ସେଞ୍ଚୁରିଅନ୍‌ : ଭାରତୀୟ କ୍ରିକେଟ୍ ଦଳ ଦକ୍ଷିଣ ଆଫ୍ରିକାରେ ବହୁ ପ୍ରତୀକ୍ଷିତ ବିଜୟ ସହିତ ୨୦୨୧ ବର୍ଷକୁ ଚମତ୍କାର ଭାବେ ଶେଷ କରିଛି। ୨୦୨୨ ନୂଆ ବର୍ଷର ଅବ୍ୟବହିତ ପୂର୍ବରୁ କ୍ରି‌କେଟପ୍ରେମୀଙ୍କୁ ଖୁସିର ଉପହାର ଦେଇଛି। ଗୁରୁବାର ସୁପରସ୍ପୋର୍ଟ ପାର୍କରେ ପ୍ରଥମ ଟେଷ୍ଟକୁ ବିରାଟ କୋହଲିଙ୍କ ଦଳ ୧୧୩ ରନ୍‌ରେ ଜିତିବା ସହ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୩୦୫ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଡିନ୍‌ ଏଲଗାରଙ୍କ ଦଳ କିନ୍ତୁ ୧୯୧ ରନ୍‌ କରି ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଆକର୍ଷଣୀୟ ଶତକ ପାଇଁ କେଏଲ୍ ରାହୁଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ନିଜର ଚତୁର୍ଥ ମାତ୍ର ଟେଷ୍ଟ୍‌ ଜିତିଛି। ତେବେ ସେଞ୍ଚୁରିଅନ୍‌ରେ ଭାରତ ପ୍ରଥମ ଥର ବିଜୟୀ ହୋଇ ୨୯ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛି।

Advertisment