ଭାରତ ବିପକ୍ଷ ଟେଷ୍ଟ୍‌ ଦଳରେ ବୋଲ୍‌ଟ ନାହାନ୍ତି: ୫ ସ୍ପିନରଙ୍କୁ ସାମିଲ କଲା ନ୍ୟୁଜିଲାଣ୍ଡ୍‌

ଅକ୍‌ଲାଣ୍ଡ୍‌, : ଚଳିତ ଟି-୨୦ ବିଶ୍ବକପ୍‌ ପରେ ପରେ ନ୍ୟୁଜିଲାଣ୍ଡ୍‌ ଦଳ ୩ ଟି-୨୦ ଏବଂ ୨ଟି ଟେଷ୍ଟ୍‌ ଖେଳିବାକୁ ଭାରତ ଗସ୍ତରେ ଆସିବ। ଆସନ୍ତା ୧୭ ତାରିଖରୁ ଟି-୨୦ ଶୃଙ୍ଖଳା ଖେଳିବା ପରେ ଭ୍ରମଣକାରୀ ଦଳ ୨୫ରୁ ଟେଷ୍ଟ୍‌ ଶୃଙ୍ଖଳା ଖେଳିବ। ପ୍ରଥମ ଟେଷ୍ଟ୍‌ କାନପୁରରେ ଖେଳାଯିବା ପ‌ରେ ଡିସେମ୍ବର ୩ ତାରିଖରୁ ମୁମ୍ବାଇରେ ଦ୍ବିତୀୟ ତଥା ଶେଷ ଟେଷ୍ଟ୍‌ ଖେଳାଯିବ। ଏହି ଟେଷ୍ଟ୍‌ ଶୃଙ୍ଖଳା ପାଇଁ ନ୍ୟୁଜିଲାଣ୍ଡ୍‌ ତା’ର ୧୫ ଜଣିଆ ଦଳ ଘୋଷଣା କରିଛି। ଦ୍ରୁତ ବୋଲର ଟ୍ରେଣ୍ଟ୍‌ ବୋଲ୍‌ଟ ଏବଂ କଲିନ୍‌ ଡି ଗ୍ରାଣ୍ଡୋମେ ଦଳରେ ସ୍ଥାନ ପାଇନାହାନ୍ତି। ଜୈବ ବଳୟରେ ଲମ୍ବା ସମୟ ଧରି ଖେଳିଥିବାରୁ ଏହି ଦୁଇ ଜଣ ବିଶ୍ରାମ ଚାହିଁବାରୁ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ତେବେ ଭାରତରେ ଭାରତ ବିପକ୍ଷରେ ଖେଳିବା ପାଇଁ ନ୍ୟୁଜିଲାଣ୍ଡ୍‌ ସ୍ପିନରଙ୍କ ଉପରେ ଅଧିକ ଭରସା କରିଛି। ଫଳରେ ୫ ଜଣ ସ୍ପିନରଙ୍କୁ ଦଳରେ ସାମିଲ କରିଛି। ମିଚେଲ ସାଣ୍ଟନରଙ୍କ ସହିତ ଅଜାଜ ପଟେଲ ଏବଂ ୱିଲ୍‌ ସମରଭିଲ୍ଲେ ଆଗଧାଡ଼ିର ସ୍ପିନର ରହିଥିଲା ବେଳେ ରାଜିନ ରବୀନ୍ଦ୍ର ଓ ଗ୍ଲେନ୍‌ ଫିଲିପ୍ସଙ୍କୁ ବିକଳ୍ପ ସ୍ପିନର ଭାବେ ଯୋଡ଼ି ହୋଇଥିବା ପ୍ରଶିକ୍ଷକ ଗ୍ୟାରି ଷ୍ଟିଡ୍‌ କହିଛନ୍ତି।

ନ୍ୟୁଜିଲାଣ୍ଡ୍‌ ଟେ‌ଷ୍ଟ୍‌ ଦଳ: କେନ୍‌ ୱିଲିୟମ୍‌ସନ୍‌ (ଅଧିନାୟକ), ଟମ୍‌ ବ୍ଲଣ୍ଡେଲ (ୱିକେଟ୍‌ରକ୍ଷକ), ଡେଭନ୍‌ କନ୍‌ୱେ, କାଇଲ ଜାମିସନ, ଟମ୍‌ ଲାଥାମ, ହେନ୍‌ରି ନିକୋଲ୍‌ସ, ଅଜଜେ୍‌ ପଟେଲ, ଗ୍ଲେନ୍‌ ଫିଲିପ୍ସ, ରାଚିନ ରବୀନ୍ଦ୍ର, ମିଚେଲ ସାଣ୍ଟ୍‌ନର, ୱିଲ୍‌ ସମରଭିଲ୍ଲେ, ଟିମ୍‌ ସାଉଦି, ରସ୍‌ ଟେଲର, ୱିଲ୍‌ ୟଙ୍ଗ୍‌, ନିଲ୍‌ ୱାଗ୍‌ନର।

କାନପୁର ଟେଷ୍ଟ୍‌ ପୂର୍ବରୁ କୋଲ୍‌କାତାରେ ଅଭ୍ୟାସ
କୋଲ୍‌କାତା : ଭାରତ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ନ୍ୟୁଜିଲାଣ୍ଡ କୋଲ୍‌କାତାରେ ଅଭ୍ୟାସ କରିବ। ବିଶେଷକରି କାନପୁର ଟେ‌ଷ୍ଟ୍‌ ପୂର୍ବରୁ ହିଁ କେନ୍‌ ୱିଲିୟମସନ୍‌ଙ୍କ ଦଳ ସ୍ଥାନୀୟ ସଲ୍‌ଟଲେକ୍‌ସ୍ଥିତ ଯାଦବପୁର ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ ପଡ଼ିଆରେ ଅଭ୍ୟାସ କରିବ ବୋଲି କ୍ରିକେଟ୍‌ ସଂଘ ବଙ୍ଗେଲ (ସିଏବି) ସଭାପତି ଅଭିଷେକ ଡାଲମିଆ ସୂଚନା ଦେଇଛନ୍ତି। ଏଠାରୁ ନଭେମ୍ବର ୨୫ ତାରିଖରୁ ଆରମ୍ଭ ହେବାକୁଥିବା ପ୍ରଥମ ଟେଷ୍ଟ୍‌ ଖେଳିବା ଲାଗି କାନପୁର ଗସ୍ତ କରିବ। ମୁମ୍ବାଇରେ ଦ୍ବିତୀୟ ଟେଷ୍ଟ୍‌ ଡିସେମ୍ବର ୩‌ ତାରିଖରେ ଖେଳାଯିବ। ଦଳୀୟ ପ୍ରବନ୍ଧକ ମାଇକ୍‌ ସାଣ୍ଡଲେ ଓ କୋଭିଡ ପ୍ରବନ୍ଧକ ଆଣ୍ଡ୍ର୍ୟୁ ଲଭ୍‌ଙ୍କୁ ନେଇ ଗଠିତ ନ୍ୟୁଜିଲାଣ୍ଡର ଦୁଇ ଜଣିଆ ସୁରକ୍ଷା ଦଳ ଶେଷ ତଥା ତୃତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବାକୁ ଥିବା ଇଡେନ୍‌ ଗାର୍ଡେନ ‌ପରିଦର୍ଶନରେ ଆସିଥିଲେ। ଏମାନ‌େ ଏଠାର ସୁରକ୍ଷା ବ୍ୟବସ୍ଥାକୁ ‌ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ଅଭ୍ୟାସ କରିବାକୁ କୋଲ୍‌କାତାକୁ ପସନ୍ଦ କରିଥିଲେ।

ସମ୍ବନ୍ଧିତ ଖବର