ଅକ୍ଲାଣ୍ଡ୍: ଭ୍ରମଣକାରୀ ବାଂଲାଦେଶକୁ ତୃତୀୟ ତଥା ଶେଷ ମ୍ୟାଚ୍ରେ ପରାସ୍ତ କରି ଘରୋଇ ନ୍ୟୁଜିଲାଣ୍ଡ ଟି-୨୦ ଶୃଙ୍ଖଳାକୁ ମୂଳପୋଛ କରିଦେଇଛି। ଗୁରୁବାର ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ମ୍ୟାଚ୍କୁ ଘରୋଇ ଦଳ ୬୫ ରନ୍ରେ ଜିତି ୩-୦ରେ ଶୃଙ୍ଖଳା ପୋଛିନେଇଛି।
ବର୍ଷା ଯୋଗୁଁ ମ୍ୟାଚ୍କୁ ୨୦ ଓଭର ପରିବର୍ତେ ୧୦ ଓଭରରେ ସୀମିତ ରଖାଯାଇଥିଲା। ସେଥିରେ ଟସ୍ ଜିତି ବାଂଲାଦେଶ ପ୍ରଥମେ ବୋଲିଂ କରିଥିଲା। ତେବେ ପ୍ରାରମ୍ଭିକ ଯୋଡ଼ି ମାର୍ଟିନ୍ ଗପ୍ଟିଲ (୪୪ ରନ୍, ୧୯ ବଲ୍, ୧ ଚୌକା, ୫ ଛକା) ଏବଂ ଫିନ୍ ଆଲେନ୍ (୭୧ ରନ୍, ୨୯ ବଲ୍, ୧୦ ଚୌକା, ୩ ଛକା) ଧୂଆଁଧାର ବ୍ୟାଟିଂ କରି ୫.୪ ଓଭରରେ ୮୫ ରନ୍ ଯୋଡ଼ିବା ପରେ ବିଛିନ୍ନ ହୋଇଥିଲେ।
ଗପ୍ଟିଲଙ୍କୁ ମେହେଦି ହାସନ୍ ଆଉଟ୍ କରିବା ପରେ ଗ୍ଲେନ୍ ଫିଲିପ୍ ଓ ଆଲେନ୍ ପରବର୍ତୀ ଦୁଇ ଓଭରରେ ୩୮ ରନ୍ ଯୋଡ଼ି ନ୍ୟୁଜିଲାଣ୍ଡ୍କୁ ବଡ଼ ସ୍କୋର୍ ଦେଇଥିଲେ। ଫିଲିପ୍ ୨ ଛକା ଜରିଆରେ ୬ ବଲ୍ରୁ ୧୪ ରନ୍ କରି ତସ୍କିନ୍ ଅହମ୍ମଦଙ୍କ ଦ୍ବାରା ଆଉଟ୍ ହୋଇଥିଲା ବେଳେ ଡାରିଲ ମିଚେଲ ୬ ବଲ୍ରୁ ୧୧ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ଫଳରେ ନ୍ୟୁଜିଲାଣ୍ଡ ୧୦ ଓଭରରେ ୧୪୧/୪ କରିଥିଲା। ଜବାବରେ ବାଂଲାଦେଶ ୯.୩ ଓଭରରେ ୭୬ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ମହମ୍ମଦ ନଇମ୍ (୧୯), ମୋସାଦେକ୍ ହୋସେନ୍ (୧୩) ଓ ସୌମ୍ୟ ସର୍କାର (୧୦) କେବଳ ଦୁଇ ଅଙ୍କ ଛୁଇଁଥିଲେ।
ନ୍ୟୁଜିଲାଣ୍ଡ୍ ଅଧିନାୟକ ଟିମ୍ ସାଉଦି ୧୫ ରନ୍ରେ ୩ ୱିକେଟ୍ ନେଇଥିଲା ବେଳେ ଟଡ୍ ଆସ୍ଲେ ୧୩ ରନ୍ରେ ୪ ୱିକେଟ୍ ନେଇଥିଲେ। ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ପାଇଁ ଫିନ୍ ଆଲେନ୍ ମ୍ୟାଚ୍ର ଶ୍ରେଷ୍ଠ ଏବଂ ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ଗ୍ଲେନ୍ ଫିଲିପ୍ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।