ଭାରତକୁ ହଟାଇ ନ୍ୟୁଜିଲାଣ୍ଡ୍‌ ୧ ନମ୍ବର, ବୋଲ୍ଟଙ୍କ ୫୦୦ ୱିକେଟ୍‌

ଏଜବାଷ୍ଟନ୍‌: ଇଂଲଣ୍ଡ୍ ବିପକ୍ଷ ଶୃଙ୍ଖଳା ବିଜୟ ପରେ ନ୍ୟୁଜିଲାଣ୍ଡ୍ ଦଳ ମଧ୍ୟ ଆଇସିସି ଟେଷ୍ଟ୍ ମାନ୍ୟତାରେ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି। ବିରାଟ କୋହଲିଙ୍କ ଦଳ ଦ୍ବିତୀୟ ସ୍ଥାନକୁ ଖସିଯାଇଛି। ଆସନ୍ତା ସପ୍ତାହରୁ ଭାରତ ବିପକ୍ଷ ଆଇସିସି ଟେଷ୍ଟ୍‌ ଚାମ୍ପିଅନସିପ୍‌ ଫାଇନାଲ୍ ଖେଳିବାକୁ ଯାଉଥିବାରୁ ଏବେ ନ୍ୟୁଜିଲାଣ୍ଡ୍‌ ମନୋବଳ ସବୁ ଦୃଷ୍ଟିରୁ ଉଚ୍ଚକୁ ଯାଇଛି। ଆଇସିସି ଟେଷ୍ଟ୍ ମାନ୍ୟତାରେ ନ୍ୟୁଜିଲାଣ୍ଡ୍ ପଏଣ୍ଟ ୧୨୩ରେ ପହଞ୍ଚିଥିବା ବେଳେ ଭାରତ ୧୨୧ରେ ରହିଛି। ଅଷ୍ଟ୍ରେଲିଆ (୧୦୮) ଏବଂ ଇଂଲଣ୍ଡ (୧୦୭) ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି। ଦିନିକିଆ ମାନ୍ୟତାରେ ମଧ୍ୟ ନ୍ୟୁଜିଲାଣ୍ଡ୍‌ ଏକ ନମ୍ବର ଦଳ ରହିଛି। ଭାରତ ଦିନିକିଆରେ ତୃତୀୟ ସ୍ଥାନରେ ରହିଛି। ଶୁକ୍ରବାରଠାରୁ ଉଭୟ ଭାରତ ଏବଂ ନ୍ୟୁଜିଲାଣ୍ଡ୍‌ ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍ ମ୍ୟାଚ୍‌ ଖେଳିବେ।

ବୋଲ୍ଟଙ୍କ ୫୦୦ ୱିକେଟ୍‌

ଏଜବାଷ୍ଟନ୍‌: ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନ୍‌ ଟେ‌ଷ୍ଟ୍‌ ଅବସରରେ ନ୍ୟୁଜିଲାଣ୍ଡ୍‌ ଦ୍ରୁତ ବୋଲର ଟ୍ରେଣ୍ଟ୍ ବୋଲ୍ଟ ଅନ୍ତର୍ଜାତୀୟ କ୍ରିକେଟରେ ୫୦୦ ୱିକେଟ୍‌ ମାଇଲଖୁଣ୍ଟ୍ ଅତିକ୍ରମ କରିଛନ୍ତି। ପ୍ରଥମ ପାଳିରେ ୪ ୱିକେଟ୍‌ ନେବା ପରେ ସେ ଏହି ସଂଖ୍ୟା ପୂର୍ଣ୍ଣ କରିଥିଲେ। ଦ୍ବିତୀୟ ପାଳିରେ ମଧ୍ୟ ୨ ୱିକେଟ୍ ନେଇ ଦଳର ବିଜୟରେ ବଡ଼ ଯୋଗଦାନ ରଖିଥିଲେ। ଅଦ୍ୟାବଧି ବୋଲ୍ଟ ୭୨ ଟେଷ୍ଟ୍‌ରୁ ୨୮୭ ୱିକେଟ, ୯୩ ଦିନିକିଆରୁ ୧୬୯ ୱିକେଟ୍‌ ଏବଂ ୩୪ ଟ୍ବେଣ୍ଟି-୨୦ ମ୍ୟାଚ୍‌ରୁ ୪୬ ୱିକେଟ୍ ନେଇଥିବାରୁ ତାଙ୍କ ମୋଟ ଅନ୍ତର୍ଜାତୀୟ ୱିକେଟ୍‌ ୫୦୨ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର