ଇନ୍ଦୋର: ଭାରତୀୟ କ୍ରିକେଟ୍ ଦଳର ଆଉ ଏକ ଘରୋଇ ଦୁର୍ଗ ଭୁଶୁଡ଼ିଛି। ଘରୋଇ ପରିବେଶରେ ଟିମ୍ ଇଣ୍ଡିଆର ଦିନିକିଆ ଶୃଙ୍ଖଳା ବିଜୟ ଧରାରେ ଅପ୍ରତ୍ୟାଶିତ ଭାବେ ବ୍ରେକ୍ ଲାଗିଛି। ୬ଜଣ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ରବିବାର ତୃତୀୟ ଦିନିକିଆକୁ ୪୧ ରନ୍ରେ ଜିତି ନ୍ୟୁଜିଲାଣ୍ଡ ତାରକା ଖଚିତ ଭାରତୀୟ ଦଳକୁ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୨-୧ରେ ହରାଇ ଦେଇଛି। ଭାରତୀୟ ପ୍ରଶଂସକଙ୍କ ପାଇଁ ଏହି ପରାଜୟ କୌଣସି ବଡ଼ ଝଟକାଠାରୁ କିଛି କମ୍ ହୋଇନି। ଅନଭିଜ୍ଞ ନ୍ୟୁଜିଲାଣ୍ଡଠାରୁ ଟିମ୍ ଇଣ୍ଡିଆ ଘରୋଇ ପରିବେଶରେ ଶୃଙ୍ଖଳା ହାରିବା ପରେ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଯୁବ ଅଧିନାୟକ ଶୁବମନ୍ ଗିଲ୍ଙ୍କ ରଣନୈତିକ ଦକ୍ଷତା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୧୯୮୮ ମସିହା ପରେ ୮ଟି ପ୍ରୟାସ ପରେ ଭାରତରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ଏହା ପ୍ରଥମ ଏକଦିବସୀୟ ଶୃଙ୍ଖଳା ବିଜୟ ଥିଲା।
ଦୁଇବର୍ଷ ତଳେ ନ୍ୟୁଜିଲାଣ୍ଡ ହିଁ ଭାରତର ଟେଷ୍ଟ୍ ଦୁର୍ଗକୁ ଭାଙ୍ଗି ୩-୦ରେ ଶୃଙ୍ଖଳା ମୂଳପୋଛ କରିଥିଲା। ଏବେ ଦିନିକିଆରେ ୦-୧ରେ ପଛୁଆ ରହିବା ସତ୍ତ୍ବେ ପରବର୍ତ୍ତୀ ଦୁଇ ମ୍ୟାଚ୍ ଜିତି ଭାରତ ବିପକ୍ଷରେ ଭାରତ ମାଟିରେ ୨-୧ରେ ଐତିହାସିକ ଶୃଙ୍ଖଳା ବିଜୟ ହାସଲ କରିଛି। ରବିବାର ନିର୍ଣ୍ଣାୟକ ତୃତୀୟ ମୁକାବିଲାରେ ଭାରତୀୟ ଦଳ ସମ୍ମୁଖରେ ନ୍ୟୁଜିଲାଣ୍ଡ ୩୩୮ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ କିଂବଦନ୍ତି ବିରାଟ କୋହଲିଙ୍କ ଲଢ଼ୁଆ ଓ ସାହସିକ ଶତକ ସତ୍ତ୍ବେ ଭାରତ ୪ ଓଭର ପୂର୍ବରୁ ୨୯୬ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ଦିନିକିଆ କ୍ରିକେଟ୍ରେ ଆଉ ଏକ ଲଜ୍ଜାଜନକ ସ୍ତର ଛୁଇଁଥିଲା। ୨୦୨୨ ଅକ୍ଟୋବର ମାସ ପରେ ଭାରତୀୟ ଦଳ ମଧ୍ୟ ଟସ୍ ଜିତିବା ପରେ ପ୍ରଥମ ପରାଜୟ ବରଣ କରିଥିଲା। ଏହା ପରେ ଭାରତୀୟ ଦଳ ଘରେ ଲଗାତାର ୧୩ଟି ଦିନିକିଆ ଜିତିଥିଲା। ରବିବାର ୧୩୭ ରନ୍ର ଦ୍ରୁତ ପାଳି ଖେଳିବା ସହ ଶୃଙ୍ଖଳାରେ ମୋଟ ୩୫୨ ରନ୍ କରିଥିବା ଡାରିଲ ମିଚେଲ ଉଭୟ ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳଳି ବିବେଚିତ ହୋଇଥିଲେ।
ଆହୁରି ପଢ଼ନ୍ତୁ: Hockey: ‘କଳିଙ୍ଗ ଲାନସର୍ସ’ର ରୋମାଞ୍ଚକର ବିଜୟ
ସଂକ୍ଷିପ୍ତ ସ୍କୋର୍
ନ୍ୟୁଜିଲାଣ୍ଡ ୫୦ ଓଭରରେ-୩୩୭/୮ (ଡାରିଲ ବିଚେଲ ୧୩୭, ଗ୍ଲେନ୍ ଫିଲିପ୍ସ ୧୦୬, ମାଇକେଲ ବ୍ରାସୱେଲ୍ ୨୮, ଅର୍ଶଦୀପ ସିଂହ ୩/୬୩, ହର୍ଷିତ ରାଣା ୩/୮୪)। ଭାରତ ୪୬ ଓଭରରେ-୨୯୬ (ବିରାଟ କୋହଲି ୧୨୪, ନୀତୀଶ କୁମାର ରେଡ୍ଡୀ ୫୩, ହର୍ଷିତ ରାଣା ୫୨, କ୍ରିଷ୍ଟିନ କ୍ଲାର୍କ ୩/୫୪, ଜେଡେନ ଲେନକ୍ସ ୨/୪୨, ଜ୍ୟାକ୍ ଫକ୍ସ ୩/୭୭)
ଆହୁରି ପଢ଼ନ୍ତୁ: Chilika Lake: ଚିଲିକାରେ ଏଥର ଜୁଟିଲେ ୧୧ ଲକ୍ଷ ୩୨ ହଜାର ୨୦୦ ବିହଙ୍ଗ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/18/virat-kohli-2026-01-18-22-15-04.jpg)