ଲଥାମ-ୱିଲିୟମସନ୍‌ଙ୍କ ଦ୍ବିଶତକ ଭାଗୀଦାରି: ଭାରତ ହାରିଲା

ଉମ୍ରାନ ଓ ଅର୍ଶଦୀପଙ୍କ ଦିନିକିଆ ପଦାର୍ପଣ

ଅକ୍‌ଲାଣ୍ଡ୍‌ : ପ୍ରଥମ ଦିନିକିଆରେ ଘରୋଇ ନ୍ୟୁଜିଲାଣ୍ଡ୍‌ ସମ୍ମୁଖରେ ୩୦୭ ରନ୍‌ର ଆହ୍ବାନଭରା ସ୍କୋର୍‌ ଦେଇଥିଲେ ମଧ୍ୟ ଭାରତ ଶୋଚନୀୟ ଭାବେ ୭ ୱିକେଟ୍‌ରେ ହାରିଯାଇଛି। ବିଶେଷକରି ଟମ୍ ଲଥାମ ଏବଂ ଅଧିନାୟକ କେନ୍‌ ୱିଲିୟମସନ୍‌ଙ୍କ ମଧ୍ୟରେ ହୋଇଥିବା ୨୨୧ ରନ୍‌ର ଅତୁଟ ଭାଗୀଦାରି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଛି। ଏଥିସହିତ ‌୩ ମ୍ୟାଚ୍‌ ଦିନିକିଆ ଶୃଙ୍ଖଳାରେ ଘରୋଇ ଦଳ ୧-୦ରେ ଆଗୁଆ ହୋଇଯାଇଛି। ୱି‌କେଟରକ୍ଷକ ବ୍ୟାଟର୍‌ ଟମ୍ ଲଥାମ୍ ନିଜ ଖେଳ ଜୀବନର ଶ୍ରେଷ୍ଠ ଦିନିକିଆ ପାଳି ଖେଳି ମ୍ୟାଚ୍‌ର ମଧ୍ୟ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ବିସ୍ଫୋରକ ପାଳି ଖେଳିଥିବା ଲଥାମ୍ ୧୦୪ ବଲ୍‌ରୁ ୧୪୫* ରନ୍‌ ସଂଗ୍ରହ କରିଥିବା ବେଳେ କେନ୍‌ ୱିଲିୟମ୍‌ସନ୍ (୯୮ ବଲ୍‌ରୁ ୯୪* ରନ୍‌)ଙ୍କୁ ମଧ୍ୟ ଶତକ ପୂରଣ ସୁଯୋଗ ଦେବାର କୌଣସି ଅନୁକମ୍ପା ଦେଖାଇନଥି‌ଲେ। ୨୭.୨ ଓଭରରୁ ଏହି ବାମ-ଡ଼ାହାଣ ଯୋଡ଼ି ୨୨୧ ରନ୍‌ ଯୋଡ଼ି ୧୭ ବଲ୍‌ ପୂର୍ବରୁ ମ୍ୟାଚ୍‌ ଶେଷ କରି ଦେଇଥିଲେ।

ପଦାର୍ପଣରେ ଉମ୍ରାନ୍ ମଲ୍ଲିକ (୧୦-୦-୬୬-୨) ପ୍ରଶଂସନୀୟ ବୋଲିଂ କରିଥିଲେ ମଧ୍ୟ ଲଥାମ-ୱିଲିୟମସନ୍‌ ଭାରତର ବୋଲିଂକୁ ମାମୁଲି ସାବ୍ୟସ୍ତ କରି ଦେଇଥିଲେ। ଅନ୍ୟତମ ପଦାର୍ପଣକାରୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ (୮.୧-୦-୬୮-୦) ସବୁଠୁ ମହଙ୍ଗା ବୋଲର ରହିଥିଲେ। ଅନ୍ୟ ୱିକେଟ୍‌ଟି ଦଖଲ କରିଥିଲେ ଶାର୍ଦୁଳ ଠାକୁର (୯-୧-୬୩-୧)। ଭାରତ କିନ୍ତୁ ଷଷ୍ଠ ବୋଲିଂ ବିକଳ୍ପ ବିନା ଖେଳି ଏହାର ଫଳ ଭୋଗିଲା। ନ୍ୟୁଜିଲାଣ୍ଡକୁ ଶେଷ ୧୮ ଓଭରରୁ ୧୪୪ ରନ୍‌ ଆବଶ୍ୟକ ପଡୁଥିବା ବେଳେ ଲଥାମ୍ ଲାଠି ଚାଳନା ଭଳି ବ୍ୟାଟିଂ କରିଥିଲେ।‌ ସେତେବେଳକୁ ୪୩ ବଲ୍‌ରୁ ୩୬ ରନ୍‌ ସଂଗ୍ରହ କରିଥିବା ଏହି ବାମହାତୀ ବ୍ୟାଟର୍‌ ଶେଷକୁ ୧୦୪ ବଲ୍‌ରୁ ୧୪୫* ରନ୍ ସଂଗ୍ରହ କରି ମ୍ୟାଚ୍‌କୁ ଏକତରଫା କରିଦେଇଥିଲେ। ଶାର୍ଦୁଳ ଠାକୁରଙ୍କୁ ଡିପ୍ ମିଡୱିକେଟ୍‌ ବାଉଣ୍ଡାରି ଅଞ୍ଚଳକୁ ଚୌକା ମାରି ଲଥାମ ମଧ୍ୟ ମ୍ୟାଚ୍‌ ଶେଷ କରିଥିଲେ।

ଅକଲାଣ୍ଡ୍‌ର ଇଡେନ୍ ପାର୍କରେ ଶୁକ୍ରବାର ସକାଳେ ଟସ୍ ଜିତି ନ୍ୟୁଜିଲାଣ୍ଡ୍ ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତର ପ୍ରାରମ୍ଭିକ ଯୋଡ଼ି ଶିଖର ଧାୱନ ଏବଂ ଶୁବମନ ଗିଲ୍‌ ନିଜ ନିଜ ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମ ୱିକେଟ୍‌ ପାଇଁ ୨୩ ଓଭରରେ ୧୨୪ ରନ୍‌ ଉଠାଇ ଦୃଢ଼ ମୂଳଦୁ୍ଆ ପକାଇଥିଲେ। ଗିଲ୍ (୬୫ ବଲ୍‌ରୁ ୫୦ ରନ୍‌) ଅର୍ଦ୍ଧଶତକ ହାସଲ କରିବାର ପରବର୍ତୀ ବଲ୍‌ରେ ଆଉଟ୍ ‌ହୋଇଯାଇଥି‌ଲେ। ଫର୍ଗୁସନଙ୍କୁ ସ୍କୋୟାଲ୍ ଲେଗ୍ ଉପରେ ଛକା ମାରିବାକୁ ଯାଇ କନୱେଙ୍କ ହାତରେ ଧରାପଡ଼ିଯାଇଥିଲେ। ପରବର୍ତୀ ଓଭରରେ ଧାୱନ (୭୭ ବଲ୍‌ରୁ ୭୨ ରନ୍‌)ଙ୍କୁ ଟିମ୍ ସାଉଦି ତାଙ୍କ ୨୦୦ତମ ଦିନିକିଆ ଶିକାର କରିଥିଲେ। ଏ କ୍ଷେତ୍ରରେ ସେ ନ୍ୟୁଜିଲାଣ୍ଡ୍‌ର ପଞ୍ଚମ ବୋଲର ହୋଇଥିଲେ। ଏହା ପରେ ଋଷଭ ପନ୍ତ୍‌ (୨୩ ବଲ୍‌ରୁ ୧୫ ରନ୍‌) ଏବଂ ସୂର୍ଯ୍ୟକୁମାର ଯାଦବ (୩ ବଲ୍‌ରୁ ୪ ରନ୍‌) ଶସ୍ତାରେ ଆଉଟ୍ ‌ହୋଇଯିବାରୁ ଭାରତର ମଧ୍ୟକ୍ରମ ବ୍ୟାଟିଂରୁ ବିଶେଷ ଫାଇଦା ମିଳିନଥିଲା। ୩ ନମ୍ବର ସ୍ଥାନରେ ଖେଳିଥିବା ଶ୍ରେୟସ ଆୟର୍‌ କିନ୍ତୁ ଆକର୍ଷଣୀୟ ପାଳି (୭୬ ବଲ୍‌ରୁ ୮୦ ରନ୍‌, ୪ ଚୌକା, ୪ ଛକା) ଖେଳି ଭାରତ ପାଇଁ ଲଢ଼ିଥିଲେ। ନିମ୍ନକ୍ରମରେ ସଂଜୁ ସାମସନ୍ (୩୮ ବଲ୍‌ରୁ ୩୬ ରନ୍‌) ଏବଂ ୱାସିଂଟନ୍ ସୁନ୍ଦର (୧୬ ବଲ୍‌ରୁ ୩୭* ରନ୍‌, ୩ ଚୌକା, ୩ ଛକା) ଉପଯୋଗୀ ଅବଦାନ ଦେବାରୁ ଭାରତ ୩୦୦ ରନ୍‌ ଅତିକ୍ରମ କରିଯାଇଥିଲା। ଘରୋଇ ଦଳ ପକ୍ଷରୁ ଦୁଇ ଦ୍ରୁତ ବୋଲର୍‌ ଟିମ୍ ସାଉଦି ଏବଂ ଲୋକି ଫର୍ଗୁସନ୍‌ ୩ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ରବିବାର ଏହି ୩ ମ୍ୟାଚ୍‌ ଶୃଙ୍ଖଳାର ଦ୍ବିତୀୟ ଦିନିକିଆ ହାମିଲଟନ୍‌ରେ ଖେଳାଯିବ।

 

ନ୍ୟୁଜିଲାଣ୍ଡର କ୍ରମାଗତ ୧୩ ଘରୋଇ ବିଜୟ

ଘରୋଇ ମାଟିରେ ନ୍ୟୁଜିଲାଣ୍ଡ୍‌ କ୍ରମାଗତ ଭାବେ ୧୩ ଦିନିକିଆ ମ୍ୟାଚ୍‌ରେ ବିଜୟୀ ହୋଇଛି। ୨୦୧୯ ବିଶ୍ବକପ୍‌ ଉପବିଜେତା ଦଳ ଏବେ ମଧ୍ୟ ଆଇସିସି ମାନ୍ୟତାର ଶୀର୍ଷରେ ରହିଛି। ୨୦୧୯ ଫେବ୍ରୁଆରିଠାରୁ ଏହି ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ପରାଜିତ ହୋଇନାହିଁ। ପୂର୍ବରୁ ୨୦୧୫ରେ ଜାନୁଆରିରୁ ଡିସେମ୍ବର ମଧ୍ୟରେ କ୍ରମାଗତ ୧୨ ବିଜୟ ହାସଲ କରିଥିବାରୁ ଏବେ ଏହା ପଛରେ ପଡ଼ିଯାଇଛି। ୨୦୧୭-୧୮ରେ ମଧ୍ୟ ବ୍ଲାକ କ୍ୟାପ୍ ଦଳ ଲଗାଗାର ଭାବେ ୯ ବିଜୟ ହାସଲ କରିଥିଲା। ସେହିଭଳି ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ୍ ମାତ୍ର ଦ୍ବିତୀୟ ଥର ୩୦୦ରୁ ଊର୍ଧ୍ବ ରନ୍‌କୁ ପଶ୍ଚାତଧାବନ କରି ଜିତିଛି। ୨୦୨୦ରେ ହାମିଲଟନ୍‌ରେ ସର୍ବାଧିକ ୩୪୮ ରନ୍‌କୁ ପଛରେ ପକାଇଥିଲା। ୱିଲିୟମସନ୍-ଲଥାମଙ୍କ ମଧ୍ୟରେ ଶୁକ୍ରବାର ହୋଇଥିବା ୨୨୧* ରନ୍‌ ଭାଗୀଦାରି ମଧ୍ୟ ଦିନିକିଆ ପଶ୍ଚାତଧାବନରେ ଚତୁର୍ଥ ୱିକେଟ୍ ପାଇଁ ଦ୍ବିତୀୟ ଦ୍ବିଶତକ। ୨୦୧୩ରେ ଡବ୍‌ଲିନ୍‌ରେ ଇଂଲଣ୍ଡ ଯୋଡ଼ି ଇଅନ୍ ମୋର୍ଗାନ୍‌ ଏବଂ ରବି ବୋପାରା ୨୨୬* ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର