ନ୍ୟୁଜିଲାଣ୍ଡ ନିରବ ହତ୍ୟାକାରୀ

ଭିଭିଏସ୍ ଲକ୍ଷ୍ମଣ

ବିଶ୍ବକପ୍‌ର ଦୁଇଟି ସେମିଫାଇନାଲ ମଧ୍ୟରେ ଢେର ସାମଞ୍ଜସ୍ୟ ଥିଲା। ଉଭୟ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ବିଜୟରେ ନୂଆ ବଲ୍ ସ୍ପେଲ୍ ନିର୍ଣ୍ଣାୟକ ଭୂମିକା ନେଇଥିଲା। ମାତ୍ର ୫ ରନ୍ ଭିତରେ ରୋହିତ ଶର୍ମା, ଲୋକେଶ ରାହୁଲ ଏବଂ ବିରାଟ କୋହଲିଙ୍କ ୱିକେଟ୍ ନେଇ ମ୍ୟାଟ୍ ହେନରି ଓ ଟ୍ରେଣ୍ଟ ବୋଲ୍ଟ ୧୦୦ କୋଟିରୁ ଊର୍ଧ୍ବ ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିଲେ। ସେହିଭଳି କ୍ରିସ୍ ଓକ୍ସ ଓ ଜୋଫ୍ରା ଆର୍ଚର ଅଷ୍ଟ୍ରେଲିଆର ପ୍ରାରମ୍ଭିକ ଯୋଡ଼ି ଆରୋନ ଫିଞ୍ଚ ଓ ଡେଭିଡ୍ ୱାର୍ନରଙ୍କୁ ଆଉଟ୍ କରି କଙ୍ଗାରୁ ଦଳର ଟ୍ରଫି ଅଭିଯାନକୁ ଲାଇନଚ୍ୟୁତ କରି ଦେଇଥିଲେ। ଭାରତ ସେମିଫାଇନାଲରୁ ବିଦାୟ ନେଇଥିଲେ ମଧ୍ୟ ନିଜ ଅବିସ୍ମରଣୀୟ ଅଭିଯାନ ପାଇଁ ‌ସେମାନେ ଗର୍ବ କରି ପାରିବେ। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ବୋଲର ବହୁତ ଭଲ ବୋଲିଂ କରିଥି‌ଲେ। ୨୪୦ ରନ୍‌ର ପିଛା କରି ଶୀର୍ଷକ୍ରମ ବିଫଳ ହେବା ପରେ ମଧ୍ୟକ୍ରମର ଦାୟିତ୍ବ ଢେର ବଢ଼ି ଯାଇଥିଲା। ପ୍ରତିପକ୍ଷର ଶୃଙ୍ଖଳିତ ବୋଲିଂ ଆକ୍ରମଣ ସହ ବଢ଼ି ଚାଲିଥିବା ରନ୍ ହାର ପାଇଁ ସେମାନଙ୍କ କାର୍ଯ୍ୟ ଅବଶ୍ୟ ସେତେଟା ସହଜ ନଥିଲା। ଧୋନି ଓ ଜାଦେଜା ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ବ୍ୟାଟିଂ କରୁଥିଲା ବେଳେ କିନ୍ତୁ ଭାରତ ପାଇଁ ଆଶା ସଂଚାର ହୋଇଥିଲା। ସେମାନେ ଅସମ୍ଭବକୁ ସମ୍ଭବ କରିବାର ଦ୍ବାର ଦେଶରେ ଥିଲେ। ଜାଦେଜାଙ୍କୁ ବ୍ୟାଟିଂ କରୁଥିବାର ଦେଖିବା ବହୁତ ମଜାଦାର ଥିଲା। ଦଳ ପାଇଁ ସେ କେତେ ମହତ୍ବପୂର୍ଣ୍ଣ, ତାହା ସେଦିନ ପ୍ରମାଣିତ ହୋଇଥିଲା। ମାର୍ଟିନ ଗପ୍ଟିଲଙ୍କ ଲକ୍ଷ୍ୟଭେଦୀ ଥ୍ରୋରେ ରନ୍ ଆଉଟ୍ ହେବା ପୂର୍ବରୁ ଧୋନି ମଧ୍ୟ ପୂରା ଶାନ୍ତ ଥିଲେ। ଧୋନି ଆଉଟ୍ ହେବା ସହ ଭାରତର ଆଶା ବି ମଉଳି ଯାଇଥିଲା। ଅଲରାଉଣ୍ଡ ପ୍ରଦର୍ଶନ ହିଁ ନ୍ୟୁଜିଲାଣ୍ଡକୁ ପ୍ରତୀକ୍ଷିତ ବିଜୟ ଦେଇଥିଲା। ଏହା ହିଁ ବିଗତ ବହୁ ବର୍ଷ ହେବ ନ୍ୟୁଜିଲାଣ୍ଡର ଶକ୍ତି ହୋଇ ରହି ଆସିଛି। ସେମାନେ ସେତେଟା ଗ୍ଲାମରିଅସ୍ ନୁହଁ। ହେଲେ ବିନା ହଲ୍ଲାଗୁଲ୍ଲାରେ ନକଆଉଟ୍ ପହଞ୍ଚିବାର ଦକ୍ଷତା ସେମାନଙ୍କ ପାଖରେ ନିଶ୍ଚିତ ଭାବେ ଅଛି। ଓଲ୍ଡ ଟ୍ରାଫର୍ଡ ପିଚ୍‌କୁ ଭଲ ଭାବରେ ପଢ଼ିବା ସହ କିୱି ଦଳର ଦୁଇ ଅଭିଜ୍ଞ ତାରକା ରସ୍ ଟେଲର ଓ କେନ୍ ୱିଲିୟମସ ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇ ଦେଇଥିଲେ। କେନ୍ ମଧ୍ୟ ବଳିଷ୍ଠ ଅଧିନାୟକତ୍ବର ପରିଚୟ ଦେଇଥିଲେ। ଭାରତକୁ ରୋକିବାର ଏକମାତ୍ର ଉପାୟ ନିୟମିତ ୱିକେଟ୍ ନେବା ବୋଲି ସେ ଜାଣିଥିଲେ। ଏଣୁ ସର୍କଲ ଭିତରେ ଏବଂ କ୍ୟାଚିଂ ଏରିଆରେ ଖେଳାଳି ରଖି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆକ୍ରମଣ କରିଥିଲେ। ଦ୍ବିତୀୟ ସେମିଫାଇନାଲ୍ ତୁଳନାତ୍ମକ ଭାବେ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଥିଲା। ୱାର୍ନର ଏବଂ ଫିଞ୍ଚ୍ ଆଉଟ୍ ହେବା ପରେ କିନ୍ତୁ ଅଷ୍ଟ୍ରେଲିଆ ୨୨୩ ରନ୍‌ରେ ଅଟକି ଯାଇଥିଲା। ଏହା ପରେ ଜାସନ ରୟ, ଜନି ବେୟାରଷ୍ଟୋ, ଜୋ ରୁଟ୍ ଓ ଇଅନ ମୋର୍ଗାନ ମ୍ୟାଚ୍‌କୁ ଏକତରଫା କରି ଦେଇଥିଲେ। ଇଂଲଣ୍ଡ ଅପେକ୍ଷାକୃତ ଶକ୍ତିଶାଳୀ ଦଳ ଭାବେ ଫାଇନାଲକୁ ଯାଇଛି। ଘରୋଇ ପରିବେଶ ପାଇଁ ସେମାନେ ମଧ୍ୟ ଫାଇଦାରେ ରହିବେ। ତଥାପି ମୁଁ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ ଆଶାରେ ରହିଛି। ଫଳାଫଳ ଯାହା ହେଉନା କାହିଁକି, ରବିବାର ଆମେ ନିଶ୍ଚିତ ଭାବେ ଏକ ନୂଆ ବିଜେତା ପାଇବା।

ସମ୍ବନ୍ଧିତ ଖବର