ଭୁବନେଶ୍ୱର,: ଓଡ଼ିଶା ଟେନିସ୍ ଦୁନିଆରେ ଆସନ୍ତା ମାସରେ ଏକ ନୂଆ ଅଧ୍ୟାୟ ସଂଯୋଗ ହୋଇଯିବ। ପ୍ରଥମ ଥର ପାଇଁ ପେସାଗତ ଢ଼ାଞ୍ଚାରେ ଖେଳାଯିବ ଓଡ଼ିଶା ଟେନିସ୍ ପ୍ରିମିୟର୍ ଲିଗ୍ (ଓଟିପିଏଲ୍)। ପ୍ରଥମ ସଂସ୍କରଣ କଳିଙ୍ଗ ଷ୍ଟାଡିୟମ୍ରେ ନଭେମ୍ବର ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଅନୁଷ୍ଠିତ ହେବ। ଆମେରିକାର ପ୍ରଫେସନାଲ୍ ଟେନିସ୍ ରେଜିଷ୍ଟ୍ରୀ ସହିତ ଅନୁବଂଧିତ ନୂଆଦିଲ୍ଲୀର ନୀଳାଚଳ ଟେନିସ୍ ଏକାଡେମୀ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ଓଡ଼ିଶା ଟେନିସ୍ରେ ନୂଆ ଅଧ୍ୟାୟ ସଂଯୋଗ କରିବ ବୋଲି କହିଛନ୍ତି ରାଜ୍ୟର ଆଗଧାଡ଼ିର ଖେଳାଳି ଓ ପ୍ରଶିକ୍ଷକମାନେ। ରାଜ୍ୟର ଏକ ନମ୍ବର ଖେଳାଳି ଚିନ୍ମୟ ପ୍ରଧାନଙ୍କ ସହିତ ପୂର୍ବତନ ରାଜ୍ୟ ବିଜେତା ଅଜୟ ନିଶଙ୍କ, ସନ୍ତୋଷ ମଲ୍ଲିକ, ସତୀର୍ଥ ପଟ୍ଟନାୟକ, ଲଳିତ ଦାଶ ମଧ୍ୟ ପ୍ରତିଯୋଗିତାକୁ ସମର୍ଥନ କରି ଏହାର ନିର୍ଦେଶକ ଦିଲ୍ଲୀପ ମହାନ୍ତିଙ୍କ ସହିତ ହାତ ମିଳାଇଛନ୍ତି। ଓପିଟିଏଲ୍ର ପ୍ରଥମ ସଂସ୍କରଣ ସଫଳତା ପାଇଲେ ପରବର୍ତୀ ସଂସ୍କରଣକୁ ଏହାକୁ ଅଧିକ ବଡ଼ ଆକାରରେ ଆୟୋଜିତ କରାଯିବ ବୋଲି ମଧ୍ୟ କୁହାଯାଇଛି। ଓପିଟିଏଲ୍ ଓଡ଼ିଶାରେ ଟେନିସ୍ ଦୃଶ୍ୟପଟ୍ଟକୁ ବଦଳାଇଦେବ ଏବଂ ଉଦୀୟମାନ ଖେଳାଳିମାନଙ୍କୁ ବିକଶିତ କରିବାରେ ବଡ଼ ଯୋଗଦାନ ରଖିବ ବୋଲି ଆଶା କରିଛନ୍ତି ଆୟୋଜକ ତଥା ପ୍ରତିଯୋଗିତା ନିର୍ଦେଶକ ଦିଲୀପ ମହାନ୍ତି।
ପ୍ରତିଯୋଗିତାରେ ମୋଟ ୮ ଦଳ ଭାଗନେବେ। ପ୍ରତି ଦଳରେ ୪ ଜଣ ଖେଳାଳି ରହିବେ। ରାଜ୍ୟର ପ୍ରମୁଖ ୩୨ ଜଣ ଖେଳାଳିଙ୍କୁ ସେମାନଙ୍କ ପ୍ରଦର୍ଶନ ଓ ମାନ୍ୟତା ଭିତ୍ତିରେ ସମାନ ଭାବରେ ୪ ଶ୍ରେଣୀଭୁକ୍ତ ହୋଇଛନ୍ତି। ଏ ଶ୍ରେଣୀଭୁକ୍ତ ଖେଳାଳିଙ୍କୁ ୫୦,୦୦୦ ଟଙ୍କା, ବି’ ଶ୍ରେଣୀଭୁକ୍ତ ଖେଳାଳିଙ୍କୁ ୪୦,୦୦୦, ସି’ଙ୍କୁ ୩୦,୦୦୦ ଏବଂ ଡି’ଭୁକ୍ତଙ୍କୁ ୨୦,୦୦୦ ଟଙ୍କା ଲେଖାଏଁ ମିଳିବ। ଗ୍ରୁପ୍ ‘ଏ’ରେ ଆଦର୍ଶ ସାହୁ, ଅଜୟ କୁମାର ନିଶଙ୍କ, ଆଶୁତୋଷ ଦାସ, ଚନ୍ଦ୍ର ଶେଖର ମହାନ୍ତି, ଚିନ୍ମୟ ପ୍ରଧାନ, କିବର ହଂସ, ସନ୍ତୋଷ କୁମାର ମଲ୍ଲିକ, ସତୀର୍ଥ ପଟ୍ଟନାୟକ ରହିଛନ୍ତି। ଅନୁଗୁଳ ଏସର୍ସ, ଭଦ୍ରକ ଭିକ୍ଟର୍ସ, କଟକ କନକ୍ୱରର୍ସ, ଖୋର୍ଧା ଓ୍ଵାରିୟର୍ସ, କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ, ପୁରୀ େଓ୍ଵଭର୍ସ, ସମ୍ବଲପୁର ସୁଟର୍ସ, ସୁନ୍ଦରଗଡ଼ ବୀରାନ୍ସ ଆଦି ୮ ଦଳରେ ଉପରୋକ୍ତ ୩୨ ଜଣଙ୍କୁ ଆବଣ୍ଟିତ କରାଯାଇଛି। ସେହିଭଳି ୮ ଦଳକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଉଭୟ ଗ୍ରୁପ୍ର ଶୀର୍ଷ ୨ ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ସବୁ ଦଳକୁ ସମାନ ଶକ୍ତି ଓ ସାମର୍ଥ୍ୟର କରିବା ଲାଗି ଆମେ ଖେଳାଳି ନିଲାମ ନ କରି ପ୍ରଦର୍ଶନ ଭିତ୍ତିରେ ଖେଳାଳିଙ୍କୁ ବାଣ୍ଟିଛୁ ବୋଲି କହିଥିଲେ ଶ୍ରୀ ମହାନ୍ତି। ଲିଗ୍ ପର୍ଯ୍ୟାୟରେ ଦୁଇଟି ପୁରୁଷ ଏକକ, ଗୋଟିଏ ଲେଖାଏଁ ମହିଳା ଏକକ, ପୁରୁଷ ଯୁଗଳ, ମିଶ୍ରିତ ଯୁଗଳ ବର୍ଗର ମୁକାବିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ୧୫ ଗେମ୍ ବିଶିଷ୍ଟ ଏବଂ ପରବର୍ତୀ ସମୟରେ ୩ ସେଟ୍ ବିଶିଷ୍ଟ ଖେଳାଯିବ। ବିଜେତା ଦଳକୁ ୧,୦୦, ୦୦୦ ଟଙ୍କା ଏବଂ ଉପ ବିଜେତାକୁ ୮୦,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।
କେଉଁ ଦଳରେ କିଏ
ଭଦ୍ରକ ଭିକ୍ଟର୍ସ: ଆଶୁତୋଷ ଦାସ, କୁମାର ଅନୁରାଗ ଷଡ଼ଙ୍ଗୀ, ଆୟେଶା ସ୍ୱାଇଁ, ମନୋଜ କୁମାର ନାୟକ। କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ: ଚନ୍ଦ୍ର ଶେଖର ମହାନ୍ତି, ସୁଦ୍ଧାନ୍ତ ଶେଖର ମହାନ୍ତି, ଋତୁପର୍ଣ୍ଣା ଚୌଧୁରୀ, ରାହୁଲ କୁମାର ମହାନ୍ତି। ଖୋର୍ଧା ଓ୍ଵାରିୟର୍ସ: ଚିନ୍ମୟ ପ୍ରଧାନ, ସଂଗ୍ରାମ କୁମାର ପାତ୍ର, ହେନାମିକା କରିନା ସାହୁ, ଅଭିଜିତ୍ ପ୍ରଧାନ। ପୁରୀ ଓ୍ଵାରିୟର୍ସ: ସନ୍ତୋଷ କୁମାର ମଲ୍ଲିକ, ଲଳିତ ଦାସ, ଅନାମ ଅଲମାସ, ବିବେକ ମହାନନ୍ଦ। ଅନୁଗଳ ଏସେସ୍: କବିର ହଂସ, ଆଦିତ୍ୟ ଶତପଥୀ, ଅଙ୍କିତା ପଣ୍ଡା, ଆଦିତ୍ୟ ନାରାୟଣ ଗୁରୁ। କଟକ କନକ୍ୱରର୍ସ: ଆଦର୍ଶ ସାହୁ, ସୁନୀଲ ପଟେଲ୍, ଅନୀଷା ମୁଖାର୍ଜୀ, ଜୟେସ ମାଙ୍ଗେଲା। ସୁନ୍ଦରଗଡ଼ ବୀରାନ୍ସ: ଅଜୟ କୁମାର ନିଶଙ୍କ, ସ୍ୱସ୍ତିକ ସତ୍ୟକାମ ପ୍ରଧାନ, ଶିଳ୍ପୀ ସ୍ୱରୂପା ଦାସ, ସୁରଜ ସାହୁ। ସମ୍ବଲପୁର ସୁଟର୍ସ: ସତୀର୍ଥ ପଟ୍ଟନାୟକ, ଲଲାଟେନ୍ଦୁ ବର୍ମା, ଅମିକ କିରଣ ବଟ୍ଟ, ବିଶ୍ୱଜିତ ଦାସ।
ଓଡ଼ିଶା ଟେନିସ୍ରେ ନୂଆ ଅଧ୍ୟାୟ:ନଭେମ୍ବର ୧୯ରୁ ଓଡ଼ିଶା ଟେନିସ୍ ପ୍ରିମିୟର୍ ଲିଗ୍
/sambad/media/post_attachments/wp-content/uploads/2017/10/tennis-in-Odisha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)