ଭୁବନେଶ୍ବର: ରାଜ୍ୟର ତିନି ଉଦୀୟମାନ ଦୌଡ଼କୁଦ ତାରକା ନମିତା ପ୍ରଧାନ, ନିରଞ୍ଜନ ମହାନ୍ତି ଓ ସମ୍ରାଟ ସାହା ରିଲାଏନ୍ସ ଫାଉଣ୍ଡେସନ୍ ଓଡ଼ିଶା ଆଥ୍ଲେଟିକ୍ସ ହାଇପର୍ଫମାନ୍ସରେ ପ୍ରଶିକ୍ଷଣ ନେବାକୁ ମନୋନୀତ ହୋଇଛନ୍ତି। ୮୦୦ ମିଟର, ୧୫୦୦ ମିଟର ଭଳି ଲମ୍ବଦୂରତାରେ ରିଲାଏନ୍ସ ଦ୍ବାରା ହୋଇଥିବା ଜାତୀୟ ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରି ପଦକ ଜିତିଥିବା ନମିତାଙ୍କ ସହ ୧୦୦ ଓ ୨୦୦ ମିଟରରେ ନିରଞ୍ଜନ ଏବଂ ଲମ୍ବ ଡିଆଁ ଓ ଟ୍ରିପଲ ଜମ୍ପ୍ରେ ସମ୍ରାଟ ଜାତୀୟ ସ୍ତରୀୟ କନିଷ୍ଠ ପ୍ରତିଯୋଗିତାରେ ପଦକ ଜିତି ନିଜ ନିଜର ପରାକାଷ୍ଠା ଦେଖାଇ ସାରିଛନ୍ତି।
ବରଗଡ଼ ଜିଲ୍ଲା ବାସିନ୍ଦା ତଥା ପୂର୍ବତନ ସେନା ଅଧିକାରୀ ନିତ୍ୟାନନ୍ଦ ମହାନ୍ତି ଓ ସସ୍ମିତା ମହାନ୍ତିଙ୍କ ପୁଅ ନିରଞ୍ଜନ ଏବଂ ଝାରସୁଗୁଡ଼ାର ଇବ୍ଥର୍ମାଲ ବାସିନ୍ଦା ସୀତାରାମ ସାହା ଓ ଲଳିତା ସାହାଙ୍କ ପୁଅ ସମ୍ରାଟ ପିଲାଟିବେଳୁ ଖେଳ ପ୍ରତି ଆଗ୍ରହୀ ଥିଲେ। ଅନ୍ୟପକ୍ଷରେ ଅନ୍ୟନ୍ତ ଗରିବ ପରିବାରରୁ ଆସିଥିବା ନମିତା ମଧ୍ୟ ନିଜ ଏକାଗ୍ରତା ଓ ଅଧ୍ୟବସାୟ ବଳରେ ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି। ସଂପ୍ରତି ବରିଷ୍ଠ ସ୍ତରରେ ପଦକ ଜିତିବା ଲାଗି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ପ୍ରଶିକ୍ଷକ ଶିବ ମିଶ୍ରଙ୍କ ତତ୍ତ୍ବାବଧାନରେ ସମସ୍ତେ କଠିନ ଅଭ୍ୟାସ ଚଳାଇଛନ୍ତି। ରିଲାଏନ୍ସ ଫାଉଣ୍ଡେସନର ସହଯୋଗ ମିଳିବା ପରେ ସେମାନଙ୍କ ପ୍ରଦର୍ଶନରେ ନିଶ୍ଚିତ ଆହୁରି ଉନ୍ନତି ଆସିବ ବୋଲି ପ୍ରଶିକ୍ଷକ ଶ୍ରୀ ମିଶ୍ର ଦୃଢ଼ ଆଶା ପୋଷଣ କରିଛନ୍ତି। ସାହାଯ୍ୟ, ସହଯୋଗ ପାଇଁ ସେ ମଧ୍ୟ ରାଜ୍ୟ କ୍ରୀଡ଼ା ବିଭାଗ, କ୍ରୀଡ଼ାମନ୍ତ୍ରୀ, କ୍ରୀଡ଼ା ନିର୍ଦ୍ଦେଶକ ଏବଂ ରିଲାଏନ୍ସକୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ସମୟରେ ଜାତୀୟ ବରିଷ୍ଠ ପ୍ରତିଯୋଗିତାରେ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିବା ଆମର ଲକ୍ଷ୍ୟ ବୋଲି ନମିତା, ନିରଞ୍ଜନ ଓ ସମ୍ରାଟ କହିଛନ୍ତି। ସେହିଭଳି ଦୂତି ଚାନ୍ଦ, ପୂର୍ଣ୍ଣିମା ହେମ୍ବ୍ରମ୍ ଓ ଜଉନା ମୁର୍ମୁଙ୍କ ଭଳି ରାଜ୍ୟର ସଫଳ ଓ ଆଗଧାଡ଼ିର ଦୌଡ଼କୁଦ ତାରକାଙ୍କ ସାନିଧ୍ୟ ସେମାନଙ୍କୁ ପ୍ରେରଣା ଓ ଉତ୍ସାହ ଭରିଦେଇଛି ବୋଲି ମତ ଦେଇଛନ୍ତି।