ଲଣ୍ଡନ: ୨୦୧୯ ଫ୍ରେଞ୍ଚ୍‌ ଓପନ୍‌ ବିଜୟିନୀ ତଥା ଶୀର୍ଷ ମାନ୍ୟତାପ୍ରାପ୍ତ ଆସ୍‌ଲେ ବାର୍ଟି ଚଳିତ ବର୍ଷର ୱିମ୍ବଲଡନ୍‌ ମହିଳା ଏକକ ଟ୍ରଫି ଜିତି ନେଇଛନ୍ତି। ସେମିଫାଇନାଲ୍‌ରେ ୩ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ତଥା ପୂର୍ବତନ ଏକନମ୍ବର ଖେଳାଳି ଜର୍ମାନିର ଆଞ୍ଜେଲିକ୍‌ କର୍ବରଙ୍କୁ ମାତ୍‌ ଦେଇଥିବା ଏହି ଅଷ୍ଟ୍ରେଲିଆ ତାରକା ଶନିବାର ଫାଇନାଲ୍‌ରେ ୩ ସେଟ୍‌ ସଂଘର୍ଷ କରିବା ପରେ ୬-୩, ୬-୭ ଓ ୬-୩ରେ ଚେକ୍‌ଗଣରାଜ୍ୟର ପ୍ଲିସ୍‌କୋଭାଙ୍କୁ ପରାସ୍ତ କରି ୱିମ୍ବଲଡନ୍‌ର ନୂଆ ସାମ୍ରାଜ୍ଞୀ ବନି ଯାଇଛନ୍ତି। ଏହା ବାର୍ଟିଙ୍କର ପ୍ରଥମ ୱିମ୍ବଲଡନ୍‌ ଏବଂ ମୋଟ ଉପରେ ଦ୍ବିତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି। ଏହା ପୂର୍ବରୁ ସେ ୨୦୧୯ରେ ରୋଲାଁ ଗ୍ୟାରସ୍‌ରେ ବିଜୟୀ ହୋଇ ଫ୍ରେଞ୍ଚ୍‌ ଓପନ୍‌ ଟ୍ରଫି କରାୟତ୍ତ କରିଥିଲେ। ପୁଣି କୌଣସି ଅଷ୍ଟ୍ରେଲୀୟ ଭାବେ ୪୧ ବର୍ଷ ପରେ ୱିମ୍ବଲଡନ୍‌ରେ ମହିଳା ଏକକ ଟ୍ରଫି ଜିତିବାର ଗୌରବ ମଧ୍ୟ ବାର୍ଟି ପାଇଛନ୍ତି। ଏକ୍ଷେତ୍ରରେ ସେ ୧୯୮୦ ମସିହାରେ ନିଜର ଆଦର୍ଶ ଏଭନେ ଗୁଲାଗଙ୍ଗ୍‌ଙ୍କ ସମକକ୍ଷ ହୋଇଛନ୍ତି। ଏଭନେ ୧୯୮୦ରେ ଦ୍ବିତୀୟ ତଥା ଶେଷ ଥର ପାଇଁ ଅଲ୍‌ଇଂଲଣ୍ଡ କ୍ଲବ୍‌ରେ ୱିମ୍ବଲଡନ୍‌ ଟ୍ରଫି କରାୟତ କରିଥିଲେ। ଯାହାକି କୌଣସି ଅଷ୍ଟ୍ରେଲୀୟ ମହିଳାଙ୍କ ପାଇଁ ଶେଷ ଥିଲା।

Advertisment

ଅନ୍ୟପକ୍ଷରେ ପ୍ରବଳ ସଂଘର୍ଷ କରି ଦ୍ବିତୀୟ ସେଟ୍‌ ଜିତିବା ସହିତ ମ୍ୟାଚ୍‌କୁ ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌କୁ ଟାଣି ନେଇଥିବା ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ତଥା ଏଥର ଅଷ୍ଟମ ସିଡ୍‌ ରହିଥିବା ପ୍ଲିସ୍‌କୋଭାଙ୍କ ଟ୍ରଫି ଜିତିବା ଆଶା ମଉଳିଗଲା। ନିଜର ଦ୍ବିତୀୟ ଗ୍ରଣ୍ଡ୍‌ସ୍ଲାମ୍‌ ଫାଇନାଲ୍‌ ଖେଳିଥିଲେ ମଧ୍ୟ ପ୍ଲିସ୍‌କୋଭାଙ୍କୁ ଉପବିଜୟିନୀରେ ସନ୍ତୁଷ୍ଟ ରହିବାକୁ ପଡ଼ିଲା। ଏହା ପୂର୍ବରୁ ୨୦୧୬ ୟୁଏସ୍‌ ଓପନ୍‌ରେ ମଧ୍ୟ ସେ ଉପବିଜୟିନୀ ରହିଥିଲେ।

ଭାରତ-ଆମେରିକୀୟ ଉଦୀୟମାନ ଟେନିସ୍ ପ୍ରତିଭା ସମିର ବାନାର୍ଜୀ ୱିମ୍ବଲଡନ୍ ଓପନ ବାଳକ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ବାଳକ ସେମିଫାଇନାଲ୍‌ରେ ଶନିବାର ସେ ଫ୍ରାନ୍ସର ଶାଶା ଗେମାର୍ଡଙ୍କୁ ୭-୬, ୪-୬, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ଯାହା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି। ସମିତି ଭାରତୀୟ ବଂ‌ଶୋଦ୍ଭବ ହୋଇଥିଲା ବେଳେ ସଂପ୍ରତି ଆମେରିକାରେ ରହି ଟେନିସ୍‌ ଜଗତରେ ନାଁ କମାଇବାକୁ ଚେଷ୍ଟା ଚଳାଇଛନ୍ତି। ସୂଚନ‌ାଯୋଗ୍ୟ ଯେ ଭାରତର ସଫଳତମ ତାରକା ଲିଆଣ୍ଡର ପେସ୍ ୧୯୯୧ରେ ୱିମ୍ବଲଡନର ବାଳକ ବର୍ଗରେ ବିଜେତା ହୋଇଥିଲେ।