ବୋଲ୍ଟ ଓ ଲଥାମଙ୍କ ପାଇଁ ନ୍ୟୁଜିଲାଣ୍ଡ୍‌ ଦୃଢ଼: ବାଂଲା ୧୨୬ରେ ଆଉଟ୍‌, ୩୯୫ ରନ୍‌ ପଛୁଆ

ଖ୍ରୀଷ୍ଟଚର୍ଚ୍ଚ: ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଦ୍ବିତୀୟ ଦିବସରୁ ହିଁ ଘରୋଇ ନ୍ୟୁଜିଲାଣ୍ଡ୍‌ ବିଜୟ ସ୍ଥିତିରେ ପହଞ୍ଚିଯାଇଛି। ଟମ୍‌ ଲଥାମ (୨୫୨)ଙ୍କ ମାରାଥନ୍ ଦ୍ବିଶତକ ଏବଂ ଉଦୀୟମାନ ଡେଭନ୍ କନୱେ (୧୦୯)ଙ୍କ ଶତକ ପରେ ଦ୍ରୁତ ବୋଲରମାନେ ମଧ୍ୟ ବିଜୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି। ପ୍ରଥମ ଟେଷ୍ଟ୍ ପରାଜୟର ମଧୁର ପ୍ରତିଶୋଧ ପାଇଁ ମଧ୍ୟ ନ୍ୟୁଜିଲାଣ୍ଡ୍‌ ରାସ୍ତା ପରିସ୍କାର କରି ଦେଇଛି। ଘରୋଇ ଦଳ ୫୨୧/୬ରେ ପାଳି ଘୋଷଣା କରିବା ପରେ ବାଂଲାଦେଶ ପ୍ରଥମ ପାଳିକୁ ୧୨୬ ରନ୍‌ରେ ଅଲ୍ ଆଉଟ୍ କରି ଦେଇଛି। ଭ୍ରମଣକାରୀ ଏସୀୟ ଦଳ ପ୍ରଥମ ପାଳିରେ ୩୯୫ ରନ୍‌ ପଛୁଆ ରହିଥିବାରୁ ପ୍ରତ୍ୟାବର୍ତନ ସ‌ୁଯୋଗ କ୍ଷୀଣ ରହିଛି। ୨୭ ରନ୍‌ରେ ୫ ୱିକେଟ୍ ହରାଇଦେବା ପରେ ବାଂଲାଦେଶ ଆଉ ଲଢ଼ି ପାରିନଥିଲା। ଟ୍ରେଣ୍ଟ୍ ବୋଲ୍ଟ (୫/୪୩), ଟିମ୍ ସାଉଦି (୩/୨୮), କାଇଲ୍ ଜାମିସନ୍ (୨/୩୨) ମିଳିତ ଭାବେ ସମସ୍ତ ୧୦ ୱିକେଟ୍ ଦଖଲ କରି ମାତ୍ର ୪୧.୨ ଓଭରରେ ନ୍ୟୁଜିଲାଣ୍ଡ୍ ପାଳିକୁ ଶେଷ କରି ଦେଇଛନ୍ତି। ବାଂଲାଦେଶ ପାଳିରେ ମାତ୍ର ଦୁଇ ଜଣ ୟାସିର୍ ଅଲୀ (୫୫, ୯୫ ବଲ୍‌) ଏବଂ ନୁରୁଲ ହାସନ୍ (୪୧, ୬୨ ବଲ୍‌) ଦୁଇ ଅଙ୍କ ଛୁଇଁ ପାରିଥିଲେ। ବାଂଲାଦେଶ ପାଳି ସମାପ୍ତି ହେବା ସହ ଦ୍ବିତୀୟ ଦିନର ‌ଖେଳ ଶେଷ ହୋଇଥିବାରୁ ନ୍ୟୁଜିଲାଣ୍ଡ୍‌ ଫଲୋଅନ୍‌ ଡାକିବ କି ନା ସ୍ପଷ୍ଟ ହୋଇନାହିଁ। ସୋମବାର ଟମ୍ ଲଥାମ ନିଜ ଦ୍ବାଦଶ ଟେଷ୍ଟ୍ ଶତକକୁ ଦ୍ବିତୀୟ ଦ୍ବିଶତକରେ ପରିଣତ କରିଥିଲେ। ୨୦୧୮ରେ ୱେଲିଂଟନ୍‌ରେ ସେ ଶ୍ରୀଲଙ୍କା ବିପକ୍ଷରେ ନିଜ ଖେଳ ଜୀବନର ଶ୍ରେ‌ଷ୍ଠ ପାଳି (୨୬୪*) ଖେଳିଥିଲେ। କନୱେ କିନ୍ତୁ ନିଜ ପଞ୍ଚମ ଟେଷ୍ଟରେ ତୃତୀୟ ଶତକ ହାସଲ କରି ନେଇଥିଲେ। ଅନ୍ୟପକ୍ଷରେ ବୋଲ୍ଟ ନିଜ ନବମ ୫ ୱିକେଟ୍ ସଫଳତା ଅର୍ଜନ କରିବା ସୋମବାରର ଅନ୍ୟତମ ଆକର୍ଷଣ ଥିଲା।

ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ ପ୍ରଥମ ପାଳି: ୧୨୮.୫ ଓଭରରେ ୫୨୧/୬, ଘୋଷିତ (ଟମ୍ ଲାଥାମ-୨୫୨, ଡେଭନ୍ କନୱେ-୧୦୯, ଟମ୍ ବ୍ଲଣ୍ଡେଲ୍‌-୫୭, ୱିଲ୍ ୟଙ୍ଗ ୫୪, ସୋରିଫୁଲ ଇସଲାମ ୨/୭୯, ଏବାଦତ ହୋସେନ୍‌-୨/୧୪୩,‌ ମୋମିନୁଲ୍ ହକ୍‌-୧/୩୪)। ବାଂଲାଦେଶ ପ୍ରଥମ ପାଳି: ୪୧.୨ ଓଭରରେ ୧୨୬ (ୟାସିର୍ ଅଲୀ-୫୫, ନୁରୁଲ ହାସନ୍‌-୪୧, ଟ୍ରେଣ୍ଟ୍ ବୋଲ୍ଟ-୫/୪୩, ଟିମ୍ ସାଉଦି-୩/୨୮, କାଇଲ୍ ଜାମିସନ୍‌-୨/୩୨)।

ସମ୍ବନ୍ଧିତ ଖବର