ଲାହୋର: ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଦ୍ବିତୀୟ ସେମିଫାଇନାଲରେ ବୁଧବାର ନ୍ୟୁଜିଲାଣ୍ଡ୍ ଭେଟିବ ଦକ୍ଷିଣ ଆଫ୍ରିକାକୁ। ନ୍ୟୁଜିଲାଣ୍ଡ୍ ଗ୍ରୁପ୍ ‘ଏ’ ଦ୍ବିତୀୟ ଦଳ ଭାବେ ସେମିଫାଇନାଲ୍ ଆସିଥିବା ବେଳେ ଦକ୍ଷିଣ ଆଫ୍ରିକା ଗ୍ରୁପ୍ ଟପ୍ପର ଭାବେ ଆତ୍ମବିଶ୍ବାସରେ ରହିଛି। ଗ୍ରୁପ୍ ପର୍ଯ୍ୟାୟର ଶେଷ ଲିଗ୍ ଖେଳିବାକୁ ଦୁବାଇ ଗସ୍ତ କରିଥିବା ନ୍ୟୁଜିଲାଣ୍ଡ୍ ଦଳ ଏବେ ନିଜର ଲକି ଗ୍ରାଉଣ୍ଡ୍ ଲାହୋରକୁ ଫେରିଥିବାରୁ ବି ଆତ୍ମପ୍ରସନ୍ନ ରହିଛି। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ପାକିସ୍ତାନକୁ ମଧ୍ୟ ଏକ ୱାର୍ମ ଅପ୍ ମ୍ୟାଚ୍ରେ ହରାଇଥିଲା। ଏହି ପଡ଼ିଆରେ ଦଳ ପାଇଁ ସକାରାତ୍ମକ ଭାବନା ଜଡ଼ିତ ଥିବାରୁ ଆମ ଅଭିଜ୍ଞତା ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଦଳର ପ୍ରଶିକ୍ଷକ ଗ୍ୟାରି ଷ୍ଟିଡ୍ ପ୍ରକାଶ କରିଛନ୍ତି। ଦୁବାଇର ସ୍ପିନ୍ ଆଧିପତ୍ୟ ପିଚ୍ରେ ଆମ ୩ ଜଣିଆ ପେସ୍ ବାହିନୀ ଭାରତକୁ ୨୪୯/୯ରେ ରୋକିଥିବାରୁ ଆମେ ବି ଏଠାରେ ସେହି ୩ ଜଣଙ୍କୁ ନେଇ ଖେଳିବୁ ବୋଲି ଷ୍ଟିଡ୍ ସ୍ପଷ୍ଟ କରିଛନ୍ତି। ଲାହୋରରେ ବିଗତ ଦୁଇଟି ବିଜୟ ହାସଲ କରିବାବେଳେ ନ୍ୟୁଜିଲାଣ୍ଡ୍ ଉଭୟ ଥର ୩୦୦ରୁ ଊର୍ଧ୍ବ ରନ୍ ସଂଗ୍ରହ କରିଥିଲା। ଦକ୍ଷିଣ ଆଫ୍ରିକା କିନ୍ତୁ ଏକ ଭିନ୍ନ ଦଳ ବୋଲି ଷ୍ଟିଡ୍ ସ୍ବୀକାର କରିଛନ୍ତି।
ଲାହୋରର ଗଦାଫି ଷ୍ଟାଡିୟମ୍ରେ ରନ୍ ବର୍ଷା ହେଉଥିବାରୁ ବୁଧବାର ମଧ୍ୟ ଉଭୟ ଦଳଠାରୁ ବଡ଼ ସ୍କୋର୍ ଆଶା କରିଛନ୍ତି ପ୍ରଶଂସକ। ଚଳିତ ବର୍ଷ ଗଦାଫି ପିଚ୍ରେ ହାରାହାରି ପ୍ରଥମ ପାଳି ସ୍କୋର୍ ହେଉଛି ୩୧୬.୫। ପ୍ରଥମ ପାଳି ଓ ପଶ୍ଚାତ୍ଧାବନ ଦଳ ମଧ୍ୟରେ ଫଳାଫଳ ବଣ୍ଟୁଆରା ହୋଇଛି। ବୁଧବାର ଏହି ମ୍ୟାଚ୍ ପାଇଁ କିନ୍ତୁ ପାଗ ଭଲ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ୨୦୧୭ ମସିହା ପରଠାରୁ ୨୦୧୯ ଓ ୨୦୨୩ ବିଶ୍ବକପ୍ରେ ଉଭୟ ଦଳ ପରସ୍ପରକୁ ଥରେ ଲେଖାଏଁ ଭେଟି ୧-୧ ସ୍ଥିତିରେ ରହିଛନ୍ତି। ଏହି ସମୟ ମଧ୍ୟରେ ଦୁଇ ଦେଶ ୧୧ ଥର ଭେଟିଥିବା ବେଳେ ନ୍ୟୁଜିଲାଣ୍ଡ୍ ୭ ଥର ଜିତି ଆଗୁଆ ରହିଛି। ପାକିସ୍ତାନରେ ଗତ ମାସରେ ତ୍ରିରାଷ୍ଟ୍ରୀୟ ଟ୍ରଫି ଜିତିଥିବାରୁ ମିଚେଲ୍ ସାଣ୍ଟନର୍ଙ୍କ ଦଳ ବି ଏହି ସେମିଫାଇନାଲ୍ର ଦୃଢ଼ ଦାବିଦାର ରହିବ। ଦକ୍ଷିଣ ଆଫ୍ରିକା କିନ୍ତୁ ବିଗତ ୭ ଆଇସିସି ଇଭେଣ୍ଟ୍ରେ ନକ୍ ଆଉଟ୍ ପର୍ଯ୍ୟାୟକୁ ଯାଇଥିବାରୁ ଏଥର ଫାଇନାଲ୍ ଖେଳିବା ଆଶା ରଖିଛି। ଅବଶ୍ୟ ଏହି ୭ ଯୋଗ୍ୟତା ପୁରୁଷ, ମହିଳା ଓ ୧୯ ବର୍ଷରୁ କମ୍ ପ୍ରତିଯୋଗିତାରେ ଅର୍ଜନ କରିଛି ଦଳ।
ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ୧୧: ତେମ୍ବା ବଭୁମା (ଅଧିନାୟକ), ରୢାନ୍ ରିକେଲଟନ୍, ରାଶି ଭାନଡର୍ ଦୁସେନ୍, ଐଦେନ ମାରକ୍ରମ, ହେନରିକ୍ କ୍ଲାସେଁ (ୱିକେଟରକ୍ଷକ), ଡେଭିଡ୍ ମିଲର୍, ୱିଆନ୍ ମଲ୍ଡର, ମାର୍କୋ ୟାନ୍ସେନ୍, କେଶବ ମହାରାଜ, କାଗିସୋ ରବାଡ଼ା, ଲୁଙ୍ଗି ଏନ୍ଗିଡି।
ନ୍ୟୁଜିଲାଣ୍ଡ୍ ସମ୍ଭାବ୍ୟ ୧୧: ୱିଲ୍ ୟଙ୍ଗ୍, ରାଚିନ ରବୀନ୍ଦ୍ର/ଡେଭନ୍ କନୱେ, କେନ୍ ୱିଲିୟମ୍ସନ୍, ଡାରିଲ୍ ମିଚେଲ୍, ଟମ୍ ଲଥାମ (ୱିକେଟରକ୍ଷକ), ଗ୍ଲେନ୍ ଫିଲିପ୍ସ, ମାଇକେଲ୍ ବ୍ରେସ୍ୱେଲ୍, ମିଚେଲ୍ ସାଣ୍ଟନର୍ (ଅଧିନାୟକ), ମ୍ୟାଟ୍ ହେନରି, କାଇଲ୍ ଜାମିସନ୍, ୱିଲ୍ ଓ’ରୁର୍କେ।