ନୂଆ ବର୍ଷର ପ୍ରଥମ ଆହ୍ବାନ, ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟ୍ବେଣ୍ଟି-୨୦

ଗୁଆହାଟି: ଭାରତୀୟ କ୍ରିକେଟ୍ ଦଳ ୨୦୨୦ (ମସିହା)ର ଅଭିଯାନ ଟ୍ବେଣ୍ଟି-୨୦ରୁ ହିଁ ଆରମ୍ଭ କରିବ। ଚଳିତ ବର୍ଷର ପ୍ରଥମ ମୁକାବିଲା‌ରେ କୋହଲି ବାହିନୀ ରବିବାର ପଡ଼ୋଶୀ ଶ୍ରୀଲଙ୍କାକୁ ଭେଟିବ। ଏହା ମଧ୍ୟ ୨୦୨୦ ଋତୁରେ ଉଭୟ ଭାରତ ଏବଂ ଶ୍ରୀଲଙ୍କାର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ହେବ। ଏହି ମ୍ୟାଚ୍‌ରେ ସମସ୍ତଙ୍କ ନଜର ପ୍ରତ୍ୟାବର୍ତନ କରିଥିବା ଯଶପ୍ରୀତ ବୁମ୍‌ରାଙ୍କ ଉପରେ ରହିବ। ୨୬ ବର୍ଷୀୟ ବୁମ୍‌ରା ଆଘାତ ଜନିତ ସମସ୍ୟା ପାଇଁ ଗତ ୪ ମାସ ‌ହେବ ଭାରତୀୟ ଦଳରୁ ଦୂରେଇ ରହିଥିଲେ। ଏବେ କିନ୍ତୁ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିଲା ବେଳେ ପଡ଼ିଆ ଭିତରେ ନିଜ ପୁରୁଣା ଚମକ ଦେଖାଇବାକୁ ପୂରା ବ୍ୟଗ୍ର। ବୁମ୍‌ରାଙ୍କ ପୁରୁଣା ପ୍ରଦର୍ଶନକୁ ଆଖି ଆଗରେ ରଖି ବିସିସିଆଇ ତାଙ୍କୁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିବାରୁ ରିହାତି ଦେଇଛି। ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ହସ୍ତକ୍ଷେପ ପରେ ପ୍ରଥମ ଶ୍ରେଣୀ କ୍ରିକେଟ୍ ନଖେଳି ସିଧାସଳଖ ସେ ଜାତୀୟ ଦଳକୁ ‌ଫେରିଛନ୍ତି। ୨୦୧୯ରେ ଭାରତୀୟ କ୍ରିକେଟ୍ ଦଳ ୫୦ ଓଭରିଆ କ୍ରିକେଟ୍‌ ଉପରେ ଅଧିକ ଧ୍ୟାନ ଦେଇଥିଲା। ୨୦୨୦ରେ କିନ୍ତୁ ଦଳ ଟ୍ବେଣ୍ଟି-୨୦ ଉପରେ ନଜର ରଖିବ। କାରଣ ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳାଯିବ। ଏହାକୁ ଆଖି ଆଗରେ ରଖି ଭାରତ ଚଳିତ ବର୍ଷ ଅନ୍ୟୁନ ୧୫ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ସେଥିପାଇଁ ରବିବାରଠାରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ଭାରତ ମଧ୍ୟ ଏକାଧିକ ପରୀକ୍ଷା ନିରୀକ୍ଷା କରିବ।

ଗୁଆହାଟିରେ ଭଲ କରିନି ଭାରତ
ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ହିଂସାତ୍ମକ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ ପରେ ଆସାମ ଧୀରେ ଧୀରେ ଶାନ୍ତ ହେବାରେ ଲାଗିଛି। ତଥାପି ସାଂପ୍ରତିକ ପରିସ୍ଥିତିରେ ଗୁହାହାଟିର ବର୍ଷାପାରା ଷ୍ଟାଡିୟମ୍‌ରେ ରବିବାର ଭାରତ-ଶ୍ରୀଲଙ୍କା ‌ମ୍ୟାଚ୍ ଆୟୋଜନ କରିବା ସ୍ଥାନୀୟ ପ୍ରଶାସନ ପାଇଁ ନିଶ୍ଚିତ ଭାବେ କାଠିକର ପାଠ ହେବ। ଯେ କୌଣସି ପ୍ରକାର ଆସନ୍ନ ଅଘଟଣକୁ ରୋକିବା ଲାଗି ଗୁହାହାଟି ପ୍ରଶାସନ ମଧ୍ୟ ଷ୍ଟାଡିୟମ୍ ଭିତରକୁ ପୋଷ୍ଟର ଏବଂ ବ୍ୟାନର ନେବା ଉପରେ ବାସନ୍ଦାଦେଶ ଜାରି କରିଛି। ଗୁଆହାଟୀର ବର୍ଷାପାରା ଷ୍ଟାଡିୟମ୍‌ରେ ଭାରତ ପୂର୍ବରୁ ମାତ୍ର ଗୋଟିଏ ଟ୍ବେଣ୍ଟି-୨୦ ଖେଳିଛି। ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚ୍‌କୁ ଭାରତ ଲଜ୍ଜାଜନକ ଭାବେ ୮ ୱିକେଟ୍‌ରେ ହାରିଥିଲା। ଭାରତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୧୮ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ୧୧୯ ରନ୍‌ର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୧୫.୩ ଓଭରରେ ମାତ୍ର ୨ ୱି‌କେଟ୍ ହରାଇ ହାସଲ କରି ନେଇଥିଲା। ଏଠାରେ ଖେଳିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏକମାତ୍ର ଦିନିକିଆକୁ ଅବଶ୍ୟ ଭାରତ ୮ ୱିକେଟ୍‌ରେ ଜିତି ନେଇଥିଲା।

ବୁମ୍‌ରା ଫେରିବେ, ଶାର୍ଦୁଲ-ସଇନିଙ୍କ ଉପରେ ନଜର
ରବିବାର ଲଢ଼େଇରେ ଭାରତୀୟ ଦ୍ରୁତ ବୋଲିଂ ବାହିନୀର ନେତୃତ୍ବ ଯଶପ୍ରୀତ ବୁମରା ନେବେ। ଦୁଇ ଯୁବ ତାରକା ଶାର୍ଦୁଲ ଠାକୁର ଏବଂ ନଭଦୀପ ସଇନିଙ୍କ ଉପରେ କିନ୍ତୁ ସମସ୍ତଙ୍କ ନଜର ରହିବ। ସେହିଭଳି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କ ପାଇଁ ଏହି ମ୍ୟାଚ୍ ଢେର ଗୁରୁତ୍ବ ବହନ କରିବ। ଧାୱନ ଗତ ଏକବର୍ଷ ହେବ ଶୀର୍ଷକ୍ରମରେ ସଂଘର୍ଷ କରୁଥିଲା ବେଳେ ନିଜ ସ୍ବାଭାବିକ ଖେଳ ଖେଳିବାରେ ଅସମର୍ଥ ହୋଇଛନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ନିଜ ସ୍ଥାନ ପକ୍କା କରିବାକୁ ହେଲେ ତାଙ୍କୁ ଏହି ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିବାକୁ ‌ହେବ। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲଙ୍କ ପାଇଁ ମଧ୍ୟ ଟ୍ବେଣ୍ଟି-୨୦ ଦଳର ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ଦାବି ଉପସ୍ଥାପନ କରିବାର ସୁଯୋଗ ରହିବ। ଅଷ୍ଟ୍ରେଲିଆଠାରୁ ୦-୩ରେ ହାରି ଭାରତ ଆସିଥିବା ଶ୍ରୀଲଙ୍କା ମଧ୍ୟ ଆସନ୍ତାବର୍ଷର ବିଶ୍ବକପ୍‌କୁ ଆଖି ଆଗରେ ରଖି ଯୁବ ଖେଳାଳିଙ୍କୁ ସୁଯୋଗ ଦେବ। ବରିଷ୍ଠ ଖେଳାଳି ଆଞ୍ଜେଲୋ ମାଥ୍ୟୁସ ଦଳକୁ ‌ଫେରିବା ପରେ ଶ୍ରୀଲଙ୍କାର ଶକ୍ତି ପୂର୍ବାପେକ୍ଷା ବଢ଼ିଛି। ଶେଷ ଥର ପାଇଁ ସେ ୨୦୧୮ ମସିହା ଅଗଷ୍ଟ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟ୍ବେଣ୍ଟି-୨୦ ଖେଳିଥିଲେ। ଭାନୁକା ରାଜପାକସେ, ଓସଦା ଫର୍ନାଣ୍ଡୋ ଓ ଦାନୁସ୍କା ଗୁଣତିଲକେ ଗତ ଅକ୍ଟୋବରରେ ପାକିସ୍ତାନକୁ ୩-୦ରେ ହରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଗୁଆହାଟିରେ ମଧ୍ୟ ଏମାନଙ୍କ ପ୍ରଦର୍ଶନ ଉପରେ ସିଂହଳୀ ଦଳର ସଫଳତା ନିର୍ଭରଶୀଳ ରହିବ। ଲେଗ୍‌ସ୍ପିନର ୱାନିନ୍ଦୁ ହସରଙ୍ଗା ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାଇବାର ଦକ୍ଷତା ରଖନ୍ତି।

କୋହଲିଙ୍କ କାଣିଆଙ୍ଗୁଠିରେ ଆଘାତ
ଗୁଆହାଟି ଟ୍ବେଣ୍ଟି-୨୦ର ଠିକ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଶନିବାର ଅଭ୍ୟାସ ବେଳେ ଅଧିନାୟକ ବିରାଟ କୋହଲି ଆହତ ହୋଇଛନ୍ତି। ତାଙ୍କ ବାମହାତ କାଣିଆଙ୍ଗୁଠିରେ ଆଘାତ ଲାଗିଛି। ଏହି ଘଟଣା ଶନିବାର ଭାରତୀୟ ଖେଳାଳିଙ୍କ ଅଭ୍ୟାସ ଅଧିବେଶନର ପ୍ରଥମାର୍ଧରେ ଘଟିଥିଲା। ଏହା ପରେ ଦଳୀୟ ଫିଜିଓ ନିତିନ ପଟେଲ ପଡ଼ିଆ ଭିତରେ କୋହଲିଙ୍କର ଚିକିତ୍ସା‌ କରିଥିଲେ। ତେବେ କୋହଲିଙ୍କ ଆଘାତ ସେତେଟା ଗୁରୁତର ନଥିବା ଜଣାପଡ଼ିଛି। ଗୁରୁବାର ବିଳମ୍ବିତ ରାତିରେ ଗୁଆହାଟିରେ ପହଞ୍ଚିଥିବା ଅଲରାଉଣ୍ଡର୍ ରବୀନ୍ଦ୍ର ଜାଦେଜା ଆଜି ଅଭ୍ୟାସ କରି ନଥିଲେ।

ବ୍ୟାନର, ପୋଷ୍ଟର ଓ ପ୍ଲା କାର୍ଡସ ନିଷେଧ
ଭାରତ-ଶ୍ରୀଲଙ୍କା ମଧ୍ୟରେ ବର୍ଷାପରା ଷ୍ଟାଡିୟମ୍‌ରେ ହେବାକୁ ଥିବା ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଦର୍ଶକ ଷ୍ଟାଡିଅମ୍ ଭିତରକୁ ବ୍ୟାନର, ପୋଷ୍ଟର ଓ ପ୍ଲାକାର୍ଡସ ନେଇ ପାରିବେନି। ଏସବୁ ନିଷିଦ୍ଧ ଜିନିଷ ନେଇପାରିବେ ନାହିଁ ବୋଲି ଆସାମ କ୍ରିକେଟ୍ ସଂଘ (ଏସିଏ) କହିଛି। କେବଳ ପର୍ସ, ମହିଳାଙ୍କ ବ୍ୟାଗ୍, ମୋବାଇଲ ଫୋନ୍ ଓ ଗାଡ଼ି ଚାବିକାଠି ଷ୍ଟାଡିୟମ୍‌କୁ ଯାଇପାରିବ ବୋଲି ଏସିଏ କହିଛି। ଏପରିକି ମାର୍କର କିମ୍ବା କଲମ ମଧ୍ୟ ଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛି। ନାଗରିକ ସଂଶୋଧନ ବିଲ୍ ଆଇନରେ ପରିଣତ ହେବା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଫଳରେ ଆସାମରେ ହିଂସାକାଣ୍ଡ ଘଟିଥିଲା। ଏହି ସବୁ ଘଟଣାକୁ ଆଖି ଆଗରେ ରଖି ଏସିଏର ସଂପାଦକ ଦେବଜିତ୍ ସାଇକିଆ ଆନ୍ତର୍ଜାତିଆ ମ୍ୟାଚ୍‌କୁ ସୁରୁଖୁରୁରେ ସଂପାଦନ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କାରଣ ଏହା ପୂର୍ବରୁ ୨୦୧୭ରେ ଅଷ୍ଟ୍ରେଲିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାକୁ ଆସାମ ଆସିଥିବା ବେଳେ ଲୋକମାନେ ତାଙ୍କ ବସ୍‌କୁ ଢେଲା ମାଡ଼ କରିଥିଲେ।

ଖାତା ଖୋଲିଲେ ରୋହିତଙ୍କୁ ଟପିବେ ବିରାଟ
ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ସର୍ବାଧିକ ରନ୍ କରିବାରେ ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (୭୫ ମ୍ୟାଚ୍) ଓ ରୋହିତ ଶର୍ମା (୧୦୪ ମ୍ୟାଚ୍) ମିଳିତ ଭାବେ ଶୀର୍ଷରେ ଅଛନ୍ତି। ଉଭୟେ ୨୬୩୩ ରନ୍ ଲେଖାଏଁ କରିଛନ୍ତି। ତେବେ ରବିବାରଠୁ ଆରମ୍ଭ ହେବାକୁ ଯାଉଥିବା ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବାରୁ ତାଙ୍କୁ ଅତିକ୍ରମ କରିବାର ସୁଯୋଗ ବିରାଟ କୋହଲିଙ୍କ ପାଖରେ ରହିଛି। ଉଭୟେ ସମାନ ରନ୍ କରିଥିବାରୁ ଶ୍ରୀଲଙ୍କା ବିପକ୍ଷରେ ଖାତା ଖୋଲିବା ମାତ୍ରେ ହିଁ ରୋହିତ ଶର୍ମାଙ୍କୁ ପଛରେ ପକାଇ ଏକାକି ଶୀର୍ଷ ସ୍ଥାନ ହାସଲ କରିନେବେ କୋହଲି। ତେବେ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ରେ ବିରାଟଙ୍କ ପ୍ରଦର୍ଶନ ବହୁତ ଭଲ ରହିଛି। ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ସମସ୍ତ (୪ ମ୍ୟାଚ୍‌) ଟ୍ବେଣ୍ଟି-୨୦ରେ ଅର୍ଧଶତକ ହାସଲ କରିଛନ୍ତି କୋହଲି। କେବଳ ସେତିକି ନୁହେଁ ତାଙ୍କର ବ୍ୟାଟିଂ ହାର ହେଉଛି ୯୪.୩୩। କୋହଲି ଓ ରୋହିତଙ୍କ ପଛକୁ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ରେ ସର୍ବାଧିକ ରନ୍ କରିବାରେ ତୃତୀୟ ସ୍ଥାନରେ ଅଛନ୍ତି ନ୍ୟୁଜିଲାଣ୍ଡର ମାର୍ଟିନ ଗପ୍ଟିଲ (୮୩ ମ୍ୟାଚ୍,୨୪୩୬ ରନ୍)।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ସଞ୍ଜୁ ସାମସନ୍, ଋଷବ ପନ୍ତ, ଶିଭମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଦେଜା, ଯଶ୍ରପୀତ ବୁମ୍‌ରା, ଶାର୍ଦୁଲ ଠାକୁର, ନଦଭୀପ ସଇନି, ୱାସିଂଟନ୍‌ ସୁନ୍ଦର।

ସମ୍ଭାବ୍ୟ ଶ୍ରୀଲଙ୍କା: ଲସିଥ ମାଲିଙ୍ଗା (ଅଧିନାୟକ), ଦନୁଷ୍କା ଗୁଣତିଲକ, ଅଭିସ୍କା ଫର୍ନାଣ୍ଡୋ, ଆଞ୍ଜେ‌ଲୋ ମାଥ୍ୟୁସ, ଦାସୁନ ସନକା, କୁଶାଲ ପେରେରା, ନିରୋ‌ସାନ ଡିକୱେଲା, ଧନଞ୍ଜୟ ଡି’ ସିଲଭା, ଇସୁରୁ ଉଦାନା, ଭାନୁକା ରାଜପାକସେ, ଓସଦା ଫର୍ନାଣ୍ଡୋ, ୱାନିନ୍ଦୁ ହରରଙ୍ଗା, ଲାହିରୁ କୁମାର, କୁଶାଲ ମେଣ୍ଡିସ, ଲକ୍ଷ୍ମଣ ସନ୍ଦକନ, କସୁନ ରଜିତା।

ସମ୍ବନ୍ଧିତ ଖବର