କାର୍ଡିଫରେ ଲଙ୍କା ଦଳନ, ହେନରି, ଫର୍ଗୁସନ୍ ହୋସ୍‌ ଉଡ଼ା‌ଇଲେ

କାର୍ଡିଫ: ଚଳିତ କ୍ରିକେଟ୍ ବିଶ୍ବକପରେ ଏସୀୟ ରାଷ୍ଟ୍ରଗୁଡ଼ିକର ପରାଜୟ ଧାରା ଜାରି ରହିଛି। ପାକିସ୍ତାନ ପରେ ଶ୍ରୀଲଙ୍କା ଏକତରଫା ଭାବେ ହାରିଛି। ୧୯୯୨ ବିଜେତା ପାକିସ୍ତାନ ତା’ ପ୍ରଥମ ମୁକାବିଲାରେ ମାତ୍ର ୧୦୫ ରନ୍‌ରେ ଅଲଆଉଟ୍ ହୋଇଥିଲା। ଶନିବାର ପୂର୍ବବିଜେତା ଶ୍ରୀଲଙ୍କା (୧୯୯୬) ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୩୬ ରନ୍‌ରେ ଅଟକି ଯାଇଛି। ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ପାକିସ୍ତାନକୁ ୭ ୱିକେଟ୍‌ରେ ଧୂଳି ଚଟାଇଥିଲା। ୨୦୧୫ ଉପ ବିଜେତା ନ୍ୟୁଜିଲାଣ୍ଡ ଆଜି ଶ୍ରୀଲଙ୍କାକୁ ୧୦ ୱିକେଟ୍‌ରେ ଦଳିଛି। କାର୍ଡିଫରେ କମାଲ କରି କିୱି ଦଳ ମଧ୍ୟ ବିଶ୍ବକପ୍ ଇତିହାସରେ ତୃତୀୟ ଥର ପାଇଁ ‘ଫରଫେକ୍ଟ ଟେନ୍’ ବିଜୟ ପାଇଛି।

ହେନରି, ଫର୍ଗୁସନ୍ ହୋସ୍‌ ଉଡ଼ା‌ଇଲେ
ଶ୍ରୀଲଙ୍କା ପାଳିକୁ ନ୍ୟୁଜିଲାଣ୍ଡର ଦୁଇ ବୋଲର ମ୍ୟାଟ୍ ହେନରି (୭-୦-୨୯-୩) ଓ ଲୋକି ଫଗୁର୍ସନ୍ (୬.୨-୦-୨୨-୩) ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲେ। ଉଭୟ ୬ ୱିକେଟ୍ ବାଣ୍ଟିନେବା ପରେ ସିଂହଳୀ ପାଳି ୨୯.୨ ଓଭର ପୂର୍ବରୁ ଶେଷ ହୋଇ ଯାଇଥିଲା। ଅଧିନାୟକ ଦିମୁଥ କରୁଣାରତ୍ନେ ସଂଘର୍ଷପୂର୍ଣ୍ଣ ଅର୍ଧଶତକ ଅର୍ଜନ କରି ଦଳକୁ ୧୦୦ ରନ୍ ପାର କରାଇଥିଲେ। ତାଙ୍କ ଛଡ଼ା କେବଳ କୁଶଲ (୨୯) ଓ ଥିସାରା ପେରେରା (୨୭) ଦୁଇ ଅଙ୍କ ଛୁଇଁଥିଲେ। ଅନ୍ୟ ୭ ଜଣ ଖେଳାଳି ଏକ ଅଙ୍କରେ ସୀମିତ ରହିଥିଲେ। କରୁଣାରତ୍ନେ ଅବଶ୍ୟ ବିଶ୍ବ କ୍ରିକେଟ୍‌ର ଦ୍ବାଦଶ ଏବଂ ଶ୍ରୀଲଙ୍କାର ଦ୍ବିତୀୟ ବ୍ୟାଟ୍ସମ୍ୟାନ୍ ଭାବେ ‌କୌଣସି ବିଶ୍ବକପ୍ ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ହେନରି ମ୍ୟାଚ୍‌ର ଦ୍ବିତୀୟ ବଲ୍‌ରେ ନ୍ୟୁଜିଲାଣ୍ଡକୁ ପ୍ରଥମ ସଫଳତା ଦେବା ଝଟ୍‌କାରୁ ଶ୍ରୀଲଙ୍କା ବାହାରି ପାରି ନଥିଲା। ଏହା ପରେ ଫର୍ଗୁସନ୍ ନିଜ ଗତିରେ ଶ୍ରୀଲଙ୍କାକୁ ଘାଇଲା କରି ଦେଇଥିଲେ। କରୁଣାରତ୍ନେ ତାଙ୍କୁ ମିଳିଥିବା ଜୀବନ ଦାନର କିଛିଟା ଫାଇଦା ଉଠାଇଥିଲେ। ହେଲେ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ପାଇଁ ଶ୍ରୀଲଙ୍କା ଏକ ସମ୍ମାନଜନକ ସ୍କୋର କରି ପାରି ନଥିଲା। ଟସ୍ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବା ନ୍ୟୁଜିଲାଣ୍ଡ କାର୍ଡିଫର ସବୁଜ ପିଚ୍‌ରୁ ପୂରା ଫାଇଦା ଉଠାଇଥିଲା।

ନ୍ୟୁଜିଲାଣ୍ଡର ତୃତୀୟ ‘ପରଫେକ୍ଟ ଟେନ୍’
ଶ୍ରଲଙ୍କା ଧାର୍ଯ୍ୟ କରିଥିବା ୧୩୭ ରନ୍‌ର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ମାତ୍ର ୧୬.୧ ଓଭରରେ ହାସଲ କରି ନେଇଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାର୍ଟିନ ଗପ୍ଟିଲ (୭୩*) ଓ କଲିନ ମୁନ୍ରୋ (୫୮*) ଅବିଭାଜିତ ପ୍ରଥମ ୱିକେଟ୍‌ରେ ଏହାକୁ ହାସଲ କରି ନେଇଥିଲେ। ସେହିଭଳି ନ୍ୟୁଜିଲାଣ୍ଡ ନିଜ ବିଶ୍ବକପ୍ ଇତିହାସରେ ତୃତୀୟ ଥର ପାଇଁ ୧୦ ୱିକେଟ୍ ବିଜୟ ହାସଲ କରିଥିଲା। ଉଭୟ ଧୂଆଁଧାର ବ୍ୟାଟିଂ କରିଥିଲେ। ଗପ୍ଟିଲ ୩୫ତମ ଏବଂ ମୁନ୍‌ରୋ ଅଷ୍ଟମ ଅର୍ଧଶତକ ହାସଲ କରିଥିଲେ। ଦୁଇ ଜଣ ଯାକ ମିଳିତ ଭାବେ ୧୪ ଚୌକା ଏବଂ ୩ ଛକା ମାରିଥିଲେ। ବିଶ୍ବକପରେ ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିବ ବୋଲି କ୍ରିକେଟ୍ ପଣ୍ଡିତମାନେ ଭବିଷ୍ୟବାଣୀ କରିଥିଲେ। ହେଲେ କମ୍ ରନ୍ ପାଇଁ ଲଗାତାର ତୃତୀୟ ମ୍ୟାଚ୍ ନିର୍ଧାରିତ ସମୟ ପୂର୍ବରୁ ଶେଷ ହୋଇ ଯାଇଥିଲା। ଘାତକ ‌ବୋଲିଂ କରିଥିବା ମ୍ୟାଟ୍ ହେନରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର