ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ରେ ଅଂଶଗ୍ରହଣ କରିଥିବା ନ୍ୟୁଜିଲାଣ୍ଡ ଖେଳାଳିମାନେ ଆସନ୍ତା ଜୁନ୍‌ରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍ (ଡବ୍ଲୁଟିସି) ପାଇଁ ଭାରତୀୟ ଖେଳାଳିଙ୍କ ସହ ଲଣ୍ଡନ ଯାଇପାରନ୍ତି। କରୋନା କଟକଣା ଜନିତ କଠୋର ସଂଗରୋଧ ବ୍ୟବସ୍ଥା ପାଇଁ ସେମାନେ ସ୍ବଦେଶ ଫେରିପାରିବେନି କିମ୍ବା ସେଠାରୁ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବା ସମ୍ଭବ ହେବନି ବୋଲି ସଂକେତ ଦେଇଛନ୍ତି ନ୍ୟୁଜିଲାଣ୍ଡ ଖେଳାଳିଙ୍କ ସଂଘର ମୁଖ୍ୟ। ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌, ଟ୍ରେଣ୍ଟ୍‌ ବୋଲ୍‌ଟ, କାଇଲ ଜାମିସନ୍‌ ଏବଂ ମିଚେଲ ସାଣ୍ଟନରଙ୍କ ସମେତ ୧୦ ନ୍ୟୁଜିଲାଣ୍ଡ୍‌ ଖେଳାଳି ଭିନ୍ନ ଭିନ୍ନ ଫ୍ରାଞ୍ଚଇଜ୍‌ ପକ୍ଷରୁ ଆଇପିଏଲ୍‌ରେ ଖେଳୁଛନ୍ତି। ନ୍ୟୁଜିଲାଣ୍ଡ୍‌ ମଧ୍ୟ ଜୁନ୍‌ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ପାଇଁ ୨୦ ଜଣିଆ ଦଳ ଘୋଷଣା କରିସାରିଛି। ଏହି ଦଳରୁ ୧୫ ଜଣଙ୍କୁ ଭାରତ ବିପକ୍ଷ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ଦଳରେ ରଖାଯିବ। ଡବ୍ଲୁଟିସି ଫାଇନାଲ୍‌ ଜୁନ୍‌ ୧୮ ତାରିଖରୁ ସାଉଥମ୍ପଟନ୍‌ରେ ଆରମ୍ଭ ହେବ।

Advertisment

ତେଣୁ ଆଇପିଏଲ୍‌ରେ ଅଂଶଗ୍ରହଣ କରିଥିବା ନ୍ୟୁଜିଲାଣ୍ଡ ଖେଳାଳିମାନେ ସ୍ବଦେଶ ଫେରିବା ସହଜ ‌ନଥିଲା ବେଳେ ପୁଣି ଦୁଇ ସପ୍ତାହ ସଂଗରୋଧ ରହି ଇଂଲଣ୍ଡ ଯାତ୍ରା କରିବା କଷ୍ଟକର ହେବ। ଫଳରେ ଆଇପିଏଲ୍‌ ଖେଳାଳିମାନେ ଭାରତରେ ରହି ଭାରତୀୟ ଖେଳାଳିଙ୍କ ସହ ଲଣ୍ଡନ ଯାତ୍ରା କରିବା ସହଜ ହେବ ବୋଲି ଖେଳାଳିଙ୍କ ସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ ହିଥ୍‌ ମିଲ୍‌ସ କହିଛନ୍ତି। କେବଳ ନ୍ୟୁଜିଲାଣ୍ଡ୍‌ ଦଳରେ ଥିବା ୧୦ ଖେଳାଳି ଆଇପିଏଲ୍‌ରେ ନୁହନ୍ତି, ବରଂ ଇଂଲଣ୍ଡ ଗସ୍ତ ପାଇଁ ଦଳର ସଦସ୍ୟ ନଥିବା ସ୍କଟ୍‌ କୁଗ୍‌ଲିଜିନ୍‌, ଜିମ୍ମି ନିସାମ, ଆଦାମ୍‌ ମିଲ୍‌ନେ, ଫିନ୍‌ ଆଲେନ୍‌, ଲୋକି ଫର୍ଗୁସେନ୍‌ ଓ ଟିମ୍‌ ସିଫର୍ଟଙ୍କ ଭଳି ଖେଳାଳି ମଧ୍ୟ ଭାରତରେ ରହିଛନ୍ତି।

ପୁଣି ଷ୍ଟିଫେନ୍‌ ଫ୍ଲେମିଂ (ସିଏସ୍‌କେ ମୁ୍‌ଖ୍ୟ ପ୍ରଶିକ୍ଷକ), ବ୍ରେଣ୍ଡନ ମ୍ୟାକ୍‌ଲମ୍‌ (କେକେଆର୍‌ ମୁ୍‌ଖ୍ୟ ପ୍ରଶିକ୍ଷକ), ମାଇକ୍‌ ହେସନ୍‌ (ଆର୍‌ସିବି ଡାଇରେକ୍ଟର), ସେନ୍‌ ବଣ୍ଡ୍‌ (ଏମ୍‌ଆଇ ବୋଲିଂ ପ୍ରଶିକ୍ଷକ), ଜେମ୍‌ସ ପାମେଣ୍ଟ୍‌ (ଏମ୍‌ଆଇ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ), କାଇଲ ମିଲ୍‌ସ (କେକେଆର୍‌ ବୋଲିଂ ପ୍ରଶିକ୍ଷକ), କ୍ରିସ ଡୋନାଲ୍‌ଡସନ୍‌ (କେକେଆର୍‌ ଷ୍ଟ୍ରେନ୍ଥ୍‌ ଆଣ୍ଡ୍‌ କଣ୍ଡିସନିଂ)ଙ୍କ ଭଳି ୭ ଜଣ ନ୍ୟୁଜିଲାଣ୍ଡ୍‌ର ସପୋର୍ଟ ଷ୍ଟାଫ୍‌ ମଧ୍ୟ ଭାରତରେ ଅଛନ୍ତି। ତେଣୁ ନ୍ୟୁଜିଲାଣ୍ଡ୍‌ ବୋର୍ଡ ସଂପୃକ୍ତ ଖେଳାଳି, ସେମାନଙ୍କ ଫ୍ରାଞ୍ଚାଇଜ୍‌, ବିସିସିଆଇ, ଆଇସିସି ଏବଂ ଇଂଲଣ୍ଡ ବୋର୍ଡ ସହ ସଂପର୍କରେ ରହିଛି। ଆଇପିଏଲ୍‌ ଶେଷରେ ସେମାନଙ୍କ ପାଇଁ ଫେରିବା ବ୍ୟବସ୍ଥା ବିଚାର କରାଯିବ ବୋଲି ସେ କହିଛନ୍ତି।