ଶେଷ ଟି-୨୦ରେ ନ୍ୟୁଜିଲାଣ୍ଡ୍‌ ପରାସ୍ତ, ରିଜ୍‌ୱାନ୍‌ ପାକିସ୍ତାନକୁ ଦେଲେ ସାନ୍ତ୍ବନାମୂଳକ ବିଜୟ

ନାପିଅର୍‌ : ୱିକେଟ୍‌ରକ୍ଷକ ମହମ୍ମଦ ରିଜ୍‌ୱାନ୍‌ (୮୯ ରନ୍‌, ୫୯ ବଲ୍‌, ୧୦ ଚୌକା ଓ ୩ ଛକା)ଙ୍କ ବିସ୍ଫୋରକ ଅର୍ଧଶତକ ଏଠାରେ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍‌ରେ ପାକିସ୍ତାନକୁ ସାନ୍ତ୍ବନାମୂଳକ ବିଜୟ ଭେଟିଦେଇଛି। ପୂର୍ବ ଦୁଇଟି ମ୍ୟାଚ୍‌ ହାରି ଶୃଙ୍ଖଳା ହାତଛଡ଼ା କରିସାରିଥିବା ପାକିସ୍ତାନ ଶେଷ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ୍‌କୁ ୪ ୱିକେଟ୍‌ରେ ପରାସ୍ତ କରିଦେଇଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍‌ ଶୃଙ୍ଖଳା ମୂଳପୋଛରୁ ବଞ୍ଚିତ ହୋଇଥିଲା ବେଳେ ୨-୦ରେ ବିଜୟୀ ହୋଇଛି। ମହମ୍ମଦ ରିଜ୍‌ୱାନ୍‌ ମ୍ୟାଚ୍‌ର ଏବଂ ଟିମ୍‌ ସିଫର୍ଟ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଛନ୍ତି।

ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ପାଇଁ ନ୍ୟୁଜିଲାଣ୍ଡ୍‌କୁ ଡାକିଥିଲା। ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ (୧) ଏବଂ ଅଲ୍‌ରାଉଣ୍ଡର ଜେମ୍‌ସ ନୀସାମ (୨) ଫହିମ୍‌ ଅସ୍ରଫ୍‌ଙ୍କ ଶିକାର ହୋଇ ଦଳକୁ ନିରାଶ କରିଥିଲା ବେଳେ ପ୍ରାରମ୍ଭିକ ଯୋଡ଼ି ମାର୍ଟିନ୍‌ ଗପ୍ଟିଲ (୧୯), ୱିକେଟ୍‌ରକ୍ଷକ ଟିମ୍‌ ସିଫର୍ଟ (୩୫), ଗ୍ଲେନ୍‌ ଫିଲିପ୍‌ସ (୩୧) ସାଙ୍ଗକୁ ନିଜର ଷଷ୍ଠ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳୁଥିବା କନ୍‌ୱେ (୬୩ ରନ୍‌, ୪୫ ବଲ୍‌, ୭ ଚୌକା, ୧ ଛକା)ଙ୍କ ଦ୍ରୁତ ଅର୍ଧଶତକ ବଳରେ ନ୍ୟୁଜିଲାଣ୍ଡ୍‌ ୭ ୱିକେଟ୍‌ ହରାଇ କରିଥିଲା ୧୭୩ ରନ୍। କନ୍‌ୱେ ଏବଂ ଫିଲିପ୍ସଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍‌ରେ ୫୧ ରନ୍‌ ଭାଗୀଦାରୀ ହିଁ ଦଳର ସ୍କୋର୍‌କୁ ୧୫୦ ପାରି ହେବାରେ ସହାୟକ ହୋଇଥିଲା। ପାକିସ୍ତାନ ପକ୍ଷରୁ ଫହିମ୍‌ ଆସ୍ରଫ୍ (୩/୨୦), ହାରିସ୍‌ ରଫ୍‌ (୨/୪୪) ଓ ସାହିନ ଆଫ୍ରିଦି (୨/୪୩) ସଫଳ ବୋଲର ରହିଥିଲେ।

ଜବାବରେ ରିଜ୍‌ୱାନ୍‌ଙ୍କ ଅର୍ଧଶତକ ଏବଂ ମହମ୍ମଦ ହାଫିଜ୍‌ (୨୯ ବଲ୍‌, ୨ ଚୌକା‌, ୩ ଛକା)ଙ୍କ ୪୧ ରନ୍‌ ସହାୟତାରେ ପାକିସ୍ତାନ ୨ଟି ବଲ୍‌ ପୂର୍ବରୁ ୪ ୱିକେଟ୍‌ ହାତରେ ରଖି ବିଜୟ ହାସଲ କରିନେଇଥିଲା। ଉଭୟ ରିଜ୍‌ୱାନ ଓ ହାଫିଜ୍‌ ଦ୍ବିତୀୟ ୱିକେଟ୍‌ରେ ୭୨ ରନ୍‌ ଯୋଡ଼ି ଦଳର ବିଜୟ ନିଶ୍ଚିତ କରିଥିଲେ। ରିଜ୍‌ୱାନ୍‌ ସଂଗ୍ରହ କରିଥିବା ୮୯ ରନ୍‌ ମଧ୍ୟରୁ କେବଳ ୭୦ ରନ୍‌ ଲେଗ୍‌ ସାଇଡ୍‌ରେ ହିଁ କରିଥିଲେ। ସ୍କଟ୍‌ କୁଗେଲେଜିନ୍‌ (୨/୪୦), ଟିମ୍‌ ସାଉଦି (୨/୨୫) ଘରୋଇ ଦଳର ସଫଳ ବୋଲର ରହିଥିଲେ ମଧ୍ୟ ପାକିସ୍ତାନ ୧୯.୪ ଓଭରରେ ୬/୧୭୭ ରନ୍‌ କରିନେଇଥିଲା। ରିଜ୍‌ୱାନ୍‌ଙ୍କ ୫୯ ରନ୍‌ ମଧ୍ୟ ଟି-୨୦ ଫର୍ମାଟ୍‌ରେ ପାକିସ୍ତାନକୁ ଚତୁର୍ଥ ସର୍ବୋଚ୍ଚ ପିଛା ବିଜୟ ଦେଇଥିଲା।

ସମ୍ବନ୍ଧିତ ଖବର