ଲକ୍ଷ୍ନୌ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌସ୍ଥିତ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ୨ୟ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଅତିଥି ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବୋଲିଂ କରୁଛି।
ଆଜି ଲକ୍ଷ୍ନୌରେ ଦ୍ବିତୀୟ ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଗୋଟିଏପଟେ ଶୃଙ୍ଖଳା ଜୀବନ୍ତ ରଖିବା ପାଇଁ ଏହି ମ୍ୟାଚ୍ ଘରୋଇ ଭାରତ ପାଇଁ କର ବା ମର ପାଲଟି ଯାଇଥିଲା ବେଳେ ନ୍ୟୁଜିଲାଣ୍ଡ୍ ଏହି ମ୍ୟାଚ୍ ଜିତି ଆଗୁଆ ଶୃଙ୍ଖଳା କବ୍ଜା କରିନେବା ଲକ୍ଷ୍ୟରେ ରହିଛି। ତେଣୁ ଶୃଙ୍ଖଳା ବଞ୍ଚାଇବା ଏବଂ ଶୃଙ୍ଖଳା ଜିତିବା ଲକ୍ଷ୍ୟ ରଖିଥିବାରୁ ଦୁଇ ଦଳ ମଧ୍ୟରେ ରବିବାର କସରତ ହେବ। ତେବେ ଭାରତ ଲଗାତାର ଭାବେ ଘରୋଇ ଶୃଙ୍ଖଳା ଜିତିଆସୁଥିବାରୁ ଦ୍ବିତୀୟ ମ୍ୟାଚ୍ ସମ୍ମାନର ପ୍ରଶ୍ନ ରହିଛି।
ଗତ ୨୭ ତାରିଖ ଦିନ ରାଞ୍ଚିରେ ପିଚ୍କୁ ପରଖିବାରେ ଦୁଇ ଅଧିନାୟକ ଭୁଲ୍ କରିଥିଲେ। ତଥାପି ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍ ମ୍ୟାଚ୍ ଜିତିନେଲା। ଏଥି ସହିତ ନ୍ୟୁଜିଲାଣ୍ଡ ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ମଧ୍ୟ ପାଇଯାଇଛି।