ନୂଆଦିଲ୍ଲୀ: ପୂର୍ବତନ ଓପନର୍ ଗୌତମ ଗମ୍ଭୀର ପ୍ରଶିକ୍ଷକ ନିଯୁକ୍ତ ହେବା ସହ ଭାରତୀୟ କ୍ରିକେଟ୍ରେ ନୂଆ ପରମ୍ପରା ଆରମ୍ଭ ହୋଇଛି। ଆଗାମୀ ଦିନ ଲାଗି ଏକ ଯୁବ ଦଳ ଗଢ଼ିବା କାର୍ଯ୍ୟ ବି ଆରମ୍ଭ ହୋଇଛି। ଗ୍ବାଲିୟରରେ ରବିବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ଏହାର ଝଲକ ଦେଖିବାକୁ ମିଳିଛି। କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଥିଲା ବେଳେ ଯେଭଳି ଅଲ୍ରାଉଣ୍ଡର୍ ଏବଂ ଏକାଧିକ ଦାୟିତ୍ବ ତୁଲାଇ ପାରୁଥିବା ଖେଳାଳିଙ୍କୁ ଗମ୍ଭୀର ସର୍ବାଧିକ ଗୁରୁତ୍ବ ଦେଉଥିଲେ, ଠିକ୍ ସେହିଭଳି ଭାରତୀୟ ଦଳରେ ବହୁମୁଖୀ ପ୍ରତିଭାଧାରୀଙ୍କୁ ଅଗ୍ରାଧିକାର ଦେଇଛନ୍ତି। ହାର୍ଦିକ ପାଣ୍ଡ୍ୟା, ୱାସିଂଟନ୍ ସୁନ୍ଦର, ଅକ୍ଷର ପଟେଲ୍, ନୀତୀଶ କୁମାର ରେଡ୍ଡୀ ଏହାର ଜ୍ବଳନ୍ତ ଉଦାହରଣ। ରିଙ୍କୁ ସିଂହ, ରିୟାନ ପରାଗ ଓ ଶିବମ ଦୁବେ (ଏବେ ଆହତ)ଙ୍କ ଭଳି ଖେଳାଳି ମଧ୍ୟ ଦଳରେ ମହତ୍ତ୍ବପୂର୍ଣ୍ଣ ମୂଲ୍ୟ ଯୋଡ଼ିଛନ୍ତି। ଟେଷ୍ଟ୍ କ୍ରିକେଟ୍ରେ ଗମ୍ଭୀର ସବୁବେଳେ ୫ ଜଣ ବିଶେଷଜ୍ଞ ବୋଲରଙ୍କୁ ଖେଳାଇବା ସପକ୍ଷରେ ଯୁକ୍ତି ବାଢ଼ୁଥିଲା ବେଳେ ବାଂଲାଦେଶ ବିପକ୍ଷ ୫ ଦିନିଆ ଶୃଙ୍ଖଳାରେ ମଧ୍ୟ ଭାରତ ଏହି ରଣନୀତି ଆପଣାଇ ସଫଳ ହୋଇଛି। ମୟଙ୍କ ୟାଦବ, ହର୍ଷିତ ରାଣା, ୟଶ୍ ଦୟାଲଙ୍କ ଭଳି ଖେଳାଳିଙ୍କୁ ସୁଯୋଗ ଦେଇ ଗମ୍ଭୀର ମଧ୍ୟ ଭବିଷ୍ୟତର ଦଳ ଗଢ଼ିବା କାମ ଆରମ୍ଭ କରିଛନ୍ତି। ୩ ବର୍ଷ ପରେ ବିସ୍ମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଭାରତୀୟ ଦଳକୁ ଫେରିବା ଗମ୍ଭୀରଙ୍କ ମାଷ୍ଟର ଷ୍ଟ୍ରୋକ୍ ବିବେଚନା କରାଯାଉଛି। ସେହିଭଳି ଗମ୍ଭୀରଙ୍କ ମାର୍ଗଦର୍ଶନରେ ଭାରତ ମଧ୍ୟ ଆକ୍ରମଣାତ୍ମକ ତଥା ଆଧିପତ୍ୟଭରା ଖେଳ ଖେଳିବା ଆରମ୍ଭ କରିଛି। କାନପୁର ଟେଷ୍ଟ୍ରେ ଭାରତ ଯେଭଳି ଅଢ଼େଇ ଦିନର ଖେଳ ବାତିଲ ସତ୍ତ୍ବେ ମଧ୍ୟ ବିଜୟୀ ହେଲା, ତାହା ଗମ୍ଭୀରଙ୍କ ଫଳପ୍ରଦ ଯୋଜନାର ଆଉ ଏକ ବଳିଷ୍ଠ ନମୁନା। ଏହି କାରଣରୁ ମଧ୍ୟ ଭାରତ ଟେଷ୍ଟ୍ ଇତିହାସରେ ଦ୍ରୁତତମ ୫୦, ୧୦୦, ୧୫୦, ୨୦୦ ଓ ୨୫୦ ରନ୍ କରିବାର ବିରଳ ରେକର୍ଡ କରିଛି।
ବ୍ୟକ୍ତିଗତ ସ୍ବାର୍ଥ ପାଇଁ କିଛି ଲୋକ ଗମ୍ଭୀରଙ୍କ ପାଦ ଚାଟୁଛନ୍ତି: ଗାଭାସ୍କର
କାନପୁର ଟେଷ୍ଟ୍ରେ ଭାରତର ଐତିହାସିକ ବିଜୟର ଶ୍ରେୟ କିଛି ପୂର୍ବତନ କ୍ରିକେଟର୍, ନୂଆ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ଦେଉଛନ୍ତି। କିଂବଦନ୍ତି ବ୍ୟାଟର୍ ଏକ ଦୈନିକ ଖବରକାଗଜରେ ଲେଖିଥିବା ସ୍ତମ୍ଭରେ ସେମାନଙ୍କୁ କଟାକ୍ଷ କରିଛନ୍ତି। ବରଂ ଭାରତୀୟ ଦଳର ପରିବର୍ତ୍ତିତ ଆକ୍ରମଣାତ୍ମକ ଆଭିମୁଖ୍ୟର ଶ୍ରେୟ ସେ ଅଧିନାୟକ ରୋହିତ ଶର୍ମାଙ୍କୁ ଦେଇଛନ୍ତି। ଗାଭାସ୍କର ଲେଖିଛନ୍ତି, ଗତ ଦୁଇବର୍ଷ ହେବ ରୋହିତ ଟେଷ୍ଟ୍ କ୍ରିକେଟ୍କୁ ଟ୍ବେଣ୍ଟି-୨୦ ଭଳି ଖେଳି ଆସୁଛନ୍ତି। ଅନ୍ୟମାନଙ୍କୁ ମଧ୍ୟ ଏଭଳି ଖେଳ ଖେଳିବାକୁ ଉତ୍ସାହିତ କରି ଆସୁଛନ୍ତି। ଗମ୍ଭୀର ମାତ୍ର ଦୁଇ ମାସ ହେବ ଭାରତୀୟ ଦଳର ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଏଣୁ କାନପୁର ଟେଷ୍ଟ୍ରେ ଭାରତୀୟ ଦଳର ବିଜୟର ଶ୍ରେୟ ଯେଉଁ ପୂର୍ବତନ ଖେଳାଳିମାନେ ଗମ୍ଭୀରଙ୍କୁ ଦେଉଛନ୍ତି, ତାହା ବ୍ୟକ୍ତିଗତ ସ୍ବାର୍ଥ ପାଇଁ ପାଦ ଚାଟିବାର ସର୍ବୋଚ୍ଚ ନମୁନାଠାରୁ ଅଧିକ କିଛି ନୁହେଁ। ଦଳର ଆଭିମୁଖ୍ୟରେ ଆସିଥିବା ପରିବର୍ତ୍ତନର ଶ୍ରେୟ କେବଳ ଆଉ କେବଳ ରୋହିତଙ୍କୁ ହିଁ ମିଳିବା କଥା।
ଚେନ୍ନାଇରେ ଲାଲ୍ ମାଟି ପିଚ୍
ଚେନ୍ନାଇରେ ଭାରତୀୟ କ୍ରିକେଟ୍ ଦଳର ଲାଲ୍ ମାଟିରେ ପ୍ରସ୍ତୁତ ବାଉନ୍ସିଂ ଓ ସ୍ପୋର୍ଟିଂ ପିଚ୍ରେ ଖେଳିବା ଗମ୍ଭୀର ଯୁଗର ଆଉ ଏକ ନିଦର୍ଶନ। ସାଧାରଣତଃ ଭାରତ ଘରୋଇ ପରିବେଶରେ ଟେଷ୍ଟ୍ ଖେଳିଲେ ଅର୍ଦ୍ଧପ୍ରସ୍ତୁତ ତଥା ସ୍ପିନରଙ୍କୁ ସୁହାଉଥିବା ପିଚ୍ରେ ଖେଳିବାକୁ ପସନ୍ଦ କରିଥାଏ। ହେଲେ ଚେନ୍ନାଇରେ ବାଉନ୍ସିଂ ପିଚ୍ କରି ଗମ୍ଭୀର ଘରୋଇ ପରିବେଶରେ ଭାରତୀୟ ଖେଳାଳିଙ୍କୁ ବିଦେଶୀ ପିଚ୍ରେ ଖେଳିବାର ଅଭିଜ୍ଞତା ଦେବାକୁ ଚେଷ୍ଟା କରିଛନ୍ତି। ଆଗାମୀ ଅଷ୍ଟ୍ରେଲିଆ ଶୃଙ୍ଖଳାକୁ ଆଖି ଆଗରେ ରଖି ସେ ଏଭଳି କରିଥିବା ଅନୁମାନ କରାଯାଉଛି। ଭାରତୀୟ ଖେଳାଳି ମଧ୍ୟ ଏହି ଯୋଜନାକୁ ବୁଝି ତଦନୁଯାୟୀ ଖେଳିଛନ୍ତି।
କୋହଲି ପାଞ୍ଚ ନମ୍ବରକୁ ଖସିଲେ
ସଂପ୍ରତିକ ଭାରତୀୟ କ୍ରିକେଟ୍ ଦଳର ସଫଳତମ ତାରକା ବିରାଟ କୋହଲିଙ୍କ ବ୍ୟାଟିଂକ୍ରମ ଚତୁର୍ଥରୁ ପଞ୍ଚମକୁ ଖସିଛି। ଯୁବ ତାରକା ତଥା ପ୍ରତିଭାବାନ ୱିକେଟ୍ ରକ୍ଷକ ଋଷଭ ପନ୍ତ ଟେଷ୍ଟ୍ରେ ତାଙ୍କ ଆଗରୁ ଅର୍ଥାତ୍ ଚତୁର୍ଥ ସ୍ଥାନରେ ଖେଳିବା ଆରମ୍ଭ କରିଛନ୍ତି। କୋହଲି ମଧ୍ୟ ଦଳୀୟ ଆବଶ୍ୟକତାକୁ ବୁଝି ଖୁସିରେ ତଳେ ବ୍ୟାଟିଂ କରିବାକୁ ରାଜି ହୋଇଯାଇଛନ୍ତି। ଏଣୁ ଖେଳାଳିଙ୍କ ଅତୀତ ପ୍ରଦର୍ଶନ ନୁହେଁ, ଦଳର ଆବଶ୍ୟକତାକୁ ଏବେ ଗୁରୁତ୍ବ ଦିଆଯିବ ବୋଲି ଗମ୍ଭୀର ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି।
ନାୟକ ପୂଜାରେ ପୂର୍ଣ୍ଣଛେଦ
ଗମ୍ଭୀର ପ୍ରଶିକ୍ଷକ ଦାୟିତ୍ବ ଗ୍ରହଣ କରିବା ପରେ ଭାରତୀୟ ଡ୍ରେସିଂ ରୁମ୍ରେ ନାୟକ ପୂଜା ସଂସ୍କୃତିରେ ଆପାତତଃ ପୂର୍ଣ୍ଣଛେଦ ପଡ଼ିଛି। ଅର୍ଥାତ୍ ଦଳର ସବୁ ସଦସ୍ୟଙ୍କୁ ସମାନ ସମ୍ମାନ ମିଳିବା ଉପରେ ସେ ଜୋର ଦେଇଛନ୍ତି। ସେହିଭଳି ଦଳରେ ବରିଷ୍ଠ, କନିଷ୍ଠ ବର୍ଗୀକରଣକୁ ମଧ୍ୟ ଗମ୍ଭୀର ଖୋଲା ବିରୋଧ କରିଛନ୍ତି। ଅତୀତରେ ଗମ୍ଭୀର ଏଭଳି ପରମ୍ପରାକୁ ବିରୋଧ କରୁଥିଲେ। ଭାରତୀୟ ଦଳର ପ୍ରଶିକ୍ଷକ ହେବା ପରେ ଏଥିଲାଗି ଦଳରେ ସୃଷ୍ଟି ହେଉଥିବା ହୀନ ଭାବନାକୁ ଦୂର କରିବାକୁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।