ଭାରତୀୟ କ୍ରୀଡ଼ାରେ ନୂଆ ଧାରା: ଚୌବେ, ଦିଲୀପଙ୍କ ପରେ ଉଷା

ଭୁବନେଶ୍ବର: କିଛି ବର୍ଷ ତଳେ ଲୋଧା କମିସନ୍‌ଙ୍କ ଐତିହାସିକ ସୁପାରିସ ବିସିସିଆଇରେ ସଂସ୍କାର ସହିତ ବୈପ୍ଲବିକ ପରିବର୍ତନ ଆଣି‌ ଦେଇଥିଲା। ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସଭାପତି ‌ହୋଇଥିଲେ, ଏବେ ରୋଜର ବିନ୍ନି ହୋଇଛନ୍ତି ପରବର୍ତୀ ସଭାପତି। ସମଗ୍ର ଭାରତୀୟ କ୍ରୀଡ଼ା ଦୁନିଆ ବିଳମ୍ବରେ ହେ‌ଲେ ବି ଏହି ଧାରାରେ ଚାଲିବା ଆରମ୍ଭ କରି ଦେଇଛି। ରାଜ‌ନେତା ଓ ଅଣ‌ଖେଳାଳି କ୍ରୀଡ଼ା ପ୍ରଶାସକଙ୍କ କବଳରୁ ବାହାରି ଜାତୀୟ କ୍ରୀଡ଼ା ସଂଘଗୁଡ଼ିକ କ୍ରମେ ଖେଳାଳିଙ୍କୁ ମୁଖ୍ୟ ପଦ ପଦବିରେ ସ୍ଥାନିତ କରିବାକୁ ପରମ୍ପରାରେ ପରିଣତ କରି ଦେଇଛନ୍ତି। ଚଳିତ ବର୍ଷର ଦ୍ବିତୀୟାର୍ଦ୍ଧରେ ଏହାର ତିନୋଟି ଶ୍ରେଷ୍ଠ ଉଦାହରଣ ଆସିଛି। ଭାରତୀୟ ଫୁଟ୍‌ବଲ୍ ଦଳର ପୂର୍ବତନ ଅଧିନାୟକ କଲ୍ୟାଣ ଚୌବେ ସର୍ବଭାରତୀୟ ଫୁଟ୍‌ବଲ୍ ସଂଘର ସଭାପତି ହୋଇଛନ୍ତି। ସେହିଭଳି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ପଦ୍ମଶ୍ରୀ ଦିଲୀପ ତିର୍କି ହୋଇଛନ୍ତି ହକି ଇଣ୍ଡିଆର ସଭାପତି।

ଏହା ପରେ ସବୁଠାରୁ ବଡ଼ ଖବର ଭାବେ ଭାରତୀୟ କ୍ରୀଡ଼ା ଦୁନିଆର ମହାନତମ ଖେଳାଳି କିଂବଦନ୍ତି ଧାବିକା ପୟୋଲି ଏକ୍ସପ୍ରେସ୍‌ ପିଟି ଉଷା ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ମୁଖ୍ୟ ପଦ (ସଭାପତି) ଅଳଙ୍କୃତ କରିବାକୁ ଯାଉଛନ୍ତି। ଦେଶର ଜାତୀୟ ଅଲିମ୍ପିକ୍ ସଂଘର ୯୫ ବର୍ଷ ଇତିହାସରେ ୫୮ ବର୍ଷୀୟା ପିଟି ଉଷା ହେବେ ପ୍ରଥମ ମହିଳା ସଭାପତି। ସର୍ବୋଚ୍ଚ ସ୍ତରରେ ଖେଳିଥିବା ପ୍ରଥମ ଭାରତୀୟ କ୍ରୀଡ଼ାବିତ୍ ଭାବେ ମଧ୍ୟ ସେ ଆଇଓଏ ମୁଖ୍ୟ ହେବାକୁ ଯାଉଛନ୍ତି। ଦୁଇ ଦଶନ୍ଧୀର ଟ୍ରାକ୍‌ ଆଣ୍ଡ୍ ଫିଲ୍ଡ ଖେଳ ଜୀବନରେ ପିଟି ଉଷା ୧୧ଟି ଏସୀୟ କ୍ରୀଡ଼ା ପଦକ ଜିତିଥିଲେ। ୧୯୮୬ ସିଓଲ ଏସିଆଡରେ ସେ ୪ ସ୍ବର୍ଣ୍ଣ ପଦକ ଜିତି ନୂଆ କୀର୍ତ୍ତିମାନ କରିଥିଲେ। ୧୯୮୩ରୁ ୧୯୯୮ ମସିହା ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରି ସେ ୧୪ ସ୍ବର୍ଣ୍ଣ ପଦକ ସହିତ ମୋଟ ୨୩ଟି ଏସୀୟ ଟ୍ରାକ୍‌ ଆଣ୍ଡ୍ ଫିଲ୍ଡ ପଦକ ହାସଲ କରିଥିଲେ। ଚଳିତ ବର୍ଷ ଜୁଲାଇରେ ସେ ମଧ୍ୟ ଭାଜପା ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଜାତୀୟ ସଂଘଗୁଡ଼ିକ ପରେ ଏବେ ରାଜ୍ୟ କ୍ରୀଡ଼ା ସଂଘଗୁଡ଼ିକ ଏହି ପରମ୍ପରା ଆରମ୍ଭ କରିଦେଲେ ନିଶ୍ଚିତ ଆହୁରି ସ୍ବଚ୍ଛତା ବଢ଼ିଯିବ ବୋଲି କ୍ରୀଡ଼ାପ୍ରେମୀଙ୍କ ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର