ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌

ଦ୍ବିତୀୟ ଫାଇନାଲିଷ୍ଟ୍‌ ଦୌଡ଼ରେ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ

ଦୁବାଇ : ଦକ୍ଷିଣ ଆଫ୍ରିକା ଗସ୍ତରୁ ଅଷ୍ଟ୍ରେଲିଆ ଓହରିଯିବା ପରେ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌ ସ୍ଥାନ ପକ୍କା କରିନେଇଛି। ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ପୁନଃସୂଚୀ କେବେ ହେବ ତାହା ଅନିଶ୍ଚିତ ରହିଛି। ତଥାପି ଇଂଲଣ୍ଡର ଲର୍ଡସ୍‌ରେ ଜୁନ୍‌ ମାସରେ ଆୟୋଜିତ ହେବାକୁ ଧାର୍ଯ୍ୟ ହୋଇଥିବା ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ପାଇଁ ଫଳାଫଳ ଗଣତି ପୂର୍ବରୁ ଏହି ଶୃଙ୍ଖଳା ହେବା ସମ୍ଭବ ନୁହେଁ। ତେଣୁ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ୍‌ ପ୍ରଥମ ଦଳ ଭାବେ ଫାଇନାଲ୍‌ ସ୍ଥାନ ନିଶ୍ଚିତ କରିନେଇଛି। ଫଳରେ ନ୍ୟୁଜିଲାଣ୍ଡ୍‌ ସହ କିଏ ଫାଇନାଲ୍‌ ଖେଳିବ ସେନେଇ ଚିତ୍ର ଅସ୍ପଷ୍ଟ ହୋଇଯାଇଛି। ହେଲେ ଏହି ଦୌଡ଼ରେ ଏବେ ବି ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନରେ ଥିବା ଭାରତ ଓ ଚତୁର୍ଥ ସ୍ଥାନରେ ଥିବା ଇଂଲଣ୍ଡ ସହିତ ତୃତୀୟରେ ଥିବା ଅଷ୍ଟ୍ରେଲିଆ ରହିଛନ୍ତି। ଉଭୟ ଭାରତ ଓ ଇଂଲଣ୍ଡ ଆସନ୍ତା ୫ ତାରିଖରୁ ୪ ଟେ‌ଷ୍ଟ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବେ। ଏହାର ଫଳାଫଳ ଦ୍ବିତୀୟ ଫାଇନାଲିଷ୍ଟ ଦଳ ନିର୍ଣ୍ଣୟ କରିବ। ପୁଣି ଅଷ୍ଟ୍ରେଲିଆ ହାତରେ ଶୃଙ୍ଖଳା ନଥିଲେ ମଧ୍ୟ ଏହି ଦଳ ଦୌଡ଼ରୁ ପୂରା ବାଦ୍‌ ପଡ଼ିନାହିଁ। ଏପରିକି ଭାରତ ଓ ଇଂଲଣ୍ଡ ଶୃଙ୍ଖଳାର ଫଳାଫଳ ମଧ୍ୟ ଅଷ୍ଟ୍ରେଲିଆକୁ ବାଟ କଢ଼ାଇପାରିବ। ତେଣୁ ନ୍ୟୁଜିଲାଣ୍ଡ୍‌ ସହ ଫାଇନାଲ୍‌ ଖେଳିବା ପାଇଁ କେଉଁ ଦଳ ପାଖେ କ’ଣ ସମ୍ଭାବନା ରହିଛି ଆସନ୍ତୁ ଦେଖିବା। ଭାରତ ଓ ଇଂଲଣ୍ଡ ପରସ୍ପର ମୁହାଁମୁହିଁ ହେବାକୁ ଯା‌ଉଥିବାରୁ ଏମାନଙ୍କ ମଧ୍ୟରୁ ଗୋଟିଏ ଦଳ ପାଖରେ ହିଁ ନ୍ୟୁଜିଲାଣ୍ଡ୍‌ ସହ ଖେଳିବାର ସୁଯୋଗ ରହିପାରିବ। ନ୍ୟୁଜିଲାଣ୍ଡ୍‌ର ପଏଣ୍ଟ୍‌ର ପ୍ରତିଶତ ୭୦ ରହିଛି। ଆଉ ଯେଉଁ ଦଳ ୭୦ ସଂଖ୍ୟା ଟପିବ ବା ତା’ ପାଖାପାଖି ରହିପାରିବ ସେହି ଦଳ ହିଁ ଫାଇନାଲ୍‌ ଯିବ। ତେଣୁ ଅଷ୍ଟ୍ରେଲିଆର (୬୯.୧୭) ପଏଣ୍ଟ୍‌ ପ୍ରତିଶତକୁ ଟପିବା ପାଇଁ ଏବେ ଉଭୟ ଭାରତ ଓ ଇଂଲଣ୍ଡ ଲକ୍ଷ୍ୟ ରଖିଛନ୍ତି।

ଅଷ୍ଟ୍ରେଲିଆର ସମ୍ଭାବନା: ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ବାତିଲ ହୋଇଯାଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ଦୌଡ଼ରୁ ବାଦ୍‌ ପଡ଼ିନାହିଁ। ବିଶେଷକରି ଭାରତ ବିପକ୍ଷ ଗତ ଘରୋଇ ଶୃଙ୍ଖଳାର ବକ୍ସିଂ ଡେ’ ଟେଷ୍ଟ୍‌ରେ ମନ୍ଥର ଓଭର ବୋଲିଂ ପାଇଁ ଜରିମାନା ଭାବେ ୪ ପଏଣ୍ଟ୍‌ ହରାଇଥିଲା। ଏହା ହୋଇନଥିଲେ ହୁଏତ ଅଷ୍ଟ୍ରେଲିଆର ପଏଣ୍ଟ୍‌ ପ୍ରତିଶତ ୭୦ ରହିଥା’ନ୍ତା। ଯାହାକି ଫାଇନାଲ୍‌ ଯୋଗ୍ୟତା ସମ୍ଭାବନା ରହିଥା’ନ୍ତା। ଏବେ କିନ୍ତୁ ଭାରତ-ଇଂଲଣ୍ଡ ଶୃଙ୍ଖଳାର ଫଳାଫଳ ତା’କୁ ସହାୟକ ହୋଇପାରିବ। ଯଦି ଭାରତ ଓ ଇଂଲଣ୍ଡ ଆଗାମୀ ଶୃଙ୍ଖଳାରୁ ପଏଣ୍ଟ ସମାନ ଭାବେ ଭାଗ କରିନିଅନ୍ତି ତାହାଲେ ଦୁଇ ଦଳର ମୋଟ ପଏଣ୍ଟ ପ୍ରତିଶତ ଅଷ୍ଟ୍ରେଲିଆ (୬୯.୧୭)ଠୁ ତଳକୁ ଖସିଯିବ। ଏହାର ଅର୍ଥ ଭାରତ ଓ ଇଂଲଣ୍ଡ ଶୃଙ୍ଖଳା ଅମୀମାଂସିତ ରହିଲେ ହିଁ ଏଭଳି ଘଟିପାରିବ। ନଚେତ୍‌ ଇଂଲଣ୍ଡ ଯଦି ୧-୦, ୨-୦ କିମ୍ବା ୨-୧ରେ ଭାରତକୁ ଶୃଙ୍ଖଳା ପରାସ୍ତ କରେ କିମ୍ବା ଭାରତ ଯଦି ୧-୦ରେ ଶୃଙ୍ଖଳା ଜିତେ ତାହାଲେ ସେକ୍ଷେତ୍ରରେ ଅଷ୍ଟ୍ରେଲିଆ ଫାଇନାଲ୍‌ ଯୋଗ୍ୟତା ହାତେଇନେବ।

ଭାରତର ସମ୍ଭାବନା: ଅଷ୍ଟ୍ରେଲିଆକୁ ଦୌଡ଼ରୁ ବିଦା କରିବାକୁ ହେଲେ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରୁ ଭାରତକୁ ୭୦ ପଏଣ୍ଟ୍‌ ଆବଶ୍ୟକ। ଏହାର ଅର୍ଥ ହେଲା ଭାରତକୁ ଅତି କମ୍‌ରେ ୨-୧ ବ୍ୟବଧାନରେ ଇଂଲଣ୍ଡକୁ ହରାଇବାକୁ ପଡ଼ିବ। ଏହା କରିପାରିଲେ ଭାରତ ଦୁଇଟି ବିଜୟରୁ ପ୍ରତ୍ୟେକ ବାବଦରେ ୩୦ ପଏଣ୍ଟ ଲେଖାଏଁ ହାସଲ କରିପାରିବ। ପୁଣି ଗୋଟିଏ ଅମୀମାଂସିତ ବାବଦରେ ୧୦ ପଏଣ୍ଟ ପାଇବ। ତେଣୁ ୨-୦, ୨-୧, ୩-୦, ୩-୧ କିମ୍ବା ୪-୦ରେ ବିଜୟୀ ହେଲେ ଭାରତକୁ ଆଉ ଫାଇନାଲ୍‌ରୁ କେହି ବି ବଞ୍ଚିତ କରିପାରିବେନି। ଫଳରେ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଭାରତ ଯେମିତି ନହାରେ ତାହା ଉପରେ ଜୋର୍‌ ଦେବାକୁ ପଡ଼ିବ।

ଇଂଲଣ୍ଡର ସମ୍ଭାବନା: ଭାରତ ବିପକ୍ଷ ଶୃଙ୍ଖଳାରୁ ୮୭ ପଏଣ୍ଟ୍‌ ହାସଲ କରିପାରିଲେ ଇଂଲଣ୍ଡ ମଧ୍ୟ ଅଷ୍ଟ୍ରେଲିଆକୁ ପଏଣ୍ଟ ପ୍ରତିଶତରେ ଟପି ଯିବ। ଏଥିପାଇଁ ଭାରତ ବିପକ୍ଷରେ ଇଂଲଣ୍ଡକୁ ଅତି କମ୍‌ରେ ୩ଟି ଟେଷ୍ଟ୍‌ ଜିତିବା ବାଧ୍ୟତାମୂଳକ ହୋଇଯିବ। ତେବେ ଇତିହାସ ଇଂଲଣ୍ଡ ବିପକ୍ଷରେ ରହିବ। କାରଣ ଶେଷ ଥର ପାଇଁ ଭାରତ ମାଟିରେ କୌଣସି ଭ୍ରମଣକାରୀ ଦଳ ୩ ଟେଷ୍ଟ୍‌ ଜିତିବାର ନଜିର ୧୯୮୩-୮୪ରେ ଘଟିଥିଲା। ସେତେବେଳେ ୱେଷ୍ଟ୍‌ଇଣ୍ଡିଜ୍‌ ଦଳ ହିଁ ଏହା କରିଥିଲା।

ସମ୍ବନ୍ଧିତ ଖବର