ (୧) ଆଜି ପୂରା ବିଫଳ ହୋଇଥିଲେ।

କୋହଲି କୀର୍ତ୍ତିି

ଦିନିକିଆ ଶତକ ସଂଖ୍ୟା ୩୪
ଗାଙ୍ଗୁଲିଙ୍କ ୧୧କୁ କୋହଲିଙ୍କ ୧୨
ଦ.ଆଫ୍ରିକାରେ ଭାରତ ପକ୍ଷରୁ ସର୍ବାଧିକ ବ୍ୟକ୍ତିଗତ ରନ୍‌
ଅଧିନାୟକ ଭାବେ ବିଦେଶରେ ଦ୍ୱିତୀୟ ସର୍ବାଧିକ ରନ୍‌

ଦକ୍ଷିଣ ଆଫ୍ରିକା ଗସ୍ତର ଦିନିକିଆ ପର୍ଯ୍ୟାୟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ରନ୍‌ ବର୍ଷା ଜାରି ରହିଛି। ୩ ମ୍ୟାଚ୍‌ରୁ ଦୁଇଟି ଶତକ ଅର୍ଜନ କରିବା ସହ ବୁଧବାରର ତୃତୀୟ ଦିନିକିଆରେ ସେ ଏକାଧିକ ମାଇଲଖୁଣ୍ଟ ଛୁଇଁଥିଲେ। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ପ୍ରଥମ ଓଭରରେ ନିଜ ଓ୍ଵିକେଟ୍‌ ଫିଙ୍ଗି ଦେବା ପରେ କୋହଲି ହିଁ ଭାରତ ପାଳିକୁ ନିଜ ହାତରେ ଗଢ଼ିଥିଲେ। ଦ୍ୱିତୀୟ ଓ୍ଵିକେଟ୍‌ରେ ଶିଖର ଧାଓ୍ଵନଙ୍କ ସହ ମିଶି ସେ କରିଥିବା ୧୪୦ ରନ୍‌ ଭାରତର ସର୍ବାଧିକ ଭାଗୀଦାରି ଥିଲା। ସେହଭଳି ଶେଷ ପାଞ୍ଚ ଓଭରରୁ ୪୭ ରନ୍‌ ସହ କୋହଲି ଏବଂ ଭୁବନେଶ୍ୱର କୁମାରଙ୍କ ମଧ୍ୟରେ ହୋଇଥିବା ୬୭ ରନ୍‌ର ଅବିଭାଜିତ ଭାଗୀଦାରି ପାଇଁ ହିଁ ଭାରତ ୩୦୦ ରନ୍‌ ଟପିଥିଲା। ଶେଷ ଓଭରରେ ଗୋଟିଏ ଲେଖାଏଁ ଛକା ଚୌକା ମାରି କୋହଲି ଏହି ବଡ଼ ସ୍କୋରର ପ୍ରମୁଖ ସୂତ୍ରଧାର ସାଜିଥିଲେ। ଭାରତ କରିଥିବା ୩୦୩ ରନ୍‌ର ଅଧାରୁ ଅଧିକ କୋହଲିଙ୍କ ବ୍ୟାଟ୍‌ରୁ ଆସିଥିଲା। ବୁଧବାର ଖେଳ ଜୀବନର ୩୪ତମ ଦିନିକିଆ ଶତକ ସହ କୋହଲି ମଧ୍ୟ ଦିନିକିଆ କ୍ରିକେଟ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧,୦୦୦ ରନ୍‌ ପୂରଣ କରିଥିଲେ। ତେବେ ଭାରତର ଓ୍ଵିକେଟ୍‌ ପତନ ଧାରା ରୋକିବା ପାଇଁ ଦାୟିତ୍ୱବାନ ବ୍ୟାଟିଂ କରିବା ସହ ଆଜି ସେ ନିଜ ମନ୍ଥରତମ ଦିନିକିଆ ଶତକର ସମକକ୍ଷ ହୋଇଥିଲେ। ଆଡିଲେଡରେ ୨୦୧୫ରେ ପାକିସ୍ତାନ ବିପକ୍ଷରେ ୧୧୯ ବଲ୍‌ରୁ ଶତକ ଅର୍ଜନ କରିଥିଲା ବେଳେ ବୁଧବାର ମଧ୍ୟ ସେହି ୧୧୯ ବଲ୍‌ରୁ ଶତକ ପୂରଣ କରିଥିଲେ। ଏହା ପରେ କିନ୍ତୁ ଦ୍ରୁତ ବ୍ୟାଟିଂ କରି ତୃତୀୟ ଥର ପାଇଁ ୧୫୦ ରନ୍‌ ଟପି ଯାଇଥିଲେ। ଅଧିନାୟକ ଭାବେ ୧୨ ଶତକ ଅର୍ଜନ କରି ସୌରଭ ଗାଙ୍ଗୁଲି (୧୧) ଶତକ କୀର୍ତ୍ତିମାନକୁ ବି ଅତିକ୍ରମ କରିଥିଲେ। ଅଧିନାୟକ ଭାବେ ବିଦେଶରେ ଭାରତ ପକ୍ଷରୁ କପିଳ ଦେବଙ୍କ ପରେ ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ରନ୍‌ କରିଥିଲେ। ଏହି କ୍ରମରେ କପିଳଙ୍କ ୧୭୫* ରନ୍‌ (ଟର୍ନବ୍ରିଜ୍‌ େଓ୍ଵଲ୍ସ ବନାମ ଜିମ୍ବାଓ୍ଵ ୧୯୮୩) ଅବଶ୍ୟ ଏବେବି ଭାରତର ସର୍ବଶ୍ରେଷ୍ଠ ଅଧିନାୟକ ପାଳି ହୋଇ ରହିଛି।

ସମ୍ବନ୍ଧିତ ଖବର