ବାଂଲାଦେଶକୁ ୮ ୱିକେଟ୍‌ରେ ହରାଇଲା ନ୍ୟୁଜିଲାଣ୍ଡ୍‌

ଦୁନେଦିନ୍‌: ବୋଲରଙ୍କ ଘାତକ ବୋଲିଂ ପରେ ଆଗଧାଡ଼ିର ବ୍ୟାଟ୍‌ସମ୍ୟାନ୍‌ଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡ୍‌ ଶନିବାର ପ୍ରଥମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ରେ ବାଂଲାଦେଶକୁ ୨୮.୪ ଓଭର ପୂର୍ବରୁ ୮ ୱିକେଟ୍‌ରେ ପରାସ୍ତ କରିଦେଇଛି। ଏଥି ସହିତ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ହାସଲ କରିଛି।

ଘରୋଇ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ବାଂଲାଦେଶକୁ ଆମନ୍ତ୍ରଣ କରିଥିଲା। ହେଲେ ଟ୍ରେଣ୍ଟ୍‌ ବୋଲ୍‌ଟ (୮.୫-୦-୨୭-୪), ଜେମ୍‌ସ ନୀସାମ (୮-୧-୨୭-୨), ମିଚେଲ ସାଣ୍ଟ୍‌ନର (୮-୦-୨୩-୨) ଏବଂ ମ୍ୟାଟ୍‌ ହେନ୍‌ରି (୯-୧-୨୬-୧)ଙ୍କ ଘାତକ ବୋଲିଂର ସାମ୍‌ନା କରିନପାରି ବାଂଲାଦେଶ ଦଳ ୪୧.୫ ଓଭରରେ ୧୩୧ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ମହମୁଦୁଲ୍ଲା (୨୭), ମୁସ୍‌ଫିକର ରହିମ (୨୩), ଲିଟନ ଦାସ (୧୯), ମେହେଦି ହାସନ୍‌ ମିରାଜ (୧୪), ଅଧିନାୟକ ତମିମ ଇକ୍‌ବାଲ (୧୩) ଓ ତସ୍‌କିନ ଅହମ୍ମଦ (୧୦) ଦୁଇ ଅଙ୍କ ଛୁଇଁଥିଲେ। ଜବାବରେ ମାର୍ଟିନ୍‌ ଗପ୍ଟିଲ (୩୮ ରନ୍‌, ୧୯ ବଲ୍‌, ୩ ଚୌକା, ୪ ଛକା)ଙ୍କ ଧୂଆଁଧାର ବ୍ୟାଟିଂ ସାଙ୍ଗକୁ ହେନ୍‌ରି ନିକୋଲ୍‌ସ (୪୯* ରନ୍‌, ୫୩ ବଲ୍‌, ୬ ଚୌକା), ଡେଭନ୍‌ କନ୍‌ୱେ (୨୭) ଏବଂ ୱିଲ୍‌ ୟଙ୍ଗ୍‌ (୧୧* ରନ୍‌, ୬ ବଲ୍‌, ୨ ଚୌକା)ଙ୍କ ବଳରେ ନ୍ୟୁଜିଲାଣ୍ଡ୍‌ ମାତ୍ର ୨୧.୨ ଓଭରରେ ୨ ୱିକେଟ୍‌ ବିନିମୟରେ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଟ୍ରେଣ୍ଟ୍‌ ବୋଲ୍‌ଟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର