ତିୱାତିଆଙ୍କୁ ନେଇ ତୋଫାନୀ ଚର୍ଚ୍ଚା: ସିହିର ନୂଆ ସୁପରଷ୍ଟାର, ୧୦ ଲକ୍ଷରୁ ୩ କୋଟି

ସାରଜା: ମାତ୍ର ଗୋଟିଏ ଅସାଧାରଣ ଓ ଅବିଶ୍ବସନୀୟ ପାଳି ପରେ ରାଜସ୍ଥାନ ରୟାଲ୍ସ ଅଲରାଉଣ୍ଡର ରାହୁଲ ତିୱାତିଆ ରାତାରାତି ଟ୍ବେଣ୍ଟି-୨୦ କ୍ରିକେଟ୍‌ର ନୂଆ ନାୟକ ଭାବେ ଉଭା ହୋଇଛନ୍ତି। କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ରୟାଲ୍ସର ରବିବାର ରାତି ଅସାଧାରଣ ପଶ୍ଚାତଧାବନରେ ଗୋଟିଏ ଓଭରରେ ପାଞ୍ଚଟି ଛକା ମାରି ଅସାଧ୍ୟକୁ ସାଧ୍ୟ କରିଥିବା ଏହି ହରିଆଣା ହିରୋଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ସମସ୍ତଙ୍କ ମୁହଁରେ ତାଙ୍କ ପ୍ରଶଂସା। ପୂର୍ବରୁ ଅଜଣା ଅଶୁଣା ଥିବା ତିୱାତିଆ ଯେମିତି ନିଜ ଜମାଣିଆ ଛକା ବର୍ଷାରେ କ୍ରିକେଟ୍‌ପ୍ରେମୀଙ୍କ ମନ ପୂରା ଜିତି ନେଇଛନ୍ତି। ଏପରିକି ଗୁଗଲ୍‌ ଓ ୟାହୁ ଭଳି ସର୍ଚ ଇଞ୍ଜିନରେ ତାଙ୍କ ନାଁକୁ ସର୍ଚ କରୁଥିବା ଉତ୍ସୁକଙ୍କ ସଂଖ୍ୟା ହଜାରେ ଗୁଣ ବଢ଼ି ଯାଇଛି। ଛକା ମାଷ୍ଟର ଯୁବରାଜ ସିଂହଙ୍କ ସହ ଅନେକ କ୍ରିକେଟ୍ କିଂବଦନ୍ତି ମଧ୍ୟ ହଠାତ୍ ଏହି ବାମହାତୀ ବ୍ୟାଟିଂ ବୀରଙ୍କ ପ୍ରଶଂସକ ପାଲଟି ଯାଇଛନ୍ତି। ଏଭଳି ସ୍ଥିତିରେ ତିୱାତିଆ କିଏ? ଏବଂ କେମିତି ଓ କିଭଳି ଭାବେ ତାଙ୍କ ଆଇପିଏଲ୍ ଯାତ୍ରା ଆରମ୍ଭ ହୋଇଥିଲା? ସେହି ରୋଚକ ଓ ଜିରୋରୁ ହିରୋ ପାଲଟିବାର ଅଦ୍ଭୁତପୂର୍ବ କାହାଣୀ ଉପରେ ନଜର ପକାଇବାର ଆବଶ୍ୟକତା ଦେଖା ଦେଇଛି। କାରଣ ସାରଜାରେ ତିୱାତିଆ କେବଳ ତୋଫାନୀ ପାଳି ଖେଳି ନଥିଲେ ରବିନ ଉଥାପ୍ପାଙ୍କ ଆଗରୁ ରାଜସ୍ଥାନ ତାଙ୍କୁ ବ୍ୟାଟିଂ ପଠାଇବାର ଉଚିତ ସମ୍ମାନ ବି ରଖିଥିଲେ। ୩୧ ବଲ୍‌ରୁ ୭ ବିଶାଳ ଛକା ବର୍ଷା ସହ ୫୩ ରନ୍ କରି ରାଜସ୍ଥାନର ଆଇପିଏଲ୍‌ ଇତିହାସର ସର୍ବୋଚ୍ଚ ପଶ୍ଚାତଧାବନରେ ସେ ଅନ୍ୟତମ ପ୍ରମୁଖ ଭୂମିକା ତୁଲାଇଥିଲେ। ଏକଦା ୧୯ ବଲରୁ ୮ ରନ୍‌ କରିଥିବା ତିୱାତିଆ ପରବର୍ତୀ ୧୨ ବଲରୁ ୪୫ ରନ୍ ଆଦାୟ କରିଥିଲେ। ‌ୱେଷ୍ଟଇଣ୍ଡିଜ୍ ଦ୍ରୁତ ବୋଲର ସେଲଡ୍ରନ୍ କଟ୍ରେଲଙ୍କ ଗୋଟିଏ ଓଭରରୁ ୫ ଛକା ମାରି ସମ୍ଭାବ୍ୟ ଖଳାନାୟକରୁ ନାୟକ ପାଲଟିଯାଇଛନ୍ତି।

ସିହିର ନୂଆ ସୁପରଷ୍ଟାର
୨୭ ବର୍ଷୀୟ ତିୱାତିଆ ହେଉଛନ୍ତି ହରିଆଣାର ମୂଳ ବାସିନ୍ଦା। ତାଙ୍କ ଜନ୍ମ ଏହି ଉତ୍ତର ଭାରତୀୟ ରାଜ୍ୟର ସିହି ଗ୍ରାମରେ ୧୯୯୩ ମସିହା ମେ’ ୨୦ ତାରିଖରେ ହୋଇଥିଲା। ସେ ୨୦୧୩ ମସିହାରେ ହରିଆଣା ପକ୍ଷରୁ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ। ହେଲେ ସେମିତି କିଛି ଖାସ୍ ଓ ପ୍ରଭାବଶାଳୀ ପ୍ରଦର୍ଶନ ଦେଇ ପାରି ନଥିଲେ। କହିବାକୁ ଗଲେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ତାଙ୍କ ରେକର୍ଡ ଅତି ନଗଣ୍ୟ। ଗତ ୭ ବର୍ଷ ମଧ୍ୟରେ ସେ ମାତ୍ର ୭ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରେ ୧୨.୨୭ ହାରରେ ୧୯୦ ରନ୍ କରିଛନ୍ତି। ଶତକ ଛାଡ଼ନ୍ତୁ ଅର୍ଧଶତକଟିଏ ବି ମାରି ନାହାନ୍ତି। ଅବଶ୍ୟ ଗୋଟିଏ ପାଞ୍ଚ ୱିକେଟ୍ ସଫଳତା ସହ ଲେଗ୍ ସ୍ପିନ୍ ବୋଲିଂ କରି ୧୭ ୱିକେଟ୍ କରାୟତ କରିଛନ୍ତି ସେ। ଆଇପିଏଲ୍‌ର ଗୋଟିଏ ପାଳି କିନ୍ତୁ ତାଙ୍କ ପାଇଁ ନୂଆ ଖ୍ୟାତି ଓ ଅପ୍ରତ୍ୟାଶିତ ହେଲେ ଅନନ୍ୟ ଲୋକପ୍ରିୟତା ଆଣି ଦେଇଛି।

ପ୍ରଶଂସାରେ ପୋତିଲେ କିଂବଦନ୍ତି
।ଅବିଶ୍ବସନୀୟ ଓ ମନ୍ତ୍ରମୁଗ୍ଧକର। ଆମେ କ’ଣ ଖୋଦ୍ ସଞ୍ଜୁ ସାମସନ୍ ମଧ୍ୟ ତିୱାତିଆଙ୍କ ପାଳିକୁ ବିଶ୍ବାସ କରି ପାରୁ ନଥିଲେ: ସୁନିଲ ଗାଭାସ୍କର
।ପୋଷ୍ଟର ଫାଟିଲା ହିରୋ ବାହାରିଲେ, ତିୱାତିଆ ହିଁ ଅସଲ ହିରୋ। ମୟଙ୍କ-ରାହୁଲ ରାମ ଲକ୍ଷ୍ମଣର ଅନିଲ କାପୁର-ଜ୍ୟାକି ସ୍ରଫ୍: ବୀରେନ୍ଦ୍ର ସେହାବାଗ
।ରାହୁଲ ତିୱାତିଆ; ନା ଭାଇ ନା, ଅନ୍ତତଃ ଗୋଟିଏ ବଲ୍‌କୁ ଛକା ନମାରି ଭଲ କଲ। ସେଥିପାଇଁ ବହୁତ ବହୁତ ଧନ୍ୟବାଦ: ଯୁବରାଜ ସିଂହ
।ଅତି ଚମତ୍କାର, ଆଗକୁ ମୁଁ କୌଣସି ଦଳ କିମ୍ବା କୌଣସି ଖେଳାଳି ଏକଥା କରି ପାରିବେନି ବୋଲି କହିବିନି, ଆଇପିଏଲ୍‌ରେ କିଛି ବି ହୋଇପାରେ: କେଭିନ ପିଟରସନ୍
।ମୁଁ ଜାଣିଥିଲି ଗୋଟିଏ ବଡ଼ ସଟ୍ ନଦୀବନ୍ଧର ସବୁ ବନ୍ୟା ଗେଟ୍ ଖୋଲିଦେବ। ତିୱାତିଆଙ୍କ ଦକ୍ଷତା ଉପରେ ମୋର ପୂର୍ଣ୍ଣ ଭରସା ଓ ବିଶ୍ବାସ ରହିଥିଲା: ଷ୍ଟିଭେନ୍ ସ୍ମିଥ୍

୧୦ ଲକ୍ଷରୁ ୩ କୋଟି
ତିୱାତିଆଙ୍କ ଆଇପିଏଲ୍ ଜୀବନ ୨୦୧୪ ମସିହାରେ ରାଜସ୍ଥାନ ରୟାଲ୍ସରୁ ହିଁ ଆରମ୍ଭ ହୋଇଥିଲା। ମାତ୍ର ୧୦ ଲକ୍ଷ ଟଙ୍କାରେ ବିକ୍ରି ହେବା ପରେ ୨୦୧୫ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ସେ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଥିଲେ। ୨୦୧୬ ଆଇପିଏଲ୍‌ ଋତୁରେ ସେ ଅଂଶଗ୍ରହଣ କରି ନଥିଲେ। ୨୦୧୭ରେ ତାଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ କିଣିଥିଲା। ସେହିବର୍ଷ ମାତ୍ର ୩ ମ୍ୟାଚ୍ ଖେଳି ୧୯ ରନ୍ କରିବା ସହ ୩ ୱିକେଟ୍ ଅକ୍ତିଆର କରିଥିଲେ ସେ। ୨୦୧୮ ନିଲାମରେ ଦିଲ୍ଲୀ ଡେୟାର ଡେଭିଲ୍ସ (ଏବେକାର ଦିଲ୍ଲୀ କ୍ୟାପିଟାଲ୍ସ) ଏକ ବଡ଼ ଜୁଆ ଖେଳି ତାଙ୍କୁ ୩ କୋଟି ଟଙ୍କାରେ କିଣିଥିଲା। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟ ତାଙ୍କୁ ନେବାକୁ ନିଲାମ ଡାକିଥିଲେ। ହେଲେ ଶେଷରେ ଦିଲ୍ଲୀ ବାଜି ମାରି ନେଇଥିଲା। ୨୦୧୮ ଋତୁରେ ୮ ମ୍ୟାଚ୍ ଖେଳି ୫୦ ରନ୍ କରିବା ସହ ୬ ୱିକେଟ୍ ନେଇଥିଲେ ତିୱାତିଆ। ସେହିଭଳି ୨୦୧୯ ଋତୁରେ ମୁଖ୍ୟ ପ୍ରଶିକ୍ଷକ ରକି ପଣ୍ଟିଂଙ୍କ ମାର୍ଗଦର୍ଶନରେ ୫ ମ୍ୟାଚ୍ ଖେଳି ପୁଣି ଥରେ ପ୍ରଭାବୀ ପ୍ରଦର୍ଶନ ଦେବାରେ ବିଫଳ ହୋଇଥିଲେ। ସେଥିପାଇଁ ଚଳିତ ଋତୁରେ ଦିଲ୍ଲୀ ତାଙ୍କୁ ରାଜସ୍ଥାନକୁ ବିକି ଦେଇଥିଲା। ସମ୍ଭବତଃ ନିଜ ପୁରୁଣା ଦଳରେ ସଫଳତାର ଶୀର୍ଷ ଛୁଇଁବା ତାଙ୍କ ଭାଗ୍ୟରେ ଲେଖାଥିଲା।

ଭାଇରାଲ ହେଉଛି ପୁରୁଣା ଟ୍ବିଟ୍
‘କର୍ମ କରିଚାଲ ଫଳ ଆପେ ଆପେ ଆସିବ’ ନୀତିବାଣୀରେ ବିଶ୍ବାସ କରନ୍ତି ତିୱାତିଆ। ସେଥିପାଇଁ ଗତ ୭ ଋତୁ ହେବ ଆଇପିଏଲ୍‌ରେ ଛାପ ଛାଡ଼ିବା ଲାଗି ସେ ନିରନ୍ତର ଅଧ୍ୟବସାୟ ଜାରି ରଖିଛନ୍ତି। ରବିବାର ରାତିର ଅବିଶ୍ବସନୀୟ ପାଳି ପରେ ତାଙ୍କର କିଛି ପୁରୁଣା ଟ୍ବିଟ୍ ଭାଇରାଲ ହେବାରେ ଲାଗିଛି। ଯେମିତି ଓ ଯେଭଳି ପରିବେଶ ଏବଂ ପରିସ୍ଥତି ଆସୁ ପଛେ ପ୍ରୟାସ କରିବା ନ ଛାଡ଼ିବାର ଝୁଙ୍କ ହିଁ ତାଙ୍କୁ ଆଜି ଏହି ଲୋକପ୍ରିୟତା ଓ ଭଲ ପାଇବା ଦେଇଛି। ୨୦୧୭ ଋତୁରେ ଆଶାଜନକ ସୁଯୋଗ ନପାଇବା ପରେ ତିୱାତିଆ ଟ୍ବିଟ୍ କରିଥିଲେ ଯେ ନିଜ ଉପରେ ଭରସା ରଖ, ଜୀବନର ସବୁଠାରୁ ଚମତ୍କାର ଘଟଣା ଆପଣ ସବୁକିଛି ଛାଡ଼ିବାର ଦ୍ବାର ଦେଶରେ ଥିଲାବେଳେ ହିଁ ଘଟିଥାଏ। ରବିବାର ସାରଜାରେ ତାଙ୍କ ସହ ଏହା ହିଁ ଘଟିଥିଲା। ମନ୍ଥର ପାଳି ପାଇଁ ଏକ ସମୟରେ ସମାଲୋଚିତ ହେବା ପରେ ହଠାତ୍ ସେ ଛକା ବର୍ଷା କରି ହିରୋ ପାଲଟି ଯାଇଥିଲେ।

ଖଟାମିଠା ସାରଜା ଧମାକା
ତିୱାତିଆଙ୍କ ସାରଜା ଧମାକାରେ ତାଙ୍କ ପାଇଁ ଖଟା ମିଠା ଭରା ଅଭିଜ୍ଞତା ଥିଲା। ଆରମ୍ଭରୁ ପାଳି ଅଧା ପର୍ଯ୍ୟନ୍ତ ସେ ପୂରା ସଂଘର୍ଷ କରିଥିଲେ। ବଡ଼ ବିଜୟ ଲକ୍ଷ୍ୟ ପାଇଁ ପିଞ୍ଚ୍ ହିଟର ଭାବେ ଆସିଥିଲେ ମଧ୍ୟ ପ୍ରଥମ ୮ ରନ୍ ପାଇଁ ୧୯ ବଲ୍ ଖେଳିଥିଲେ। ଫଳରେ ରାଜସ୍ଥାନ ପ୍ରଶଂସକଙ୍କ ନଜରରେ ଖଳନାୟକ ପାଲଟି ଯାଇଥିଲେ। ଏହା ପରେ କିନ୍ତୁ ସେ ହଠାତ୍ ନିଜ ଗିୟର ବଦଳାଇ ଛକା ବର୍ଷା କରଥିଲେ। ପରବର୍ତ୍ତୀ ୧୨ ବଲ୍‌ରେ ସେ ୪୫ ରନ୍ ଅମଳ କରି ନେଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ସେଥିପାଇଁ ରବିବାର ନିଜ ପାଳିର ପ୍ରଥମ ୨୦ ବଲ୍‌କୁ ସେ ଜୀବନର ସବୁଠାରୁ ଖରାପ ଅଧ୍ୟାୟ ଭାବେ ବର୍ଣ୍ଣନା କରିଛନ୍ତି ସେ।

ସମ୍ବନ୍ଧିତ ଖବର