ଅଗଷ୍ଟ ୧ରୁ ନୂଆ ନିୟମ: ଛୁଟିଦିନରେ ବି ମିଳିବ ବେତନ, ପେନ୍‌ସନ୍

ନୂଆଦିଲ୍ଲୀ: ପ୍ରତି ସଂସ୍ଥା ଏକ ନିର୍ଦିଷ୍ଟ ଦିନରେ କର୍ମଚାରୀଙ୍କ ଖାତାରେ ବେତନ ଜମା କରନ୍ତି। ଯଦି ସେହି ଦିନଟି କୌଣସି ଛୁଟିଦିନରେ ପଡ଼ିଯାଏ ତେବେ କର୍ମଚାରୀମାନଙ୍କୁ ବେତନ ରାଶି ପାଇବା ଲାଗି ପରବର୍ତ୍ତୀ କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ଅଗଷ୍ଟ ୧ରୁ ଆଉ ଏହି ଅସୁବିଧା ରହିବ ନାହିଁ। ଛୁଟିଦିନରେ ମଧ୍ୟ ଲୋକମାନଙ୍କ ଖାତାରେ ବେତନ ଓ ପେନ୍‌ସନ୍ ରାଶି ଜମା ହେବ। ଅଗଷ୍ଟରୁ ବେତନ, ପେନ୍‌ସନ୍ ଓ ଇଏମ୍‌ଆଇ ପେମେଣ୍ଟ୍‌ ଭଳି ଗୁରୁତ୍ବପୂର୍ଣ୍ଣ ବ୍ୟାଙ୍କିଙ୍ଗ୍‌ କାର୍ଯ୍ୟ ଚବିଶ ଘଣ୍ଟା ହୋଇପାରିବ। ଜୁନ୍ ମାସର ମୁଦ୍ରାନୀତି ସମୀକ୍ଷା ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଥିଲେ ଯେ ଜାତୀୟ ସ୍ବଂୟକ୍ରିୟ କ୍ଲିୟରିଂ ହାଉସ୍‌ (ଏନ୍‌ଏସିଏଚ୍‌) ସୁବିଧା ଚବିଶ ଘଣ୍ଟା ଉପଲବ୍ଧ ହେବ। ବର୍ତ୍ତମାନ ଏହି ସୁବିଧା କେବଳ ବ୍ୟାଙ୍କ ଖୋଲା ରହୁଥିବା ଦିନ ମିଳୁଛି। ଗ୍ରାହକମାନଙ୍କ ଅନୁଭୂତିରେ ଉନ୍ନତି ଆଣିବା ଲାଗି ରିଅଲ ଟାଇମ୍ ଗ୍ରସ୍‌ ସେଟଲ୍‌ମେଣ୍ଟ୍‌ (ଆର୍‌ଟିଜିଏସ୍‌) ସୁବିଧା ଚବିଶ ଘଣ୍ଟା ଉପଲବ୍ଧ କରାଯାଇଛି।

ଏହା ସହିତ ଏନ୍‌ଏସିଏଚ୍‌କୁ ମଧ୍ୟ ଚବିଶ ଘଣ୍ଟା ଉପଲବ୍ଧ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଜାତୀୟ ସ୍ବୟଂକ୍ରିୟ କ୍ଲିୟରିଂ ହାଉସ୍‌ ହେଉଛି ଏକ ବଲ୍‌କ ପେମେଣ୍ଟ୍‌ ବ୍ୟବସ୍ଥା ଯାହା ନ୍ୟାସନାଲ ପେମେଣ୍ଟ୍‌ କର୍ପୋରେସନ୍ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ଦ୍ବାରା ପରିଚାଳିତ ହେଉଛି। ଏହି ବ୍ୟବସ୍ଥାରେ ଗୋଟିଏ ଖାତାରୁ ଏକକାଳୀନ ଭାବେ ବହୁ ଖାତାକୁ ପେମେଣ୍ଟ୍ କରାଯାଇପାରୁଛି। ବିଶେଷ କରି ଲାଭାଂଶ, ବେତନ ଓ ପେନ୍‌ସନ୍ ଆଦି ଜମା କରିବା ଲାଗି ଏହି ବ୍ୟବସ୍ଥାକୁ ବ୍ୟବହାର କରାଯାଉଛି। ବିଦ୍ୟୁତ, ଗ୍ୟାସ୍‌, ଟେଲିଫୋନ୍, ପାଣି ବିଲ୍; ଇଏମ୍‌ଆଇ, ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ ଓ ବୀମା ପ୍ରିମିୟମ୍ ଆଦିକୁ ମଧ୍ୟ ଏହି ବ୍ୟବସ୍ଥା ଜରିଆରେ ପରିଚାଳନା କରାଯାଉଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି)ର ସଫଳତାରେ ଜାତୀୟ ସ୍ବଂୟକ୍ରିୟ କ୍ଲିୟରିଂ ହାଉସ୍‌ର ବହୁତ ବଡ଼ ହାତ ରହିଛି। ଏହା ଜରିଆରେ ଦରକାର ସମୟରେ ସରକାର ହିତାଧିକାରୀଙ୍କ ହାତରେ ସିଧାସଳଖ ସୁବିଧା ପହଞ୍ଚାଇ ପାରୁଛନ୍ତି।

ସମ୍ବନ୍ଧିତ ଖବର