ଆଇପିଏଲ୍‌ରେ ନୂଆ ଧାରା

ନୂଆଦିଲ୍ଲୀ/ମୁମ୍ବାଇ: ଆଇପିଏଲ-୧୧ ରବିବାର ଗୋଟିଏ ସପ୍ତାହ ଅତିକ୍ରାନ୍ତ କରିଛି। ଏହି ଅବଧିରେ ୧୨ ମ୍ୟାଚ୍‌ ସମ୍ପନ୍ନ ହୋଇଛି। କିଛି ନୂଆ ଧାରା ତଥା ପ୍ରବୃତ୍ତି ଆଣିଛି ଏଥରର ଆଇପିଏଲ୍‌। ପ୍ରତିଯୋଗିତାର ଅବଶିଷ୍ଟ ଭାଗରେ ମଧ୍ୟ ଏହାର ପ୍ରଭାବ ଓ ପ୍ରତିଫଳନ ରହିବ ବୋଲି ବିଶ୍ୱାସ ଜନ୍ମିଛି।
ପ୍ରଥମ ଓଭରରୁ ଆକ୍ରମଣ
ଗତବର୍ଷ ପର୍ଯ୍ୟନ୍ତ ଏକ ଆଇପିଏଲ୍‌ ପାଳିରେ ପ୍ରାୟତଃ ପ୍ରଥମ ଓଭର ସବୁଠାରୁ କମ୍‌ ରନ୍‌ ହେଉଥିଲା। ଏବେ କିନ୍ତୁ ଆଉ ସେ ଜମାନା ନାହିଁ। ପାଳି ଆରମ୍ଭରୁ ଆକ୍ରମଣ ଲାଗି ଅଧିକାଂଶ ଦଳ ହୃଦୟଙ୍ଗମ କରି ସାରିଛନ୍ତି ଏବଂ ପ୍ରୟୋଗ ମଧ୍ୟ କରୁଛନ୍ତି । ଚଳିତ ସଂସ୍କରଣରେ ଏ ପର୍ଯ୍ୟନ୍ତ ପ୍ରଥମ ଓଭର ରନ୍‌ ସଂଗ୍ରହ ହାରାହାରି ରହିଛି ୮.୭୦। ପୂର୍ବ ଋତୁ ତୁଳନାରେଏହା ଢ଼େର ଅଧିକ। ୨୦୧୭ ଋତୁରେ ହାରାହାରି ପ୍ରଥମ ଓଭର୍‌ ରନ୍‌ ଥିଲା ୬.୫୪। ଏପ୍ରିଲ୍‌ ୧୫ ତାରିଖ ସୁଦ୍ଧା ପ୍ରଥମ ଓଭରରେ ୫ ଥର ଦଳ ୧୪ରୁ ଊର୍ଧ୍ୱ ରନ୍‌ ସଂଗ୍ରହ କରି ସାରିଛନ୍ତି। ଯାହାକି ଗତ ସମ୍ପୂର୍ଣ୍ଣ ଋତୁରେ ମାତ୍ର ୨ ଥର ଘଟିଥିଲା। ଚଳିତ ଋତୁରେ ଏ ପର୍ଯ୍ୟନ୍ତ ଏକମାତ୍ର ଦଳ ଭାବେ ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରଥମ ଓଭରରେ ବ୍ୟୟବହୁଳ ବରଣ କରିନାହିଁ। ଚଳିତ ଋତୁର ଏ ପର୍ଯ୍ୟନ୍ତ ସବୁଠାରୁ ୫ ମିତ୍ତବ୍ୟୟୀ ଓଭର ମଧ୍ୟରୁ ୩ଟି ହାଇଦ୍ରାବାଦ ବୋଲର୍‌ କରିଛନ୍ତି। ଏହି କାରଣରୁ ମଧ୍ୟ ଦଳ ପ୍ରଥମ ୩ ମ୍ୟାଚ୍‌ ଜିତି ହ୍ୟାଟ୍ରିକ୍‌ କରି ସାରିଛି।
ପାଓ୍ଵାର ପ୍ଲେ’ରୁ ପ୍ରଚୁର ରନ୍‌
ଚଳିତ ସଂସ୍କରଣରେ ବ୍ୟାଟିଂ କରୁଥିବା ଦଳ ସାଧାରଣତଃ ପ୍ରଥମ ପାଓ୍ଵାର ପ୍ଲେ’ରୁ ସର୍ବାଧିକ ରନ୍‌ ସଂଗ୍ରହ କରିବା ନଜରକୁ ଆସିଛି। ଏ ପର୍ଯ୍ୟନ୍ତ ଖେଳାଯାଇଥିବା ୧୨ ମ୍ୟାଚ୍‌ ଦେଖିଲେ ପ୍ରଥମ ୬ ଓଭରରୁ ହାରାହାରି ସଂଗୃହିତ ରନ୍‌ ହେଉଛି ୯.୩୮। ଗତ ଋତୁରେ ୧୨ ମ୍ୟାଚ୍‌ ସୁଦ୍ଧା ଏହା ଥିଲା ୮.୩୩। ଚଳିତ ଋତୁରେ ମଧ୍ୟ ପାଓ୍ଵାରପ୍ଲେରେ ଅଧିକ ଓ୍ଵିକେଟ୍‌ ହରାଉନାହାନ୍ତି। ଏ ପର୍ଯ୍ୟନ୍ତ ଓ୍ଵିକେଟ୍‌ ପିଛା ରନ୍‌ ରହିଛି ୩୬.୫୧। ସବୁ ସଂସ୍କରଣକୁ ଦେଖିଲେ ଏହା ମଧ୍ୟ ୧୨ ମ୍ୟାଚ୍‌ ପର୍ଯ୍ୟନ୍ତ ସର୍ବୋଚ୍ଚ। ଏହା କେବଳ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ନୁହେଁ, ବିଜୟ ଲକ୍ଷ୍ୟର ପଶ୍ଚାତଧାବନ କରୁଥିବା ଦଳ କ୍ଷେତ୍ରରେ ମଧ୍ୟ ଘଟିଛି। ଦ୍ୱିତୀୟ ପାଳିରେ ପାଓ୍ଵାରପ୍ଲେ ହାରାହାରି ରନ୍‌ ହେଉଛି ୯.୫୫। ୧୨ଟିରୁ ୯ ମ୍ୟାଚ୍‌ରେ ପଶ୍ଚାତଧାବନ କରିଥିବା ଦଳ ବିଜୟୀ ହୋଇଛି। ସାଧାରଣତଃ ପାଓ୍ଵାର ପ୍ଲେ’ରେ ହିଁ ମ୍ୟାଚ୍‌ ଫଳାଫଳ ନିର୍ଣ୍ଣୟ ହୋଇଯାଉଛି।
ମଧ୍ୟକ୍ରମ ଓଭର ସମସ୍ୟା
ପ୍ରଥମେ ବ୍ୟାଟିଂ କରୁଥିବା ଦଳ ସଂଘର୍ଷ କରିବାର ମୁଖ୍ୟ କାରଣ ହେଉଛି ସେମାନେ ମଧ୍ୟକ୍ରମରେ ଦିଗହରା ହୋଇଯାଉଛନ୍ତି। ଅଧିକାଂଶ ଦଳର ଉଦାହରଣ ହେଉଛି ସେମାନେ ବଡ଼ ସ୍କୋର୍‌ ଦିଗରେ ଅଗ୍ରସର ହେଉଥିଲେ ମଧ୍ୟ ୧୫/୨୦ ରନ୍‌ ପଛରେ ପଡ଼ିଯାଉଛନ୍ତି। ପ୍ରଥମେ ବ୍ୟାଟିଂ କରୁଥିବା ଦଳର ମଧ୍ୟକ୍ରମ ରନ୍‌ ହାର ହେଉଛି ୭.୬୪ ଏବଂ ଓ୍ଵିକେଟ୍‌ ପିଛା ୨୨.୩୨ ରନ୍‌ ସଂଗ୍ରହ। ଏହାକୁ ଅଧିକ ତର୍ଜମା କଲେ ଦଳ ୭ରୁ ୧୦ ଓଭର ଭିତରେ ଦଳଗୁଡ଼ିକ ୭.୧୩ ହାରରେ ରନ୍‌ ଉଠାଉଛନ୍ତି। ୧୧ରୁ ୧୫ ଓଭର ମଧ୍ୟରେ ଏହା ରହିଛି ୮.୧୧। ଓଭର ନମ୍ବର ୭ରୁ ୧୦ ମଧ୍ୟରେ ରନ୍‌ ହାର କମିବାର କାରଣ ହେଉଛି ଷଷ୍ଠ ଓ ନବମ ଓଭରରେ ଓ୍ଵିକେଟ୍‌ ପତନ କାରଣରୁ ଏହାର ପ୍ରଭାବ ପଡୁଛି।

ଦୁଇ ଥର ୨୦୦ରୁ ଊର୍ଧ୍ୱ ରନ୍‌ ସଂଗ୍ରହ ହୋଇଛି କାରଣ ଶେଷ ଭାଗରେ ଅସାଧାରଣ ବ୍ୟାଟିଂ କାରଣରୁ। କେକେଆର୍‌ ପାଇଁ ଆନ୍ଦ୍ରେ ରସେଲ ଏବଂ ରାଜସ୍ଥାନ ରୟାଲ୍‌ ପାଇଁ ସଂଜୁ ସାମସନ୍‌ଙ୍କ ପାଳି କାରଣରୁ ଏହା ସମ୍ଭବ ହୋଇଥିଲା। ରାଜସ୍ଥାନ ଓଭର ପିଛା ୮.୫୫ ରନ୍‌ କରିଥିଲା ମଧ୍ୟକ୍ରମରେ ମାତ୍ର ୨ ଓ୍ଵିକେଟ୍‌ ହରାଇ। ଶେଷ ୫ ଓଭରରେ କିନ୍ତୁ ଏହି ଦଳ ୮୮ ରନ୍‌ ଯୋଡ଼ି ୨୧୭ ରନରେ ପହଞ୍ଚିଯାଇଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ଦଳ ସର୍ବଦା ଶେଷ ଭାଗରେ ଭଲ ବ୍ୟାଟିଂ କରିବାରେ ସକ୍ଷମ ନୁହେଁ। ଏହି ଦଳଗୁଡ଼ିକୁ ମଧ୍ୟକ୍ରମରେ ବିଶେଷ କରି ୭ରୁ ୧୦ ଓଭର ମଧ୍ୟରେ ଭଲ କରିବାର ଅଛି। ଉଦାହରଣ ସ୍ୱରୂପ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ବିପକ୍ଷରେ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ୧୨.୫ ହାରରେ ରନ୍‌ କରିଥିଲା, କିନ୍ତୁ ୪ ଓ୍ଵିକେଟ୍‌ରେ ହାରିଲା କାରଣ ମଧ୍ୟକ୍ରମରେ ୮.୭୭ ହାରର ରନ୍‌ ସଂଗ୍ରହ କରିଥିଲା। ପଞ୍ଜାବ ଦଳରେ ଭଲ ଫିନିସର୍‌ ନଥିବାରୁ ସେମାନେ ଶେଷ ୫ ଓଭରରେ ମାତ୍ର ୪୩ ରନ୍‌ କରି ମ୍ୟାଚ୍‌ ୨୦୦ ଛୁଇଁ ପାରିନଥିଲେ।
ଗୁଗ୍‌ଲିର ଖେଳ
ପ୍ରଥମ ସପ୍ତାହରେ ଯେଉଁ କିଛି ସ୍ପିନରଙ୍କ କରିସ୍ମା ନଜରକୁ ଆସିଛି ସେମାନଙ୍କ ମଧ୍ୟରେ ଅଛନ୍ତି ମୟଙ୍କ ମାର୍କଣ୍ଡ, ଆର୍‌ ଅଶ୍ୱିନ, ମୁଜିବ ଉର୍‌ ରହମାନ୍‌ ଏବଂ ସୁନୀଲ ନରିନ। କିନ୍ତୁ ଯେଉଁ ବଲ୍‌ ବିଶେଷ ଭାବେ ପ୍ରଭାବ ପକାଇଛି ତାହା ହେଉଛି ଗୁଗ୍‌ଲି। ବିରାଟ କୋହଲି ଏବଂ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଗୁଗ୍‌ଲିର ଶିକାର ହୋଇଛନ୍ତି। ପ୍ରଥମ ସପ୍ତାହ ସୁଦ୍ଧା ମୋଟ ୧୯୫ ଗୁଗଲି ବଲ୍‌ ବୋଲିଂ ହୋଇଛି। ଏଥିରୁ ମିଳିଛି ୧୩ ଓ୍ଵିକେଟ୍‌ ଏବଂ ଯାଇଛି ୨୩୨ ରନ୍‌। ଅନ୍ୟମାନଙ୍କ ତୁଳନାରେ ମାର୍କଣ୍ଡ ଗୁଗ୍‌ଲିର ସବୁଠାରୁ ଭଲ ଉପଯୋଗ କରିଛନ୍ତି। ୫.୭୫ ହାରରେ ସେ ମୋଟ ୫ ଓ୍ଵିକେଟ୍‌ ଦଖଲ କରିଛନ୍ତି। ମୁଜିବ୍‌ ଉର୍‌ ରହମାନ ୨ ଓ୍ଵିକେଟ୍‌ ନେଇଥିବାବେଳେ ପୀୟୂଷ ଚାଓ୍ଵଲା, ରସିଦ୍‌ ଖାନ, ରାହୁଲ ତିଓ୍ଵାତିଆ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଛନ୍ତି। ଅନେକ ଘରୋଇ ଭାରତୀୟ ଖେଳାଳି ଗୁଗଲି ବିପକ୍ଷରେ ସଂଘର୍ଷ କରିଛନ୍ତି। ଅନ୍ତର୍ଜାତୀୟ ଭାରତୀୟ ମାତ୍ର ୧୫ ହାରରେ ରନ୍‌ କରିଛନ୍ତି।
ଡିଆର୍‌ଏସ୍‌ ପଦାର୍ପଣ
ଡିସିସନ୍‌ ରିଭ୍ୟୁ ସିଷ୍ଟମ୍‌ (ଡିଆର୍‌ଏସ୍‌) ପ୍ରଥମ ଥର ପାଇଁ ଆଇପିଏଲ୍‌ ପଦାର୍ପଣ କରିଛି। ଏହା ମଧ୍ୟ ଅନେକ ଫରକ ଓ ପ୍ରଭାବ ପକାଇଛି। ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ବିପକ୍ଷରେ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବର ଅଧିନାୟକ ଆର୍‌ ଅଶ୍ୱିନ୍‌ ଗୁରୁତ୍ୱପୂର୍ଣ୍ଣ ସମୟରେ ଡିଆର୍‌ଏସ୍‌ ବ୍ୟବହାର କରିଥିଲେ। ସାମ ବିଲିଙ୍ଗ୍‌ସ ପ୍ୟାଡରେ ବଲ୍‌ ଖେଳିଥିଲେ ମଧ୍ୟ ଅମ୍ପାୟାର୍‌ ଏହାକୁ ବାଇ ଚୌକା ଘୋଷଣା କରିଥିଲେ। ସନରାଇଜର୍ସ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନସ ମଧ୍ୟ ସଫଳତାର ସହ ଡିଆର୍‌ଏସ୍‌ ବ୍ୟବହାର କରି ମ୍ୟାଚ୍‌କୁ ଶେଷ ଓଭର ପର୍ଯ୍ୟନ୍ତ ନେଇଥିଲେ। ପରିସଂଖ୍ୟାନ ଅନୁସାରେ ଅଧିକାଂଶ ଦଳ ଏହି ବ୍ୟବସ୍ଥାକୁ ଫଳପ୍ରଦ ବ୍ୟବହାର କରିଛନ୍ତି। ମୁମ୍ବାଇ ଏବଂ ପଞ୍ଜାବ ସର୍ବାଧିକ ୬ ଥର ଲେଖାଏଁ ରିଭ୍ୟୁ କରି ଯଥାକ୍ରମେ ୩ ଓ ୧ ଥର ସଫଳ ହୋଇଥିବାବେଳେ କେକେଆର୍‌ ୪ ଥର ରିଭ୍ୟୁ କରି ସପୂର୍ଣ୍ଣ ବିଫଳ ହୋଇଛି।

ସମ୍ବନ୍ଧିତ ଖବର