ମୁମ୍ବାଇ: ଦିନିକିଆ ବିଶ୍ବକପ୍ ବର୍ଷରେ ଭାରତୀୟ କ୍ରିକେଟ୍ ଦଳ ମଙ୍ଗଳବାରଠାରୁ ଏହାର ୨୦୨୩ ଅଭିଯାନ ଆରମ୍ଭ କରିବ। ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ୍ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ। ଭାରତୀୟ ଦଳର ତିନି ପ୍ରମୁଖ ତାରକା ବିରାଟ କୋହଲି, ରୋହିତ ଶର୍ମା, କେଏଲ୍ ରାହୁଲଙ୍କ ବିନା ଭାରତ ଏହି ଶୃଙ୍ଖଳା ଖେଳିବାକୁ ଯାଉଛି। ହାର୍ଦିକଙ୍କୁ ଭାରତର ପୂର୍ଣ୍ଣକାଳୀନ ଟ୍ବେଣ୍ଟି-୨୦ ଅଧିନାୟକ କରାଯିବା ଦିଗରେ ମଧ୍ୟ ଏହି ଶୃଙ୍ଖଳା ନିର୍ଣ୍ଣାୟକ ହେବ। ତାଙ୍କ ନେତୃତ୍ବରେ ଭାରତ କେତେ ନିର୍ଭୟରେ ଖେଳୁଛି ତାହା ଦେଖିବାକୁ ପଡ଼ିବ। ଟ୍ବେଣ୍ଟି-୨୦ କ୍ରିକେଟ୍ ବିଶ୍ବକପ୍ରେ ଭାରତର ଲଗାତାର ବିଫଳତାକୁ କିଭଳି ଦୂର କରିହେବ ତାହା ଅନ୍ୟତମ ପ୍ରସଙ୍ଗ ରହିଛି। ଦୁଇ ଦେଶ ୨୦୨୧ ଆରମ୍ଭ ପରଠାରୁ ୭ ଥର ମୁକାବିଲା କରିଥିବାବେଳେ ଭାରତ କେବଳ ୪-୩ରେ ଆଗୁଆ ରହିଛି।
ଈଶାନ କିଶନ, ଋତୁରାଜ ଗାଏକ୍ବାଡ ଭାରତୀୟ ଦଳର ପାଳି ଆରମ୍ଭ କରିବା ସୁଯୋଗ ପାଇବେ। ଆଦୌ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିନଥିବା ଶୁବମନ ଗିଲ୍ ମଧ୍ୟ ହାର୍ଦିକଙ୍କ ପାଇଁ ଅନ୍ୟତମ ଓପନିଂ ବିକଳ୍ପ ରହିଛନ୍ତି। ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଦୀପକ ହୁଡ଼ା ନିଶ୍ଚିତ ମଧ୍ୟକ୍ରମରେ ଭାରତର ଭାଗ୍ୟ ନିର୍ଣ୍ଣୟ କରିବେ। କିଶନ ଥିଲେ ମଧ୍ୟ ସଂଜୁ ସାମସନ୍ ୱିକେଟରକ୍ଷଣ ଦାୟିତ୍ବ ତୁଲାଇବେ। ରାହୁଲ ତ୍ରିପାଠୀଙ୍କୁ କେତେ ସୁଯୋଗ ମିଳିବ ଅନ୍ୟତମ ପ୍ରଶ୍ନ ରହିଛି। ବୋଲିଂ ବିଭାଗରେ ହାର୍ଦିକଙ୍କ ପାଇଁ ପର୍ଯ୍ୟାପ୍ତ ବିକଳ୍ପ ରହିଛି। ଦୁଇ ନବାଗତ ଶିଭମ ମାଭି ଓ ମୁକେଶ କୁମାର ସାମିଲ ଥିଲେ ମଧ୍ୟ ଅର୍ଶଦୀପ ସିଂହ, ହର୍ଷଲ ପଟେଲ୍, ଉମ୍ରାନ ମଲ୍ଲିକ ପେସ୍ ବାହିନୀ ସମ୍ବାଳିବେ। ମାତ୍ର ୬ ମାସ ହେବ ଅନ୍ତର୍ଜାତୀୟ କ୍ରିକେଟ୍କୁ ଆସିଥିବା ଅର୍ଶଦୀପ ଏବେ ପେସ୍ ବିଭାଗର ନେତୃତ୍ବ ନେବେ। ସ୍ପିନ ବର୍ଗରେ ୟୁଝବେନ୍ଦ୍ର ଚହଲ, ୱାସିଂଟନ ସୁନ୍ଦର ପ୍ରଥମ ପସନ୍ଦର ଥିଲେ ମଧ୍ୟ ବ୍ୟାଟିଂ ଗଭୀରତାକୁ ଲମ୍ବା ରଖିବାକୁ ଅକ୍ଷର ପଟେଲ ଖେଳିପାରନ୍ତି। ଚହଲ କିନ୍ତୁ ଆଉ ମାତ୍ର ୪ ୱିକେଟ୍ ନେଲେ ଏହି ଫର୍ମାଟରେ ଭାରତର ଅଗ୍ରଣୀ ୱିକେଟ ଦଖଲକାରୀ ହୋଇଯିବେ। ଭୁବନେଶ୍ବର କୁମାର (୯୦) ଏବେ ଅଗ୍ରଣୀ ରହିଛନ୍ତି। ଅନ୍ୟପକ୍ଷରେ କୁସାଲ ମେଣ୍ଡିଜ ମଙ୍ଗଳବାର ୫୦ତମ ମ୍ୟାଚ୍ ଖେଳିବାରେ ତ୍ରୟୋଦଶ ସିଂହଳୀ ଖେଳାଳି ହେବାକୁ ଯାଉଛନ୍ତି।
ମୁମ୍ବାଇର ୱାଙ୍ଖଡେ ପିଚ୍ ସବୁବେଳେ ହାଇ ସ୍କୋରିଂ ମ୍ୟାଚ୍ ଦେଖାଇଥାଏ। ଛୋଟ ବାଉଣ୍ଡରି ଏହାର ଅନ୍ୟତମ କାରଣ। ଏହି କାରଣରୁ ପଛ ବ୍ୟାଟିଂ ଦଳ ଫାଇଦାରେ ରୁହେ। ବିଗତ ୨ ବର୍ଷରେ ପଶ୍ଚାତଧାବନ କରିଥିବା ଦଳ ୪୧ରୁ ୨୪ଟି ଜିତିଛି। ମଙ୍ଗଳବାର ମଧ୍ୟ ସମାନ ଆଶା ରହିବ। ପାଗ ଭଲ ରହିବ, ତାପମାତ୍ରା ପ୍ରାୟ ୨୦ ଡିଗ୍ରି ସେଲସିୟମ୍ ରହିବ।
ଭାରତ ସମ୍ଭାବ୍ୟ ଏକାଦଶ: ଈଶାନ କିଶନ, ଋତୁରାଜ ଗାଏକ୍ବାଡ, ସୂର୍ଯ୍ୟକୁମାର ଯାଦବ, ସଂଜୁ ସାମସନ୍, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡ଼ା, ୱାସିଂଟନ ସୁନ୍ଦର, ହର୍ଷଲ ପଟେଲ୍, ଅର୍ଶଦୀପ ସିଂହ, ଉମ୍ରାନ ମଲ୍ଲିକ, ୟୁଝବେନ୍ଦ୍ର ଚହଲ।
ଶ୍ରୀଲଙ୍କା ସମ୍ଭାବ୍ୟ ଏକାଦଶ: ପଥୁମ ନିଶଙ୍କା, କୁସାଲ ମେଣ୍ଡିଜ୍ (ୱିକେଟରକ୍ଷକ), ଧନଞ୍ଜୟ ଡି’ସିଲଭା, ଚରିତ ଅସଲଙ୍କା, ଭାନୁକା ରାଜପକ୍ଷ, ଦସୁନ ଶଣକା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ମହେଶ ତୀକ୍ଷଶାଣା, ଦିଲସାନ ମଧୁଶଙ୍କା, ଲାହିରୁ କୁମାରା।