ପାକିସ୍ତାନକୁ ୧୦୧ ରନ୍‌ରେ ହରାଇଲା ନ୍ୟୁଜିଲାଣ୍ଡ୍‌

ମାଉଣ୍ଟ ମଙ୍ଗନୁଇ : ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ଘରୋଇ ନ୍ୟୁଜିଲାଣ୍ଡ୍‌ ୧୦୧ ରନ୍‌ରେ ଜିତିନେଇଛି। ପ୍ରଥମ ପାଳିରେ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ଙ୍କ ଶତକ ବଳରେ ୪୩୧ ରନ୍‌ କରିଥିବା ନ୍ୟୁଜିଲାଣ୍ଡ୍‌ ଭ୍ରମଣକାରୀ ପାକିସ୍ତାନର ପ୍ରଥମ ପାଳିକୁ ୨୩୯ ରନ୍‌ରେ ଅଟକାଇ ୧୯୨ ରନ୍‌ର ଅଗ୍ରଣୀ ନେଇଥିଲା। ଏହା ପରେ ଦୁଇ ଓପ୍‌ନର ଟମ୍‌ ଲାଥାମ୍‌ ଓ ଟମ୍‌ ବ୍ଲଣ୍ଡେଲଙ୍କ ଅର୍ଧଶତକ ଏବଂ ପ୍ରଥମ ୱିକେଟ୍‌ରେ ଶତକୀୟ ଭାଗୀଦାରି ବଳରେ ନ୍ୟୁଜିଲାଣ୍ଡ୍‌ ୧୮୦/୫ରେ ଦ୍ବିତୀୟ ପାଳି ଘୋଷଣା କରିଦେଇଥିଲା। ଫଳରେ ପାକିସ୍ତାନ ସମ୍ମୁଖରେ ୩୭୩ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଥିଲା। ଏହାର ଜବାବରେ ପାକିସ୍ତାନ ୨୭୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଚତୁର୍ଥ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ସୁଦ୍ଧା ୭୧ ରନ୍‌ରେ ୩ ୱିକେଟ୍‌ ହରାଇ ପରାଜୟ ମୁହାଁ ହୋଇଥିବା ପାକିସ୍ତାନ ବୁଧବାର ପଞ୍ଚମ ତଥା ଅନ୍ତିମ ଦିନ ଆଉ ୨୦୦ ରନ୍ ଯୋଡ଼ି ଅବଶିଷ୍ଟ ୭ ୱିକେଟ୍‌ ହରାଇଥିଲା। ଫୱାଦ ଆଲାମ (୧୦୨)ଙ୍କ ଶତକ ଏବଂ ଅଧିନାୟକ ମହମ୍ମଦ ରିଜ୍‌ୱାନ (୬୦)ଙ୍କ ଅର୍ଧଶତକ ବେକାର ଯାଇଥିଲା। ୱିଲିୟମ୍‌ସନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍‌ ଜାନୁଆରି ୩ରୁ ଖ୍ରିଷ୍ଟଚର୍ଚ୍ଚର ହଗ୍‌ଲେ ଓଭାଲରେ ଆରମ୍ଭ ହେବ।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳି: ୪୩୧ ଓ ଦ୍ବିତୀୟ ପାଳି ୧୮୦/୫ (ଘୋଷଣା)। ପାକିସ୍ତାନ ପ୍ରଥମ ପାଳି: ୨୩୯ ଓ ଦ୍ବିତୀୟ ପାଳି: ୧୨୩.୩ ଓଭରରେ ୨୭୧ (ଫୱାଦ୍‌ ଆଲାମ-୧୦୨, ମହମ୍ମଦ ରିଜ୍‌ୱାନ-୬୦, ଆଝାର ଅଲ୍ଲୀ-୩୮, ଟିମ୍ ସାଉଦି-୨/୩୩, ଟ୍ରେଣ୍ଟ୍ ବୋଲ୍ଟ-୨/୭୨, କାଇଲ ଜାମିସନ୍‌-୨/୩୫, ନିଲ୍‌ ୱାଗ୍‌ନର-୨/୫୫, ମିଚେଲ ସାଣ୍ଟନର-୨/୫୨)।

ସମ୍ବନ୍ଧିତ ଖବର