ନ୍ୟୁଜିଲାଣ୍ଡ ଗତ ୭ ମାସ ଭିତରେ ଖେଳିଥିବା ତିନିଟି ଯାକ ସୁପରଓଭର ମ୍ୟାଚ୍‌ରେ ପରାଜିତ ହୋଇଛି। ସେଥିମଧ୍ୟରେ ବିଶ୍ବକପ୍ ଫାଇନାଲ୍ ଏବଂ ବୁଧବାରର ଭାରତ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦ ପରାଜୟ ସାମିଲ ରହିଛି। ଅକଲାଣ୍ଡଠାରେ ଗତ ନଭେମ୍ବର ମାସରେ ବିଶ୍ବବିଜେତା ଇଂଲଣ୍ଡ ବିପକ୍ଷରେ ଖେଳିଥିବା ଅନ୍ୟଏକ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ମଧ୍ୟ ନ୍ୟୁଜିଲାଣ୍ଡ ଅନୁରୂପ ଭାବେ ପରାଜିତ ହୋଇଥିଲା। ମଜାଦାର କଥା ହେଲା କିୱି ଦଳର ଏହି ତିନିଟି ଯାକ ଦୁର୍ଭାଗ୍ୟଜନକ ପରାଜୟର ଧାରା ବିବରଣୀ ଏହି ଦେଶର ପୂର୍ବତନ ୱିକେଟ୍ ରକ୍ଷକ ଇଆନ୍ ସ୍ମିଥ୍ ଦେଇଛନ୍ତି। ଫଳରେ ନ୍ୟୁଜିଲାଣ୍ଡର ସୁପରଓଭର ପରାଜୟକୁ କେହି କେହି ଭାଷ୍ୟକାରଙ୍କ ଅଭିଶାପ ଭାବେ ବର୍ଣ୍ଣନା କରୁଛନ୍ତି। ବ୍ୟକ୍ତିଗତ ଭାବେ ସ୍ମିଥ୍ ମଧ୍ୟ ଏଥିନେଇ ଭାରି ଦୁଃଖିତ ଅଛନ୍ତି। ବୁଧବାର ଭାରତ ବିପକ୍ଷ ମ୍ୟାଚ୍ ବେଳେ ସ୍ମିଥ୍ ଏଥିଲାଗି ଏଭଳି ଭାବେ ଚାପରେ ଥିଲେ ଯେ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ପାଇଁ ସେ ନିଜ ଜୀବନର କିଛି ବର୍ଷ ହରାଇଲେଣି ବୋଲି ହତାଶାର ସହ କହିଥିଲେ। ସୁପରଓଭର ମୁକାବିଲା ଆରମ୍ଭ ହେବା ପୂର୍ବରୁ ସେ କହିଥିଲେ ଏହି ସୁପରଓଭର ଯଦି ଟାଇରେ ଶେଷ ହୁଏ, ତାହାଲେ ମୁଁ ଅବସର ନେଇଯିବି। ମୁଁ ମୋ ଜୀବନର କିଛି ବର୍ଷ ହରାଇ ସାରିଲିଣି। ହେଲେ ମୁଁ ଏହାକୁ ଉପଭୋଗ କରୁଛି। ହଁ ହଁ ମୁଁ ଏହାକୁ ମନଭରି ଉପଯୋଗ କରୁଛି।

Advertisment

ଦୁର୍ଭାଗ୍ୟବଶତଃ ନ୍ୟୁଜିଲାଣ୍ଡର ଗତ ଦୁଇ ସୁପରଓଭର ପରାଜୟକୁ ସ୍ବଚକ୍ଷୁରେ ଦେଖିଥିବା ସ୍ମିଥ୍ ନିଜ ଦଳର ତୃତୀୟ ପରାଜୟର ଅଭିଜ୍ଞତା ବି ପାଇଥିଲେ। ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ମଧ୍ୟ ‘ସୁପରଓଭର’ ନ୍ୟୁଜିଲାଣ୍ଡର ବନ୍ଧୁ ନୁ‌ହେଁ ବୋଲି ପରାଜୟ ପରେ ମତ ରଖିଥିଲେ।