ହାମିଲଟନ୍ : ରବିବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଡେଭନ୍‌ କନ୍‌ୱେ ଓ ଈଶ୍‌ ସୋଢ଼ି ଚମକ ଦେଖାଇଥିଲେ। କନ୍‌ୱେଙ୍କ ଅପରାଜିତ ୯୨ ରନ୍‌ ଏବଂ ସୋଢ଼ିଙ୍କ ୪ ୱିକେଟ୍‌ ଦଖଲ ବଳରେ ଘରୋଇ ନ୍ୟୁଜିଲାଣ୍ଡ ୬୬ ରନ୍‌ରେ ଭ୍ରମଣକାରୀ ବାଂଲାଦେଶକୁ ପରାସ୍ତ କରିଦେଇଛି। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଘରୋଇ ଦଳ ୧-୦ର ଅଗ୍ରଣୀ ପାଇଯାଇଛି।

Advertisment

ଟସ୍‌ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ ନେଇଥିଲା। ଫିନ୍‌ ଆଲେନ୍‌ (୦) ଖାତା ଖୋଲିବା ପୂର୍ବରୁ ପ୍ରଥମ ଓଭରର ଶେଷ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ହେଲେ ମାର୍ଟିନ୍‌ ଗପ୍ଟିଲ (୩୫) ଓ କନ୍‌ୱେ ଦ୍ବିତୀୟ ୱିକେଟ୍‌ରେ ୫୨ ରନ୍ ଯୋଡ଼ି ଭଲ ଆରମ୍ଭ ଦେବା ପରେ ୱିଲ୍‌ ୟଙ୍ଗ୍‌ (୫୩)ଙ୍କୁ ସାଥୀ କରି କନ୍‌ୱେ ତୃତୀୟ ୱିକେଟ୍‌ରେ ୧୦୫ ରନ୍ ଯୋଡ଼ି ସ୍ଥିତି ଦୃଢ଼ କରିଥିଲେ। ୟଙ୍ଗ୍‌ ୩୦ ବଲ୍‌ରୁ ୨ ଚୌକା ଓ ୪ ଛକା ବଳରେ ଅର୍ଦ୍ଧଶତକ ପୂରଣ କରିଥିଲା ବେଳେ କନ୍‌ୱେ ୫୨ ବଲ୍‌ରୁ ୧୧ ଚୌକା ଓ ୩ ଛକା ସହାୟତାରେ ୯୨ ରନ୍‌ କରି ଅପରାଜିତ ରହିଥିଲେ। ଗ୍ଲେନ୍‌ ଫିଲିପ୍ସ ୧୦ ବଲ୍‌ରୁ ୩ ଚୌକା ଓ ୧ ଛକା ମାରି ୨୪ ରନ୍‌ରେ ଅପରାଜିତ ରହିଥିଲା ବେଳେ ନ୍ୟୁଜିଲାଣ୍ଡ ୩ ୱିକେଟ୍‌ ବିନିମୟରେ ୨୧୦ ରନ୍‌ କରିନେଇଥିଲା। ନାସୁମ ଅହମ୍ମଦ ବାଂଲାଦେଶର ସଫଳ ବୋଲର ଭାବେ ୨ ୱିକେଟ୍‌ ପାଇଥିଲେ। ଜବାବରେ ସୋଢ଼ି (୪-୦-୨୮-୪), ଲୋକି ଫର୍ଗୁସନ୍‌ (୪-୦-୨୫-୨), ହାମିସ୍‌ ବେନେଟ (୪-୦-୨୦-୧) ଓ ଅଧିନାୟକ ଟିମ୍‌ ସାଉଦି (୪-୦-୩୪-୧)ଙ୍କ ମିଳିତ ବୋଲିଂ ଆକ୍ରମଣ ଆଗରେ ହାର୍‌ମାନି ୧୪୪/୮ରେ ସୀମିତ ରହିଥିଲା। କେବଳ ଆଫିଫ୍‌ ହୋସେନ୍‌ (୪୫), ମହମ୍ମଦ ସୈଫୁଦିନ୍‌ (୩୪*), ମହମ୍ମଦ ନଇମ୍‌ (୨୭) ଓ ଅଧିନାୟକ ମାହମୁଦୁଲା (୧୧) ଦୁଇ ଅଙ୍କ ଛୁଇଁ ପାରିଥିଲେ। ଶତକରୁ ୮ ରନ୍‌ ପାଇଁ ବଞ୍ଚିତ ରହିଥିବା କନ୍‌ୱେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।