ଓସିଏ ଭିଜନ-୨୪ରେ ନୂଆ କୀର୍ତ୍ତିମାନ, ଚନଦୀପଙ୍କୁ ୫ ବଲ୍‌ରେ ୫ ୱିକେଟ୍

ଗୋଟିଏ ଓଭରରେ ୬ ୱିକେଟ୍‌ ପତନ

ମାଲକାନଗିରି: ଓଡ଼ିଶା କ୍ରିକେଟ୍‌ ସଂଘ ଆନୁକୂଲ୍ୟରେ ମାଲକାନଗିରିରେ ଚାଲିଥିବା ଭିଜନ-୨୪ କ୍ରିକେଟ୍ ପ୍ରତିଯୋଗିତାରେ ନୂଆ କୀର୍ତ୍ତିମାନ ସ୍ଥାପିତ ହୋଇଛି। ରବିବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଗୋଟିଏ ଓଭରରେ ୬ ୱିକେଟ୍ ପତନ ଭଳି ବିରଳ ତଥା ଅପ୍ରତ୍ୟାଶିତ ଘଟଣା ଦେଖିବାକୁ ମିଳିଛି। ଓଡ଼ିଶା କ୍ରିକେଟ୍‌ ଇତିହାସରେ ଏହା ପ୍ରଥମ ବୋଲି ମଧ୍ୟ କୁହାଯାଇଛି।

ମାଲକାନଗିରି ଜିଲ୍ଲାର ୧୪ ଓ ୧୬ ବର୍ଷର ଖେଳାଳିଙ୍କୁ ନେଇ ଗଠିତ ଦଳ ମଧ୍ୟରେ ଅନ୍ତଃକ୍ଲବ୍‌ କ୍ରିକେଟ୍‌ ପ୍ରତିଯୋଗିତା ଚାଲିଛି। ସ୍ଥାନୀୟ ଡିଏନ୍‌କେ ପଡ଼ିଆରେ ଚାଲିଥିବା ଏହି ପ୍ରତିଯୋଗିତାକୁ ମାଲକାନଗିରି ଜିଲ୍ଲା କ୍ରିକେଟ୍‌ ସଂଘ ଆୟୋଜନ କରୁଛି। ରବିବାରର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଜେଆର୍‌ସିସି ବଡ଼ ବ୍ୟବଧାନରେ ବିଜୟୀ ହୋଇଛି। ଆଉ ଏହି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଚନଦୀପ ସିଂହ ରିଆର୍। ପ୍ରଥମେ ବ୍ୟାଟିଂ କରିଥିବା ଜେଆର୍‌ସିସି ଦଳ ୨୮.୪ ଓଭରରେ ସମସ୍ତ ୱିକେଟ ହରାଇ ୧୬୨ ରନ କରିବାକୁ ସମର୍ଥ ହୋଇଥିଲା। ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ମାଲ୍ୟବନ୍ତ ଏକାଦଶ ଦଳ ଆରମ୍ଭରୁ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏହି ବିପର୍ଯ୍ୟୟ ଘଟାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଜେଆର୍‌ସିସିର ଚନଦୀପ ସିଂହ ରିଆର୍। ମାତ୍ର ଗୋଟିଏ ଓଭର ବୋଲିଂ କରି କୌଣସି ରନ ନ ଦେଇ ବିପକ୍ଷ ଦଳର ୫ ଜଣ ଖେଳାଳିଙ୍କୁ ଆଉଟ୍ କରି ନୂଆ କୀର୍ତ୍ତିମାନ କରିଥିଲେ ସେ।

ବଡ଼କଥା ହେଲା ଚାନଦୀପଙ୍କ ଏହି ଓଭରରେ ମୋଟ ୬ଟି ୱିକେଟ୍‌ର ପତନ ହୋଇଥିଲା। ଗୋଟିଏ ୱିକେଟ୍ ରନ୍‌ ଆଉଟ୍ ହୋଇଥିବା ବେଳେ ୩ଟି ବୋଲ୍ଡ ଏବଂ ଦୁଇ ଜଣ ଷ୍ଟମ୍ପିଂ ଆଉଟ୍ ହୋଇଥିଲେ। ସୂଚନାଯୋଗ୍ୟ, ଚନନ୍ଦୀପ ହେଉଛନ୍ତି ମାଲକାନଗିରି ଜିଲ୍ଲାର ବରିଷ୍ଠ କ୍ରିକେଟ୍‌ ଖେଳାଳି ତଥା ଓସିଏର ପ୍ରବନ୍ଧକ ପପୁ ସିଂହଙ୍କ ପୁଅ। ବାପାଙ୍କଠାରୁ କ୍ରିକେଟ୍‌ର ବିଭିନ୍ନ କଳା କୌଶଳ ଶିଖିଥିବା ବେଳେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଅଭ୍ୟାସ କରୁଥିବା କହିଛନ୍ତି ଏହି ଉତ୍ସାହୀ ଉଦୀୟମାନ କ୍ରିକେଟର। ଏହି ସଫଳତା ପାଇଁ ଚନଦୀପଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର