ମାଉଣ୍ଟ ମଙ୍ଗନୁଇ: ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର ଜୟଯାତ୍ରା ଜାରି ରହିଛି। ପ୍ରଥମ ଦୁଇ ଦିନିକିଆ ଜିତି ୨-୦ର ଅପରାଜେୟ ଅଗ୍ରଣୀ ଲାଭ କରିଥିବା ନ୍ୟୁଜିଲାଣ୍ଡ ଶନିବାରର ତୃତୀୟ ତଥା ଶେଷ ଦିନିକିଆକୁ ୪୩ ରନ୍‌ରେ ଜିତି ୩-୦ରେ ଶୃଙ୍ଖଳା ପୋଛି ନେଇଛି। ତା’ ସହିତ ପାକିସ୍ତାନ ବିପକ୍ଷରେ ଲଗାତାର ଦୁଇଟି ଶୃଙ୍ଖଳା ଜିତିବାର ଗୌରବ ଅର୍ଜନ କରିଛି। ଏହା ପୂର୍ବରୁ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଘରୋଇ ନ୍ୟୁଜିଲାଣ୍ଡ ୪-୧ରେ ଜିତି ନେଇଥିଲା।

Advertisment

ଶନିବାର ବର୍ଷା ପ୍ରଭାବିତ ତୃତୀୟ ଦିନିକିଆକୁ ୪୨ ଓଭରକୁ କମାଇ ଦିଆଯାଇଥିଲା। ନ୍ୟୁଜିଲାଣ୍ଡ ୪୨ ଓଭରରେ ୮ ୱିକେଟ୍ ହରାଇ ୨୬୪ ରନ୍ କରିଥିଲା। ଅଧିନାୟକ ମାଇକେଲ ବ୍ରେସୱେଲ୍ (୫୯) ଏବଂ ଓପନର ରାୟୁଜ୍ ମାରିୟୁ (୫୮) ଅର୍ଦ୍ଧଶତକ ଅର୍ଜନ କରିଥିଲେ। ପାକିସ୍ତାନର ସଫଳତମ ବୋଲର୍ ଭାବେ ଅକିଫ ଜାଭେଦ ୬୨ ରନ୍ ବିନିମୟରେ ସର୍ବାଧିକ ୪ ୱିକେଟ୍ କରାୟତ୍ତ କରିଥିଲେ। ପରେ ବେନ୍ ସିୟର୍ସ (୫/୩୪)ଙ୍କ ପାଞ୍ଚ ୱିକେଟ୍ ସଫଳତା ବଳରେ ପାକିସ୍ତାନକୁ ନ୍ୟୁଜିଲାଣ୍ଡ ୨ ଓଭର ପୂର୍ବରୁ ମାତ୍ର ୨୨୧ ରନ୍‌ରେ ଅଲଆଉଟ୍ କରି ଦେଇଥିଲା। ଶୃଙ୍ଖଳାରେ ସିଅର୍ସଙ୍କର ଏହା ଦ୍ବିତୀୟ ପାଞ୍ଚ ୱିକେଟ୍ ସଫଳତା ଥିଲା। ଦ୍ବିତୀୟ ଦିନିକିଆରେ ସେ ୫/୫୯ ସଫଳତା ପାଇଥିଲେ। ଅଲରାଉଣ୍ଡ୍ ସଫଳତା ଲାଭି ବ୍ରେସୱେଲ୍ (୫୯ ରନ୍ ୪୦ ବଲ୍, ୧/୩୯) ମ୍ୟାଚ୍‌ର ଏବଂ ସିଅର୍ସ (୧୦ ୱିକେଟ୍) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର୍: ନ୍ୟୁଜିଲାଣ୍ଡ ୪୨ ଓଭରରେ ୨୬୪/୮ (ମାଇକେଲ ବ୍ରେସୱେଲ୍ ୫୯, ରାୟୁଜ୍ ମାରିୟୁ ୫୮, ଅକିଫ୍ ଜାଭେଦ ୪/୬୨)। ପାକିସ୍ତାନ ୪୦ ଓଭରରେ ୨୨୧/୧୦ (ବାବର ଆଜମ ୫୦, ମହମ୍ମଦ ରିଜୱାନ ୩୭, ବେନ୍ ସିଅର୍ସ ୫/୩୭, ଜ୍ୟାକବ ଡଫି ୨/୪୦)।

ମାଉଣ୍ଟ ମଙ୍ଗନୁଇରେ ଶନିବାର ଖେଳାଯାଇଥିବା ପାକିସ୍ତାନ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ଅବସରରେ ଏକ ଅଶୋଭନୀୟ ଘଟଣା ଦେଖିବାକୁ ମିଳିଛି। ଲଜ୍ଜାଜନକ ପରାଜୟ ପରେ ଦୁଇ ଜଣ ଆଫଗାନ ଦର୍ଶକଙ୍କ ଟାହି ଟାପରା ସହି ନପାରି ପାକିସ୍ତାନ ଅଲରାଉଣ୍ଡର୍ ଖୁସଦିଲ ଶାହ ସେମାନଙ୍କୁ ଆକ୍ରମଣ କରିବା ଭଳି ନିନ୍ଦନୀୟ କାମ କରିଛନ୍ତି। ମ୍ୟାଚ୍ ଶେଷ ହେବା ପରେ ଏହି ଦୁଇ ଦର୍ଶକ ପାକିସ୍ତାନ ଖେଳାଳିଙ୍କୁ କଟାକ୍ଷ କରିଥିଲେ। ଅନ୍ୟ ସବୁ ଖେଳାଳି ଏହାକୁ ଅଣଦେଖା କରିଥିଲେ ମଧ୍ୟ ଖୁସଦିଲ ହଠାତ୍‌ ରାଗି ଯାଇ ସେମାନଙ୍କୁ ଧକ୍କା ମାରିବାକୁ ଉଦ୍ୟମ କରିଥିଲେ। ସୁରକ୍ଷାକର୍ମୀ ଉଭୟ ପକ୍ଷକୁ ଅଲଗା କରିବା ପରେ ଯାଇ ସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ଆଫଗାନିସ୍ତାନର ସେହି ଦୁଇ ଦର୍ଶକ ପାକିସ୍ତାନ ଖେଳାଳିଙ୍କୁ ଗାଳି ଗୁଲଜ କରି ପଡ଼ିଆ ବାହାରକୁ ଯାଉଥିବା ଦେଖିବାକୁ ମିଳିଥିଲା।

 ଘଟଣା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ ପ୍ରେସ୍ ବିବୃତି ଜାରି କରି ଦର୍ଶକ ଦୁଇ ଜଣ ପାକିସ୍ତାନ ବିରୋଧୀ ସ୍ଲୋଗାନ୍‌ ଦେବା ସହ ଆମ ଖେଳାଳିଙ୍କୁ ବାରମ୍ବାର ଅପମାନଜନକ କଥା କହିଥିଲେ ବୋଲି ସୂଚନା ଦେଇଛି। ସେମାନଙ୍କୁ ଯେତେ ବୁଝାଇଥିଲେ ମଧ୍ୟ ବୁଝି ନଥିଲେ। ଫଳରେ ଖୁସଦିଲ୍ ଉତ୍‌କ୍ଷିପ୍ତ ହୋଇ ସେମାନଙ୍କ ଆଡ଼କୁ ମାଡ଼ି ଯାଇଥିଲେ। ତେବେ ପରିସ୍ଥିତି ବିଗିଡ଼ିବା ପୂର୍ବରୁ ସୁରକ୍ଷାକର୍ମୀ ସେମାନଙ୍କୁ ଅଲଗା କରି ଦେଇଥିଲେ। ଆଇସିସି କିମ୍ବା ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ଏହି ଘଟଣାକୁ ନେଇ କୌଣସି ଆନୁଷ୍ଠାନିକ ମତ ଦେଇ ନାହାନ୍ତି। ତେବେ ଜଣେ ଅନ୍ତର୍ଜାତୀୟ ଖେଳାଳି ପଡ଼ିଆ ଭିତରେ ଏଭଳି ଉଗ୍ର ରୂପ ଦେଖାଇବାକୁ ସାଧାରଣ କ୍ରିକେଟ୍‌ପ୍ରେମୀ ତୀବ୍ର ନିନ୍ଦା କରିଛନ୍ତି।