ଯୁବ ଖେଳାଳି ନେଲେ ପ୍ରତିଶୋଧ

କଲମ୍ବୋ: ଚଳିତ ନିଦାହାସ୍‌ ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ରେ ସୋମବାର ଭାରତ ୬ ଓ୍ଵିକେଟ୍‌ରେ ଶ୍ରୀଲଙ୍କାକୁ ହରାଇ ପ୍ରଥମ ଲିଗ୍‌ ପରାଜୟର ପ୍ରତିଶୋଧ ନେଇଛି। ଏଥି ସହ ଦଳ ଫାଇନାଲ୍‌ ପ୍ରବେଶ ଆଶାକୁ ଉଜ୍ଜ୍ୱୀବିତ କରିଛି। ଦୀନେଶ କାର୍ତିକ ଏବଂ ମନୀଷ ପାଣ୍ଡେଙ୍କ ଅର୍ଧଶତକୀୟ ଭାଗୀଦାରି ବଳରେ ଭାରତ ୯ ବଲ୍‌ ପୂର୍ବରୁ ବିଜୟୀ ହୋଇଥିଲା। ବରିଷ୍ଠଙ୍କ ବିଫଳତା ଏହି ମ୍ୟାଚ୍‌ରେ ଅନଭିଜ୍ଞ ଯୁବ ଖେଳାଳିମାନେ ବିଜୟ ଭେଟି ଦେବା ଉଲ୍ଲେଖନୀୟ ଥିଲା।
ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ପ୍ରାୟ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଥିଲା। କିନ୍ତୁ ପ୍ରତ୍ୟେକ ପାଳିରୁ ଗୋଟିଏ ଓଭର ଲେଖାଏଁ କଟିଥିଲା। ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ କେବଳ ଋଷବ ପନ୍ତଙ୍କ ବଦଳରେ ଲୋକେଶ ରାହୁଲଙ୍କୁ ନେଇ ଖେଳିଥିଲା। ଶ୍ରୀଲଙ୍କା କିନ୍ତୁ ଜୟଦେବ ଉନାଦକତଙ୍କ ପ୍ରଥମ ଓଭରରୁ ୧୫ ରନ୍‌ ଆଦାୟ କରି ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ଦ୍ୱିତୀୟ ଓଭର ନେଇ ଆସିଥିବା ଲେଗ୍‌ ସ୍ପିନର୍‌ ଓ୍ଵାସିଂଟନ୍‌ ସୁନ୍ଦର ୯ ରନ୍‌ ଦେଇଥିଲେ ମଧ୍ୟ ନିଜର ପରବର୍ତୀ ୩ ଓଭରରେ ୧୨ ରନ୍‌ ଦେଇ ୨ ଓ୍ଵିକେଟ୍‌ ବାହାର କରିନେବା ଶ୍ରୀଲଙ୍କା ପାଳିରେ ଅଙ୍କୁଶ ଲଗାଇଥିଲା। ସୁନ୍ଦରଙ୍କୁ ସାଥ୍‌ ଦେଇ ମୁମ୍ବାଇ ଦ୍ରୁତ ବୋଲର ସାର୍ଦୁଲ ଠାକୁର (୪-୦-୨୭-୪) ସବୁଠୁ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ। ଶେଷ ଓଭରରେ ତ ସେ ହ୍ୟାଟ୍ରିକ୍‌ ସୁଯୋଗ ସୃଷ୍ଟି କରି ବଞ୍ଚିତ ରହିଥିଲେ। ଠାକୁରଙ୍କ ଥଳିରେ ପଡ଼ିଥିଲେ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଗୁଣତିଳକ (୧୭), ତିସରା ପେରେରା (୧୫), ଶଣକା (୧୯) ଏବଂ ଚାମିରା (୦)। କୁସାଲ ମେଣ୍ଡିଜ୍‌ ବଞ୍ଚାଇଥିଲେ। ୩୮ ବଲ୍‌ରୁ ୩ ଲେଖାଏଁ ଚୌକା ଓ ଛକା ମାରି ୫୫ ରନ୍‌ ସଂଗ୍ରହ କରିବାରୁ ଦଳ ୧୫୨ ରନ୍‌ କରିପାରିଥିଲା।
ଜବାବରେ ଭାରତର ୩ ଅଭିଜ୍ଞ ଖେଳାଳି ରୋହିତ ଶର୍ମା (୧୧), ଶିଖର ଧାଓ୍ଵନ (୮) ଏବଂ ସୁରେଶ ରାଇନା (୨୭) ସଅଳ ପ୍ୟାଭିଲିଅନ୍‌ ଫେରିଥିଲେ। ପ୍ରତ୍ୟାବର୍ତନ କରିଥିବା ଲୋକେଶ ରାହୁଲ (୧୮) ସୁଯୋଗ ହାତଛଡ଼ା କରିଥିଲେ। ଯୁବ ଯୋଡ଼ି ମନୀଷ ପାଣ୍ଡେ (୪୨*, ୩୧ ବଲ୍‌, ୩ ଚୌକା, ୧ ଛକା) ଏବଂ ଦୀନେଶ କାର୍ତିକ (୩୯*, ୨୫ ବଲ୍‌, ୫ ଚୌକା) ଅତୁଟ ପଞ୍ଚମ ଓ୍ଵିକେଟ୍‌ ପାଇଁ ୬୮ ରନ୍‌ ଯୋଡ଼ି ବିଜୟକୁ ଏକତରଫା କରି ଦେଇଥିଲେ। ଠାକୁର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବୁଧବାର ଭାରତ ନିଜର ଶେଷ ଲିଗରେ ବାଂଲାଦେଶକୁ ଭେଟିବ।

ସମ୍ବନ୍ଧିତ ଖବର